www.samajalive.in
Wednesday, December 10, 2025
26.1 C
Bhubaneswar

ପରମ ଶାସ୍ତ୍ର ଭାଗବତ

ବ୍ୟାସଦେବଙ୍କ ଦ୍ୱାରା ଅଠର ହଜାର ଶ୍ଳୋକ ବିଶିଷ୍ଟ ଶ୍ରୀମଦ୍‍ ଭାଗବତ ସମଗ୍ର ମଣିଷ ସମାଜ ପାଇଁ ଉତ୍ତମ ପଥ ପ୍ରଦର୍ଶକ, ଶାନ୍ତି ଓ ମୁକ୍ତି ପ୍ରଦାନକାରୀ ଗ୍ରନ୍ଥ। ଶ୍ରୀମଦ୍‍ ଭାଗବତ ହେଉଛି ସ୍ୱୟଂ ଭଗବାନଙ୍କର ବାଙ୍‍ମୟ ମୂର୍ତ୍ତି। ଲୀଳାପୁରୁଷ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ନିଜ ଲୀଳା ଶେଷ କରି ସ୍ୱଧାମକୁ ଯିବା ପାଇଁ ପ୍ରସ୍ତୁତ ହେଲେ, ସେତେବେଳେ ପରମ ଭକ୍ତ ଉଦ୍ଧବ କହିଲେ, “ହେ ପ୍ରଭୁ! ଆପଣ ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କରିବେ ମାତ୍ର ଆପଣଙ୍କ ବ୍ୟତିରେକେ ଏ ମାନବ ସମାଜ କଳିଯୁଗରେ ଚଳିବ କିପରି ? କଳିର ପ୍ରଭାବରେ ସବ୍ରୁଆଡ଼େ ଅଧର୍ମ ବଢ଼ିଯିବ, ଅରାଜକତା ଦେଖା ଦେବ, ତେବେ କଳିଯୁଗର ମଣିଷମାନେ କିପରି ମୁକ୍ତି ଲାଭ କରିପାରିବେ? ଭଗବାନ ଶ୍ରୀକୃଷ୍ଣ କହିଲେ, “ହେ ଉଦ୍ଧବ! ଯେଉଁ ମଣିଷ ଭାଗବତର ଆଶ୍ରୟ ନେବ କଳି ତା’ର କୌଣସି କ୍ଷତି କରିପାରିବ ନାହିଁ।” ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ସ୍ୱଧାମ ଗଲେ ସେ ନିଜର ସମସ୍ତ ତେଜକୁ ଶ୍ରୀମଦ୍‍ ଭାଗବତରେ ସଞ୍ଚାରିତ କରି ଦେଇ ଗଲେ। ସୃଷ୍ଟି ରଚନା ପୂର୍ବରୁ ସ୍ୱୟଂ ନାରାୟଣ ଚତୁଃଶ୍ଳୋକ ବିଶିଷ୍ଟ ଭାଗବତ ପ୍ରଜାପତି ବ୍ରହ୍ମାଙ୍କୁ ଶୁଣାଇଥିଲେ। ସେହି ଭାଗବତକୁ ବ୍ରହ୍ମା ନାରଦଙ୍କୁ ଏକଶହ ଶ୍ଳୋକରେ କହିଲେ। ତା’ ପରେ ନାରଦଙ୍କ ପରାମର୍ଶକ୍ରମେ କୃଷ୍ଣ ଦ୍ୱୈପାୟନ ବ୍ୟାସ ଅଷ୍ଟାଦଶ ପୁରାଣ ରଚନା କଲା ପରେ କଳିଯୁଗ ମଣିଷମାନଙ୍କର ମୁକ୍ତି ପାଇଁ ରଚନା କଲେ ଶ୍ରୀମଦ୍‍ ଭାଗବତ ମହାପୁରାଣ।

ଭାଗବତର ବକ୍ତା ହେଲେ ଶୁକଦେବ ଆଉ ଶ୍ରୋତା ହେଲେ ରାଜା ପରୀକ୍ଷିତ। ମହର୍ଷି ଶମିକଙ୍କ ପୁତ୍ର ଶୃଙ୍ଗୀଙ୍କ ଅଭିଶାପରେ ରାଜା ପରୀକ୍ଷିତ ସର୍ପଦଂଶନରେ ସାତଦିନ ମଧ୍ୟରେ ମୃତ୍ୟୁ ହେବା ନିଶ୍ଚିତ ହୋଇଯାଇଥିଲା। ଏହା ଜାଣିବା ପରେ ସମସ୍ତ କାମନା ବାସନା ବିଲୁପ୍ତ ହୋଇ ମନରେ ବୈରାଗ୍ୟ ଜାତ ହେଲା। ସେ ରାଜସିଂହାସନ ତ୍ୟାଗ କରି ସରସ୍ୱତୀ ନଦୀ କୂଳକୁ ଚାଲିଯାଇଥିଲେ। ସେହି ସ୍ଥାନରେ ରାଜା ପରୀକ୍ଷିତଙ୍କୁ ଶୁକଦେବ ଗୋସ୍ୱାମୀ ଶ୍ରୀମଦ୍‍ ଭାଗବତ ଶ୍ରବଣ କରାଇଥିଲେ। ପରୀକ୍ଷିତ ଭାଗବତ ଶ୍ରବଣ କରି ମୁକ୍ତି ଲାଭ କରିଥିଲେ। ଭାଗବତ ପଠନ ଓ ଶ୍ରବଣ କଲେ ମଣିଷର ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ – ଏହି ତ୍ରିତାପର ବିନାଶ ଘଟେ ଏବଂ ମଣିଷ ପାଏ ପରମ ଆନନ୍ଦ। ଭାଗବତ ଶ୍ରବଣ ଦ୍ୱାରା ମଣିଷର ମନରେ ଜାତ ହୁଏ ଜ୍ଞାନ, ଭକ୍ତି ଓ ବୈରାଗ୍ୟ।
ଓଡ଼ିଆ ସାହିତ୍ୟରେ ଭାଗବତ ହେଉଛି ଏକ ଅମୂଲ୍ୟ ଗ୍ରନ୍ଥ। ଜଗନ୍ନାଥ ଦାସଙ୍କ ମା’ଙ୍କ ଅନୁରୋଧକ୍ରମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା ଲାଭ କରି ବ୍ୟାସକୃତ ସଂସ୍କୃତ ଭାଗବତକୁ ସରଳ ଓଡ଼ିଆ ଭାଷାର ନବାକ୍ଷରୀ ଛନ୍ଦରେ ଅନୁବାଦ କରିଥିଲେ। ସେହି ଓଡ଼ିଆ ଭାଗବତ ପ୍ରତ୍ୟେକ ଓଡ଼ିଆ ମାନସକୁ ଭକ୍ତିରସରେ ଆପ୍ଲୁତ କରିଦିଏ। ଭାଗବତ ହେଉଛି ଏଭଳି ଶାସ୍ତ୍ର ଯାହାର ଜନ୍ମଦିନ ପାଳନ କରାଯାଏ। ଏହା ପ୍ରତ୍ୟେକ ଓଡ଼ିଆ ପାଇଁ ପରମ ପବିତ୍ର ଗ୍ରନ୍ଥ, ପଥ ପ୍ରଦର୍ଶକ ଓ ଆଲୋକବର୍ତ୍ତିକା।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories