Patra electronics

ନରେନ୍ଦ୍ରପୁରରେ ଅତ୍ୟାଧୁନିକ ଏମ୍‍ଏସ୍‍ଏସ୍‍ ରେଡାର ଉଦ୍‍ଘାଟିତ

ଚିହ୍ନଟ ହୋଇପାରିବ ଦିଗ ଓ ବିମାନର ପରିଚୟ

ବ୍ରହ୍ମପୁର : ଏୟାର ପୋର୍ଟ ଅଥରିଟି ଅଫ୍‍ ଇଣ୍ଡିଆ ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁରଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମନୋପଲ୍‍ସ ସେକେଣ୍ଡାରୀ ସର୍ଭିଲାନ୍ସ ରାଡାର (ଏମ୍‍ଏସ୍‍ଏସ୍‍ଆର୍‍) ଉଦ୍‍ଘାଟିତ ହୋଇଛି। ଏହି ରେଡାରର ପରିଧି ହେଉଛି ୨୫୦ ନଟିକାଲ ମାଇଲ। କୋଲକାତାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଲମ୍ବିଥିବା ଆକାଶ ସହ ସମୁଦ୍ର ଉପରେ ଯାଉଥିବା ଯେକୌଣସି ଏୟାରକ୍ରାଫ୍ଟକୁ ଏହି ରେଡାର ଦ୍ୱାରା ଚିହ୍ନଟ କରାଯାଇପାରିବ। ସେହିପରି ବିମାନ ସହ ସମ୍ପର୍କ ସ୍ଥାପନ ଏବଂ ଏହାର ସ୍ଥିତି, ଏହା କେଉଁ ଦେଶର, ସେଥିରେ କେତେ ଯାତ୍ରୀ ଅଛନ୍ତି, କେଉଁ ଦିଗରେ ଯାଉଛି ତାହା ଜାଣିବା ସହଜ ହେବ।

ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ୨୦୦୨ରେ ନରେନ୍ଦ୍ରପୁରଠାରେ ବୈମାନିକ ଯୋଗାଯୋଗ କେନ୍ଦ୍ର ତଥା ଏମ୍‍ଏସ୍‍ଏସ୍‍ଆର ସାଇଟ ସ୍ଥାପନ ସହ କାର୍ଯ୍ୟକ୍ଷମ କରାଯାଇଥିଲା। ୩-ସି ଏବଂ ୩-ଏ ମୋଡ୍‌ରେ ଚାଲୁଥିବା ରେଡାର ସାହାଯ୍ୟରେ ଏୟାରକ୍ରାଫ୍ଟକୁ ଚିହ୍ନଟ କରାଯିବା ସହ ଏହା କେତେ ଉଚ୍ଚତାରେ ଉଡୁଛି ତାହା ଜାଣି ହେଉଥିଲା; ହେଲେ ବର୍ତ୍ତମାନ ଏଠାରେ ସ୍ଥାପନ ହୋଇଥିବା ଅତ୍ୟାଧୁନିକ ଏମ୍‍ଏସ୍‍ଏସ୍‍ଆର ରେଡାର ଏସ୍‌ ମୋଡ୍‌ରେ ଚାଲିବା ସହ ଏହାରି ସାହାଯ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇ ପାରିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରେଡାରକୁ ଉଦଘାଟନ କରିବା ପାଇଁ ଗୁରୁବାର ଅପରାହ୍ନରେ କେନ୍ଦ୍ର ପରିସରରେ ଏକ ଉତ୍ସବ ଆୟୋଜନ କରାଯାଇଥିଲା। ଉତ୍ସବରେ ନୂଆଦିଲ୍ଲୀସ୍ଥିତ କର୍ପୋରେଟ କାର୍ଯ୍ୟାଳୟରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ସିଏନ୍‍ଏସ୍‍-ପି) ଏ.କେ.ବାନାର୍ଜୀ ଉଦ୍‌ଘାଟକ ଭାବେ ଯୋଗ ଦେଇଥିବାବେଳେ କୋଲକାତାସ୍ଥିତ ପୂର୍ବାଞ୍ଚଳ ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏସ.ପି.ଯାଦବ, ସାଧାରଣ ପରିଚାଳକ(ଇଞ୍ଜିନିୟରିଂ) ଓ ସାଧାରଣ ପରିଚାଳକ(ସିଏନ୍‍ଏସ୍‍) ସୁଧାମୟ ମାଇତି ଅତିଥି ଭାବେ ଯୋଗ ଦେଇଥିଲେ। ନୂତନ ଭାବେ ସ୍ଥାପନ ହୋଇଥିବା ରେଡାର ଓ କମ୍ପ୍ୟୁଟର ସହ ଅନ୍ୟାନ୍ୟ ଯନ୍ତ୍ରପାତିକୁ ପୂଜାର୍ଚ୍ଚନା କରାଯାଇଥିଲା। ଭାରତରେ ବୃହତ୍ତ ଆକାଶପଥ ରହିଥିବା ବେଳେ ଏୟାରକ୍ରାଫ୍ଟଗୁଡ଼ିକ ସୁରକ୍ଷିତ ଭାବେ ଯିବାଆସିବା ପାଇଁ ଦିନକୁଦିନ ଅତ୍ୟାଧୁନିକ ଜ୍ଞାନକୌଶଳ ବିନିଯୋଗ କରାଯାଉଛି ବୋଲି ଶ୍ରୀ ମାଇତି କହିଥିଲେ। ଏହି କେନ୍ଦ୍ରରୁ ବିଭିନ୍ନ ପ୍ରକାରର ତଥ୍ୟ କୋଲକାତାସ୍ଥିତ ଏୟାର ଟ୍ରାଫିକ ନିୟନ୍ତ୍ରଣ କକ୍ଷକୁ ପଠାଯିବା ସହ ଦେଶର ଯେକୌଣସି ନିୟନ୍ତ୍ରଣ କକ୍ଷ ସହ ତଥ୍ୟ ଆଦାନପ୍ରଦାନ କରାଯାଇ ପାରିବ ବୋଲି ଏଠାରେ ସୂଚନା ଦିଆଯାଇଥିଲା। ନରେନ୍ଦ୍ରପୁର ବୈମାନିକ ଯୋଗାଯୋଗ କେନ୍ଦ୍ରର କମ୍ୟୁନିକେସନ, ନାଭିଗେସନ ଓ ସର୍ଭିଲାନ୍ସ(ସିଏନ୍‍ଏସ୍‍) ଭାରପ୍ରାପ୍ତ ଅଧିକାରୀ ତଥା ଯୁଗ୍ମ ସାଧାରଣ ପରିଚାଳକ ବଂଶୀଧର ଆରୁଖଙ୍କ ତତ୍ତ୍ୱାବଧାନରେ ଉତ୍ସବ ଆୟୋଜନ କରାଯାଇଥିଲା।

Comments are closed.