ଟିଭି ଦେଖିବାକୁ ମା’ ଆକଟ କରିବାରୁ ନାବାଳିକା ଝିଅ ବିଷ ପିଇଦେଲା। ଆଉ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଝିଅଟିର ଜୀବନ ଚାଲିଗଲା। ଏମିତି ଘଟଣା ଘଟିଛି ବାସୁଦେବପୁର ଥାନା ସୁରେଶ୍ଵରପୁର ପାରା ଗ୍ରାମରେ। ମୃତ ଝିଅଟିର ନାମ ଲିପିପୁଷ୍ପା ଦାସ(୧୭)। ଲିପି ବାସୁଦେବପୁର ଥାନା ପଢୁଆଁ ଗ୍ରାମର ମନୋଜ ଦାସଙ୍କ ଝିଅ ବୋଲି ସୂଚନା ମିଳିଛି। ଲିପି ନିଜ ମା’ ସହିତ କିଛି ବର୍ଷ ଧରି ମାମୁଁଘର ପାରା ଗ୍ରାମରେ ରହୁଥିଲା। ବୁଧବାର ସନ୍ଧ୍ୟାରେ ଲିପି ଟିଭି ଦେଖୁଥିବା ବେଳେ ମା’ ଆକଟ କରିଥିଲେ। ମା’ ର ଆକଟକୁ ବୁଝି ନ ପାରି ମାନସିକ ଭାରସାମ୍ୟ ହରାଇ ବିଷ ପିଇଦେଇଥିଲା।
ପରିବାର ପକ୍ଷରୁ ତାକୁ ବୁଧବାର ରାତିରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଗୁରୁବାର ସକାଳେ ସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଘରକୁ ନେଇ ଯାଇଥିଲେ। କିଛି ଘଣ୍ଟା ପରେ ଲିପି ପୁଣି ଅସୁସ୍ଥ ହୋଇ ପଡ଼ିଲା। ପରିବାର ପକ୍ଷରୁ ପୁଣି ଡାକ୍ତରଙ୍କ ପରାମର୍ଶ ନେଇ ଖାଇବାକୁ ଦେଇଥିଲେ। ହେଲେ ସ୍ଵାସ୍ଥ୍ୟ ଅଵସ୍ଥା ଲିପିର ଆହୁରି ବିଗିଡ଼ି ଯାଇଥିଲା। ଶେଷରେ ଡାକ୍ତରଖାନାକୁ ଲିପିକୁ ଆଣି ଚିକିତ୍ସା କରାଗଲା। ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ଥିଲେ ଲିପିର ମାମୁ ଘର ପରିବାର ଓ ସମ୍ପର୍କୀୟ ଡାକ୍ତରଙ୍କ ଅବହେଳାକୁ ନେଇ ଦାୟୀ କରିଥିଲେ। ଡାକ୍ତରଖାନାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଁଚି ପରିସ୍ଥିତି ଉପରେ ନଜର କରିବା ସହ ମୃତ ଦେହକୁ ଜବଦକରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ଅନ୍ୟପଟେ ଡାକ୍ତରଙ୍କ ଭୁଲ ନିଷ୍ପତି ପାଇଁ ଲିପି ଜୀବନ ସହିତ ସଂଗ୍ରାମକରି ହାରିଗଲା ବୋଲି ଅଭିଯୋଗକରି ମାମୁଁ ମାନସ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।



