ଘୁମୁରା ଉତ୍ସବ : ପାର୍ବାରେ ପ୍ରବଳ ଭିଡ଼

ଭବାନୀପାଟଣା : ପର୍ବ ଅର୍ଥାତ୍ ଆଦିବାସୀ ଭାଷାରେ ପାର୍ବା। ପୁଣି କଳାହାଣ୍ଡିର ଅତୀତ ଗଡ଼ଜାତ ସହିତ ଜଡ଼ିତ। ଗଡ଼ଜାତ ଅମଳର ଛାପ କଳାହାଣ୍ଡିରେ ଆଜି ମଧ୍ୟ ଦେଖିବାକୁ ମିଳେ। ସେଥିପାଇଁ କଳାହାଣ୍ଡି ଉତ୍ସବ ଘୁମୁରାର ଆୟୋଜନ ବେଳେ ମୁଖ୍ୟ ମଞ୍ଚ ସହିଦ ରେଣ୍ଡୋ ମାଝୀ ମଞ୍ଚ ବ୍ୟତୀତ ଉତ୍ସବସ୍ଥଳୀରେ ଆଉ ଏକ ମଞ୍ଚ ରହିଛି। ଯାହା ଆଦିବାସୀ ଲୋକ କଳା ଏବଂ ସଂସ୍କୃତିକୁ ଉଦ୍‌‌ଜୀବିତ ରଖିବାରେ ସହାୟକ ହୁଏ। ତାହା ହେଲା ପାର୍ବା ମଞ୍ଚ, ଯାହା ରାଜ୍ୟର ଅନ୍ୟ ଲୋକ ମହୋତ୍ସବ ଠାରୁ ନିଜର ସ୍ୱତନ୍ତ୍ରତା ବଜାୟ ରଖେ।
କାରଣ ରାଜ୍ୟର ଅନ୍ୟ ଲୋକ ମହୋତ୍ସବରେ ଗୋଟାଏ ମଂଚ ଥିବାବେଳେ ଭବାନିପାଟଣା ଘୁମୁରା ଉତ୍ସବ ସ୍ଥଳୀରେ ମୁଖ୍ୟ ମଂଚ ସହିତ ଏକ ଖୋଲା ମଂଚ ମଧ୍ୟ ରହିଛି। କେବଳ ଲୋକ କଳା, ଲୋକ ନୃତ୍ୟ ସହିତ ହଜି ଯାଉଥିବା ଅନେକ ନୃତ୍ୟ ନିମନ୍ତେ ଏକ ନିଆର ପରିକଳ୍ପନା ହେଉଛି ପାର୍ବା ମଞ୍ଚ। ଏଥିରେ ଅଗଣିତ ଶିଶୁ କଳାକାର ମଧ୍ୟ ନିଜ ପ୍ରତିଭା ଦେଖାଇବାକୁ ସୁଯୋଗ ପାଆନ୍ତି। ମୁଖ୍ୟତଃ ମାଦଳି, ବାନବାଡି, ଘୁଡକା,ଶିଶୁ ଘୁମୁରା, ସମେତ ଅନ୍ୟ ଜିଲ୍ଲାର ଢେମାସ ,ଦଣ୍ଡନୃତ୍ୟକୁ ଏହି ମଞ୍ଚରେ ପ୍ରାଧାନ୍ୟ ଦିଆଯାଏ।
କେବଳ ଏତିକି ନୁହେଁ ବିଭିନ୍ନ ରାଜ୍ୟର ଲୋକ ନୃତ୍ୟକୁ ମଧ୍ୟ ଏହି ମଞ୍ଚରେ ସୁଯୋଗ ଦେବା ସହ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବାର ସୁଯୋଗ ସୃଷ୍ଟି ହୁଏ। ଏସବୁ ନିର୍ଦ୍ଦିଷ୍ଟ ନୃତ୍ୟ ଦେଖିବାକୁ ପାର୍ବା ମଞ୍ଚ ନିକଟରେ ପ୍ରତି ସନ୍ଧ୍ୟାରୁ ଦର୍ଶକଙ୍କ ପ୍ରବଳ ଭିଡ ହୁଏ। ଏଥି ସହିତ ଆଗାମୀ ପିଢ଼ିକୁ ପ୍ରଶିକ୍ଷିତ କରେ ଏହି ମଞ୍ଚ। ବିଶେଷତଃ ଶିଶୁ ପ୍ରତିଭା ମାନଙ୍କୁ କଳାହାଣ୍ଡିର ସାଂସ୍କୃତିକ ବିଭବ ଭାବେ ପରିଗଣିତ କରିବାକୁ ପାଦରେ ଘୁଙ୍ଗୁର ବାନ୍ଧି ନାଚିବାକୁ ପ୍ରଥମେ ସୁଯୋଗ ଦିଏ ପାର୍ବା ମଞ୍ଚ। ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମ୍ ରେ ଘୁମୁରା ଉତ୍ସବର ଚାରି ଦିନ ଯାକ ପ୍ରତିଦିନ ପ୍ରାୟ କୋଡ଼ିଏରୁ ପଚିଶି ସାଂସ୍କୃତିକ ଦଳ ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରନ୍ତି। ଆଞ୍ଚଳିକ ଭାଷାରେ ଉଦ୍ଘୋଷକ ମାନଙ୍କ ମଞ୍ଚ ପରିଚାଳନା, ଖୁବ୍ ନିକଟରୁ ନୃତ୍ୟ ଦେଖିବାର ସୁଯୋଗ ଏବଂ ଖୋଲାମଞ୍ଚ ହିଁ ଏଠାକୁ ଦର୍ଶକଙ୍କୁ ଟାଣିଆଣେ। ସର୍ବୋପରି ମୁଖ୍ୟ ମଞ୍ଚରେ ସାଂସ୍କୃତିକ ସଭା ଜନିତ ବିଳମ୍ବ ଯୋଗୁଁ ପାର୍ବା ମଞ୍ଚ ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟେ। ଏସବୁ କାରଣ ପାଇଁ ଲୋକମୁଖରେ ଏହି ମଞ୍ଚ ଲୋକନୃତ୍ୟ ଏବଂ ଲୋକ ସଙ୍ଗୀତର ସଙ୍ଗମ ସ୍ଥଳୀର ମାନ୍ୟତା ପାଇବା ସହ କ୍ରମଶଃ ଦର୍ଶକୀୟ ଆଦୃତି ଲାଭ କରୁଛି।

Comments are closed.