www.samajalive.in
Saturday, December 6, 2025
23.1 C
Bhubaneswar

ଜାତୀୟତାବାଦୀ କବି ବାଞ୍ଛାନିଧିଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ, ଦେଶପ୍ରେମର ବହ୍ନି ଜାଳିଥିବା କବିଙ୍କୁ ସମ୍ମାନ ଦେଇପାରିଲାନି ପ୍ରଶାସନ

ବାସୁଦେବପୁର : ସ୍ୱାଧୀନତା ଆନ୍ଦୋଳନର କାଣ୍ଡାରୀ କବି ବାଞ୍ଛାନିଧି ମହାନ୍ତିଙ୍କ ପ୍ରତିମୂର୍ତ୍ତିକୁ ପ୍ରଶାସନ ଭାଙ୍ଗିବା ଘଟଣା ବାସୁଦେବପୁରବାସୀଙ୍କୁ ଶକ୍ତ ଆଘାତ ଦେଇଛି। ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ବାଞ୍ଛାନିଧି ପ୍ରେମୀ। ପୂଜ୍ୟ ପୂଜାକୁ ଅସମ୍ମାନ ନେଇ ପ୍ରଶାସନ ଉପରକୁ ସବୁଠି ଅଙ୍ଗୁଳି ଉଠିଛି। ଧାରଣା ପ୍ରତିବାଦକୁ ନେଇ ସ୍ୱର ତିବ୍ର ହେବାରେ ଲାଗିଛି। ସହରର ମୁଖ୍ୟ ପ୍ରବେଶ ଦ୍ୱାରରେ ସଂଗ୍ରାମୀ ମାଟିକୁ ପରିଚିତ କରାଉଥିବା କବିଙ୍କ ପରିଚୟ ଲିଭିଜାଇଛି। ଦିନେ ଯେଉଁ କବି ଦେଶପ୍ରେମର ବହ୍ନି ଝରାଉଥିଲେ, ଆଜି ସେହି କବିଙ୍କୁ ଏମାଟି ସନ୍ତାନ ଝୁରୁଛନ୍ତି।

ସ୍ୱାଧୀନତା ସଂଗ୍ରାମୀ କବି ବାଞ୍ଛାନିଧି ବିଏ ବିଏଲ(ଏଲଏଲବି) ଶିକ୍ଷା ଗ୍ରହଣ କରିଥିଲେ। ପାଠପଢ଼ା ଭିତରେ ବି ପରୋକ୍ଷ ଭାବେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସବୁବେଳେ ବ୍ରିଟିସଙ୍କୁ ବିରୋଧ କରିଆସିଥିଲେ। ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୩୦ରେ ଲବଣ ସତ୍ୟାଗ୍ରହରେ ସାମିଲ ହୋଇ କାରାବରଣ କରିବା ସହ ଦୁଇଶହ ଟଙ୍କା ଜୋରିମାନା ଦେଇଥିଲେ। ବିପ୍ଳବୀ କବିତା ଲେଖି ଗାଁରେ ପ୍ରଚାର କରିଥିଲେ। ସେ ସମୟରେ ଉତ୍କଳବୀଣା ଭାଗ ଏକ, ଉତ୍କଳବୀଣା ଭାଗ ଦୁଇ କବିତା ଖଣ୍ଡ ସଂଗ୍ରାମୀଙ୍କୁ ଦେଶପ୍ରେମର ବଳ ଜୁଟାଇଥିଲା। ଏହି ବହି ଦୁଇଖଣ୍ଡକୁ ବ୍ରିଟିସ ସରକାର ବ୍ୟାନ କରିବା ସହ ହାତେଇ ନେଇଥିଲେ। ତଥାପି ତାଙ୍କ କମଲ ନିରବି ନଥିଲା। ଦେଶପ୍ରେମୀଙ୍କୁ ଉଦ୍‌ବୁଦ୍ଧ କରିବାକୁ କଲମ ଚଳାଇଥିଲେ। ପରାଧୀନ ଭାରତବାସୀଙ୍କ ମୁହଁରେ ଟିକେ ହସ ଦେଖିବାକୁ ସେହି ୧୯୩୦ ମସିହାରେ ସେ ଲେଖିଥିଲେ ‘ଗାଅ ସ୍ୱାଧୀନ ଭାରତ…ସ୍ୱାଧୀନ ଭାରତ.. ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ’।

- Advertisement -

୧୯୩୮ମସିହାରେ ଏପ୍ରିଲ ୧୯ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ବ୍ରିଟିସ ସରକାରଙ୍କୁ ବିରୋଧ କରି ତାଙ୍କ ଅନୁଗାମୀ ୧୯୪୨ ସେପ୍ଟେମ୍ବର ୧୭ତାରିଖରେ ବାସୁଦେବପୁର ନଈଘେରଦ ଅଞ୍ଚଳର ଛଅ ପଞ୍ଚାୟତ ୧୯ ବର୍ଗ ମାଇଲ ଅଞ୍ଚଳକୁ ନେଇ ତାଙ୍କ ନାମରେ ସ୍ୱାଧୀନରାଷ୍ଟ୍ର ବାଞ୍ଛାନିଧି ଚକଲା ଗଠନ କରିଥିଲେ। ସେଠାରେ ଚାଲିଥିଲା ଏକ ସମାନ୍ତରାଳ ସରକାର। ଚକଲାରେ ରହିଥିଲା ଗୁପ୍ତଚର, ରସଦ ପରି ବିଭିନ୍ନ ବିଭାଗ। ଏହି ବିଭାଗ ଦ୍ୱାରା ନିଜେ ନିଜକୁ ଶାସନ କରୁଥିଲେ। ଏହି ବିପ୍ଳବୀ ଓ ସ୍ୱାଭିମାନ କବିଙ୍କ ମହାନତାକୁ ସମ୍ମାନ ଜଣାଇ ବାସୁଦେବପୁର ଅଞ୍ଚଳର ଜନସାଧାରଣ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଛକରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ। ସହରରେ ଯେକୌଣସି କାର୍ଯ୍ୟକ୍ରମ ହେଲେ ବି ଏହି କବିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରୁଥିଲେ ନେତାଠାରୁ ସାଧାରଣ ଜନତା। ତେବେ ରାସ୍ତା ସମ୍ପ୍ରସାରଣ ନାମରେ ପ୍ରଶାସନ ଯେପରି କବିଙ୍କ ପ୍ରତିମୂର୍ତ୍ତିର ମୁଣ୍ଡଗଣ୍ଡି ଅଗଲା କରି ଖଣ୍ଡବିଖଣ୍ଡିତ କରିଛି ତାହା ବାସୁଦେବପୁରବାସୀଙ୍କୁ ବ୍ୟଥିତ କରିଛି। ଯିଏ ନିଜେ ପରାଧୀନ ଭାରତକୁ ମୁକ୍ତି ପାଇଁ କାରାବରଣ କରିବା ସହ କବିତା ମାଧ୍ୟମରେ ଦେଶପ୍ରେମର ବହ୍ନି ଜାଳିଥିଲେ, ତାଙ୍କର ପ୍ରତିମୂର୍ତ୍ତି ଆଜି ପ୍ରଶାସନ ଦ୍ୱାରା ଖଣ୍ଡବିଖଣ୍ଡିତ ହୋଇ ବିଦ୍ୟାଳୟ ପରିସର ପାଚେରୀ ପାଖରେ ପଡି ନିଜର ପରିଚୟ ମାଗୁଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories