ଖୋଳ ହୋଇଯିବ କି ସାହାଜଖୋଲ ଜଙ୍ଗଲ ?

ଭବାନୀପାଟଣା :କଳାହାଣ୍ଡି , ନବରଙ୍ଗପୁର ସୀମାନ୍ତରେ ଥିବା ସାହାଜଖୋଲ ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଏହି ଜଙ୍ଗଲ ସଂପ୍ରତି କାଠ ମାଫିଆଙ୍କ ଚରାଭୁଇଁ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ ଅତୀତରେ ଏହି ଜଙ୍ଗଲରେ ବାଘ, ଭାଲୁ, ସମ୍ବର, ହରିଣ, ବାରହା, ମୟୂର, ଗୋଧୀ, ଝିଙ୍କ, ଠେକୁଆ ସହ ବିଭିନ୍ନ ପ୍ରକାରର ବହୁ ପଶୁ ପକ୍ଷୀ ଏହି ଜଙ୍ଗଲରେ ବସବାସ କରୁଥିଲେ।
କୋକସରା ବ୍ଲକର ଆମପାଣି ଠାରୁ କୋକସରା ଧଅଁରପୁର ପର୍ୟ୍ୟନ୍ତ ଦୀର୍ଘ ୧୨ ହଜାର ୭ ଶହ ୨୨ ହେକ୍ଟର ପରିମିତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଏକଦା ଏଅଞ୍ଚଳର ପାଣିପାଗକୁ ନିୟନ୍ତ୍ରଣ କରିଥିଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଏହି ଜଙ୍ଗଲ ସମ୍ପୂର୍ଣ୍ଣ ଉଜୁଡିବାରେ ଲାଗିଛି। କଳାହାଣ୍ଡି, ନବରଙ୍ଗପୁର ଓ ଛତିଶଗଡ଼ ସୀମାକୁ ସଂଯୋଗ କରୁଥିବା ଏହି ଜଙ୍ଗଲ ଏବେ ଆନ୍ତଃଜିଲ୍ଲା ଏବଂ ଆନ୍ତଃରାଜ୍ୟ ଜଙ୍ଗଲ ତସ୍କରଙ୍କ ଚରାଭୂଇଁ ପାଲଟିଛି । ଅବାଧ ଜନ୍ତୁ ଶିକାର ଫଳରେ ଏବେ କେବଳ ଅଳ୍ପ ସଂଖ୍ୟକ ଭାଲୁ, ବାରହାକୁ ଛାଡିଦେଲେ ଏହି ଜଙ୍ଗଲଟି ଏକ ପ୍ରକାର ଜୀବଜନ୍ତୁ ଶୂନ୍ୟ ହୋଇପଡ଼ିଛି। ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ଏବଂ ଅଧିକ ସଂଖ୍ୟକ ବୃକ୍ଷ ରୋପଣ ନହେବା ଯୋଗୁଁ ଦ୍ରୁତ ଗତିରେ ଜଙ୍ଗଲ କ୍ଷୟ ହେଉଛି। ଏପରିକି ଏଇ ଜଙ୍ଗଲ ଦେଇ ମାଓବାଦୀଙ୍କ ଚଳ ପ୍ରଚଳ ହେଉଥିବା ସତ୍ତ୍ବେ ମାଫିଆଙ୍କ ଉପରେ ଏହାର ପ୍ରଭାବ ପଡିନାହିଁ।

ତେବେ ସାହାଜଖୋଲ ଜଙ୍ଗଲଟି ଖୋଳ ହେବାର ଅନ୍ୟ ଏକ କାରଣ ହେଉଛି ମକା ଚାଷ। ଆମପାଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଟିର୍ଲିଆମ, ଛକପଡା, କାଦୋମଲି, ଶର୍ଗିପାନି, ଲେଖାଆମ, ଗିରଲିମାଲ ଅଞ୍ଚଳରେ ପଡୋଶୀ ଜିଲ୍ଲାର ଅନେକ ଲୋକ ଆସି କ୍ରମଶଃ ହଜାର ହଜାର ହେକ୍ଟର ଜଙ୍ଗଲ କାଟି ପଦା କରିବାରେ ଲାଗିଛନ୍ତି । ସେହିପରି ବେହେରା ଫରେଷ୍ଟ ସେକ୍ସନର ଡୋକରୀଚଞ୍ଚରା ଯିବା ରାସ୍ତାର ଦୁଇକଡ ଏବଂ ଭଟାପେନ, ଡୁମେରପେନ ଅଞ୍ଚଳରେ ବ୍ୟାପକ ଗଛ କାଟି ମକାଚାଷ ହେଇଥିବା ଦେଖିବାକୁ ମିଳୁଛି।
ସୂଚନା ଅନୁଯାୟୀ ପଡୋଶୀ ନବରଙ୍ଗପୁର, ରାୟଗଡ଼ା , କୋରାପୁଟ ଅଞ୍ଚଳର ଅନେକ ଲୋକ ଏଠି ମକା ଚାଷ ପାଇଁ ଜଙ୍ଗଲରେ ଅସ୍ଥାୟୀ ଘରକରି ଆଡ୍ଡା ଜମାଇଛନ୍ତି। ଏପରିକି ଉମରକୋଟ, ରାଇଘର ଅଞ୍ଚଳର ବ୍ୟବସାୟୀ ଏବଂ ମହାଜନ ମାନେ ବିଭିନ୍ନ ଅଞ୍ଚଳର ଶ୍ରମିକଙ୍କୁ ମକା ଚାଷରେ ଲଗାଇ ପୁଞ୍ଜି ବିନିଯୋଗ କରନ୍ତି। ଶ୍ରମିକଙ୍କୁ ମକା ବିହନ, ଖତ ସାର ଯୋଗାଇବା ସହିତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରନ୍ତି। ମକା ଉତ୍ପାଦନ ପରେ ସେହି ବ୍ୟବସାୟୀ ବା ମହାଜନ ମାନେ ଶ୍ରମିକଙ୍କ ଠାରୁ ଅଳ୍ପ ମୂଲ୍ୟରେ ମକା କିଣି ନିଅନ୍ତି। ତେବେ ମକା ଅମଳ ପରେ ଶ୍ରମିକ ଅଳ୍ପ ପାଉଣା ପାଉଥିବା ବେଳେ ବ୍ୟବସାୟୀ ମାଲେମାଲ ହେଉଛନ୍ତି। ଏସଂକ୍ରାନ୍ତରେ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ସାହାଜଖୋଲ ଜଙ୍ଗଲର ସୁରକ୍ଷା ଏବଂ ବନୀକରଣ ନାଁରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେହେଁ ଜଙ୍ଗଲ ବୃଦ୍ଧି ହେବା ପରିବର୍ତ୍ତେ ସାହାଜଖୋଲ ଏବେ ଲଣ୍ଡା ପାହାଡରେ ପରିଣତ ହେଲାଣି। ଏଣୁ ଉଭୟ ବନ ବିଭାଗ ଏବଂ ଜଙ୍ଗଲ ସୁରକ୍ଷା ସମିତି ଆଗକୁ ଏଦିଗରେ ସଚେତନ ନହେଲେ ସାହାଜଖୋଲ ଜଙ୍ଗଲ ସମ୍ପୂର୍ଣ୍ଣ ଅସ୍ତିତ୍ଵ ହରାଇବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

Comments are closed.