ବ୍ରହ୍ମପୁର: ଖରିଫ ଚାଷ ଜୋର୍ସୋର୍ରେ ଚାଲିଥିବା ବେଳେ ଜିଲାର ଚାଷୀଙ୍କୁ ସାର ମିଳୁନି। ଯାହା ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାକୁ ନେଇ ବୁଧବାର ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା କିଷାନ କଂଗ୍ରେସ ତରଫରୁ ବିକ୍ଷୋଭ ସହ ଦାବିପତ୍ର ପ୍ରଦାନ କରାଯାଇଛି। ସଂଗଠନ ତରଫରୁ କୁହାଯାଇଛି ଯେ, ଅଧ୍ୟକ ଅମଳ ପାଇଁ ସାରର ଆବଶ୍ୟକତା ଏକାନ୍ତ ଜରୁରୀ। କିନ୍ତୁ ଚଳିତ ଖରିଫ ଚାଷରେ ଆବଶ୍ୟକ ପରିମାଣର ସାର ଚାଷୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଚାଷ କାର୍ଯ୍ୟ ବାଧାପାପ୍ତ ହେବାକୁ ଯାଉଛି। ବର୍ତ୍ତମାନ ରୁଆ ବେଉଷଣର ସମୟ। ଏହି ସମୟ ଭିତରେ ଚାଷୀ ସାର ନ ପାଇଲେ କରିବେ କଣ।
କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର, ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଇବା ଓ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କ ନିକଟରେ ସାର ପହଞ୍ଚାଇବା ପ୍ରମୁଖ ଦାୟିତ୍ବ। ଯଦି ସରକାରଙ୍କ ଘୋଷଣା ଓ ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କ ଆୟ ୨୦୨୨ ମସିହା ବେଳକୁ ଦୁଇଗଣା ହେବ, ତେବେ ଶସ୍ୟ ଉତ୍ପାଦନ ପାଇଁ ସାରର ନିଅଣ୍ଟିଆ ପରିସ୍ଥିତି ରହୁଛି କାହିଁକି। ଏପ୍ରିଲଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଖରିଫ ଚାଷରେ ୟୁରିଆ, ଡିଏପି, ଏନପିକେ,ଏମଓପି ଏପରି ମୋଟ ୯ ଲକ୍ଷ ମେଟ୍ରିକ ଟନ୍ ସାର ପ୍ରୟୋଗ କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ଜୁଲାଇ ୩୧ ତାରିଖ ସୁଦ୍ଧା ଓଡ଼ିଶା କେନ୍ଦ୍ରରୁ ମାତ୍ର ୩ଲକ୍ଷ ୯୦ ହଜାର ୯୭୦ ମେଟ୍ରିକ୍ ଟନ୍ ସାର ପାଇଛି। ରାଜ୍ୟର ଭାଗ ଅନୁଯାୟୀ ଗତ ଜୁଲାଇ ୩୧ ତାରିଖ ସୁଦ୍ଧା ୫ ଲକ୍ଷ ୫୭ ହଜାର ମେଟ୍ରିକ୍ ଟନ୍ ସାର ଓଡ଼ିଶା ପାଇବା କଥା। କିନ୍ତୁ ଜୁଲାଇ ଶେଷ ସୁଦ୍ଧା ରାଜ୍ୟ ଆଉ ୨ ଲକ୍ଷ ୩୦ ହଜାର ମେଟ୍ରିକ ଟନ୍ ସାର ପାଇ ନାହିଁ। ଆବଶ୍ୟକ ପରିମାଣର ସାର ମିଳୁନଥିବା ଯୋଗୁ ଚାଷୀମାନେ ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ସ୍ଥାନରେ ସାରର ବ୍ୟାପକ କଳାବଜାରୀ ହେଉଛି। ଏଣୁ ତୁରନ୍ତ ସାର ଯୋଗାଇଦେବା ପାଇଁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବୃନ୍ଦାବନ ଖଟେଇ, ପୀତବାସ ପଣ୍ଡା, ପ୍ରମୋଦ ଜେନା, ଭୋକାଲି ସେଠୀ, ସାଇ ପ୍ରସାଦ ପାତ୍ର, ବିଚିତ୍ରା ନନ୍ଦ ବେଵର୍ତା, ସଂଗ୍ରାମ ରାଉତ, ଶ୍ରୀକାନ୍ତ ପାତ୍ର, ପ୍ରସନ୍ନ ସାହୁ, ସୁବାସ ଚନ୍ଦ୍ର ବେହେରା, ପର୍ଶୁରାମ ପାତ୍ର ଏବଂ ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



