ପୁଣି ଚାଖିଆ ଲେଉଟିଲା

ଉଦ୍ୟମ ସର୍ବଦା ଓ ସର୍ବଥା ବାଞ୍ଛନୀୟ। କୁହା ବି ତ ଯାଇଛି ‘ଉଦ୍ୟମେନ ହି ସିଦ୍ଧ୍ୟନ୍ତି କାର୍ଯ୍ୟାଣି ନ ମନୋରଥୈଃ, ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ।’’ ଅର୍ଥାତ୍‌ ବିନା ଉଦ୍ୟମ, ଶ୍ରମ ଓ ପ୍ରଚେଷ୍ଟାରେ ଖାଲି ସପନ ଦେଖିଲେ, ଖାଲି ମନକଲେ କୁ କାର୍ଯ୍ୟ ସାଧିତ ହୋଇଥାଏ? କାରଣ ଶୋଇଥିବା ସିଂହ ପାଟିରେ ମୃଗ କୋଉ ପଶିଯାଏ? ପୁଣି ବି କୁହାଯାଇଛି, ‘‘ଭାଙ୍ଗ ଭାଙ୍ଗ ମୁଖେ କହି, ଧାଇଁଲେ କି କେବେ ନିଶା ହୁଅଇ ମୋ ବାଇଧନ, ତାକୁ ଘୋରି ପିଇବାର ଚାହି। ଈଶ୍ବର ଈଶ୍ବର କରି, କେବେ କେହି ପାଇଥାଏ କି ହରି ମୋ ବାଇଧନ, ସାଧନା ମୂଳ ସବୁରି।’’ ତେବେ ‘ସାଧନ’ର ଗୁଣାଗୁଣ ଅନୁଗତ ‘ସାଧନା’ ନ ହେଲେ ଶ୍ରମ ବ୍ୟର୍ଥ ଓ ବିଭ୍ରାନ୍ତ ହୋଇଥାଏ। ବିଫଳ ବା ବ୍ୟର୍ଥତାକୁ ‘ଚଷୁକୁଟା’ ବୋଲି କହିଥା’ନ୍ତି। ଧାନ କୁଟାଗଲେ ଚାଉଳ ବାହାରେ, ଏଥିପାଇଁ ଜଣେ ଚଷୁ କୁଟିଲେ କୁ ଚାଉଳ ବାହାରିବ? ସେଥିପାଇଁ ଅନୁକରଣ, ଅନୁସରଣ ଲକ୍ଷ୍ୟଭିତ୍ତିକ ନ ହେଲେ ଉପହସିତ ହୋଇଥାଏ। ଚିର ଅମଳିନ କବି, କବିସୂର୍ଯ୍ୟ ବଳଦେବ ଏଇ କଥା ସବୁକୁ ନେଇ ‘ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ’ କବିତା ଲେଖିଛନ୍ତି। ତାଙ୍କ ଏ ଚେତନା ବା ଇଲମ ସୃଷ୍ଟିକାରୀ କବିତାରୁ ପଦେ ଉଦ୍ଧୃତ କରାଯାଇପାରେ, ‘‘ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ, ନିଜ ତୁଣ୍ଡେ ମଣ୍ଡି ଖଣ୍ଡ ମୃଣାଳ, ଚାଲୁ ପୂର୍ବ ଅଙ୍ଗ ବୁଲାଇ ବକୀ, ତେବେ ସେ ମରାଳୀ ବୋଲାଇବ କି? ଜଗତେ କେବଳ ଜନେ ହସିବେ ଏହି ତହୁଁ ଫଳ।’’ ‘ଗୁରୁ ଶିଷ୍ୟ’ର ସମ୍ବନ୍ଧ ସେଇଆ। କୌଣସି ଶିକ୍ଷାଲାଭ ପାଇଁ ଶିଷ୍ୟର ଯୋଗ୍ୟତା ମପା ଯେମିତି ସର୍ବନିମ୍ନ ଆବଶ୍ୟକତା, ସେମିତି ଏ ଜ୍ଞାନ ପାଇଁ ଉପଯୁକ୍ତ ‘ଗୁରୁ’ର ଆବଶ୍ୟକତା ଓ ମନୋନୟନ ଏକ ପ୍ରମୁଖ ବ୍ୟାପାର। ‘ଅପାତ୍ରରେ ଦାନ’, ନଷ୍ଟ ବୋଲି କୁହାଯାଇଛି। ସେଇଥି ପାଇଁ କି, ଦ୍ରୋଣାଚାର୍ଯ୍ୟ ଏକଲବ୍ୟକୁ ଶିଷ୍ୟ ଭାବେ ଗ୍ରହଣ କରି ନ ଥିଲେ। ପର୍ଶୁରାମଙ୍କଠାରୁ ବିଦ୍ୟାଶିକ୍ଷା ବ୍ରାହ୍ମଣ ବିନା କେହି ଲାଭ କରି ପାରିବନି ବୋଲି ସର୍ତ୍ତାନୁଯାୟୀ କର୍ଣ୍ଣ ଏ ବିଦ୍ୟାରୁ ବଞ୍ଚିତ ହେବେ ଜାଣି ପର୍ଶୁରାମଙ୍କୁ ବ୍ରାହ୍ମଣର ମିଛ ପରିଚୟ ଦେଇ ଶେଷକୁ ଧରାପଡ଼ି ଅଭିଶାପ ପାଇବା କଥା ପୁରାଣ ପ୍ରସିଦ୍ଧ। କିଳାଟାକୁ ଡାକିଆଣି ପୂରେଇବା କଥା ଯାହା। ଛାଡ଼ନ୍ତୁ ସେ ସବୁ ଭିନ୍ନ ଏକ ପ୍ରସଙ୍ଗ। ପୁଣ୍ୟଶ୍ଳୋକ ଆଠଗଡ଼ ରାଜା ବିଶ୍ବନାଥ ଜଣେ ସଂସ୍କୃତାନୁରାଗୀ, ଗୁଣଜ୍ଞ ଥିଲେ। ତାଙ୍କ ରାଜସଭାର, ସଭାପଣ୍ଡିତ, ପଣ୍ଡିତ ଭୁବନେଶ୍ବର କବିଚନ୍ଦ୍ରଙ୍କ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ‘ରୁକ୍ମଣୀ ପରିଣୟ’ ଓ ‘ଲକ୍ଷ୍ମଣା ପରିଣୟ’ ଦୁଇ ମହାକାବ୍ୟ ଅନ୍ତର୍ଜାତୀୟ ଖ୍ୟାତି ରାଜା ବିଶ୍ବନାଥଙ୍କୁ ଆଣିଦେଇଥିଲା। ରାୟପୁର ରାଜକୁମାର ମହାବିଦ୍ୟାଳୟରୁ ଇଂରାଜୀ ଓ ରାଜକୀୟ ସଂସ୍କୃତି ଶିକ୍ଷା ଲାଭ କରି ଫେରିଥିବା, ରାଜକୁମାର ‘ରାଧାନାଥ’ଙ୍କୁ ସଂସ୍କୃତ ଶିକ୍ଷା ଦେବାକୁ ରାଜା ବିଶ୍ବନାଥ ଚାହିଁଥିଲେ। ଏବେ ଯେମିତି ଏ ଲୋକପ୍ରିୟ ସରକାର ଯୁବକମାନଙ୍କୁ ସଂସ୍କାର ଓ ନୈତିକତା ଦେବାକୁ ବାହାରିଛନ୍ତି। ସେ କବିଚନ୍ଦ୍ରଙ୍କୁ ଏଥିପାଇଁ ଗୃହ ଶିକ୍ଷକ ନିଯୁକ୍ତ କରି ସଂସ୍କୃତ ପଢ଼ାଇବାକୁ ଅନୁରୋଧ କଲେ। ୟେ ବି ଗୋଟେ ସମ୍ମାନ ବୋଲି ରାଜା ଭାବିଲେ। ନିର୍ଦିଷ୍ଟ ଦିନ କବିଚନ୍ଦ୍ର ରାଜବାଟୀ ମଧ୍ୟସ୍ଥ ପଢ଼ା ବଖରାରେ ପହଞ୍ଚି, ଏ ରାଜଛାତ୍ରଙ୍କୁ ଅପେକ୍ଷା କଲେ। ଅଳ୍ପ ସମୟ ମଧ୍ୟରେ ଯୁବରାଜ ପହଞ୍ଚିଲେ। ଲୁଙ୍ଗି ଉପରେ କମିଜ୍‌ ଓ ହାତରେ ସିଗାରେଟ୍‌ ଧରିଥିବା ଏ ଯୁବରାଜ ସାହେବୀ ଢଙ୍ଗରେ କବିଚନ୍ଦ୍ରଙ୍କୁ ‘ଗୁଡ଼ମର୍ଣ୍ଣିଂ’ କହିଲେ। କବିଚନ୍ଦ୍ର ତ ସହଜେ ରାଗୀ, ଛାତ୍ରଙ୍କୁ ଲୁଙ୍ଗିପିନ୍ଧା, ସିଗାରେଟ ଟଣା ଓ ହାତହଲା ଗୁଡ଼ମର୍ଣ୍ଣିଂ ମୁଦ୍ରାରେ ଦେଖି କବିଚନ୍ଦ୍ରଙ୍କ ରାଗ ତଳିପାରୁ ତାଳୁକୁ ଉଠିଗଲା। ସେ ତାଙ୍କ ବିସ୍ଫାରିତ ଆଖିରେ ଛାତ୍ର ରାଧାନାଥଙ୍କୁ ଥରେ ପାଦଠାରୁ ମୁଣ୍ଡ ଯାଏ ଦେଖିନେଇ, ଏକ ହୁଁରେ କହିଲେ, ‘‘ଆପଣ ପାଠପଢ଼ା ଅବସ୍ଥାରେ ନାହାନ୍ତି, ନଷ୍ଟ ହୋଇଗଲେଣି। ଏଠୁ ଚାଲିଯାଆନ୍ତୁ’’ କହି ନିଜେ ଉଠି ଚାଲିଗଲେ। ରାଜା ବିଶ୍ବନାଥଙ୍କୁ କହିଲେ, ‘‘ବିଦ୍ୟାଶିକ୍ଷା ବା ଅଧ୍ୟୟନ ଏପରି ଭାବେ ହୁଏନି। ସେ ରାଜକୀୟ ଭାବ ଓ ବିଳାସରେ ଅଧ୍ୟୟନ ଅନୁପଯୁକ୍ତ, ନଷ୍ଟ ହୋଇଗଲେଣି।’’ ପରବର୍ତ୍ତୀ କାଳରେ ବ୍ରିଟିଶ ଶାସକର ବିରାଗ ଭାଜନ ହୋଇ ରାଜା ରାଧାନାଥ ରାଜ୍ୟରୁ ନିର୍ବାସିତ ହୋଇଥିଲେ ଓ ସ୍ବାମୀ ଶିବାନନ୍ଦ ସରସ୍ବତୀଙ୍କଠାରୁ ଦୀକ୍ଷା ନେଇ ସ୍ବାମୀ ବିଦ୍ୟାନନ୍ଦ ସରସ୍ବତୀ ବନିଥିଲେ। ସେସବୁ ଭିନ୍ନ ଏକ ପ୍ରସଙ୍ଗ।

ଏବେ ରାଜ୍ୟ ସରକାର ଯୁବକମାନଙ୍କ ଠେଇ ଚରିତ୍ର, ନୈତିକତା ଓ ମଣିଷପଣିଆର ମହାଭାବ ପୂରାଇବାର ଏକ ସାଧୁ ତଥା ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜିର ଏ କଳୁଷିତ ଓ ଉଦ୍‌ଭ୍ରାନ୍ତ ସାମାଜିକ ସ୍ଥିତିରେ ରାଜ୍ୟ ସରକାରଙ୍କ ଏ ମନୋଭାବ ବାସ୍ତବିକ୍‌ ପ୍ରଶଂସନୀୟ। ମାତ୍ର ୟେ ଚଷୁକୁଟା ନ ହେଉ। ନୈତିକତା କି ଚରିତ୍ର ଭୋଟ ବା କିଛି ଉପାଧି, ପଦପଦବୀ ଭଳି ହୋଇଥିଲେ ଏ ବଳଶାଳୀ ସରକାର ଯେନତେନ ପ୍ରକାରେଣ ତାଙ୍କଠି ଲଦି ଦେଇ ପାରିଥାନ୍ତେ। ମାତ୍ର ଚରିତ୍ର, ନୈତିକତା ଆଦି କି କ୍ରିକେଟ ଖେଳରେ ଲାଭ ହୋଇପାରିବ? ଶିକ୍ଷା ଓ ଶିକ୍ଷକ କ’ଣ, ଏ ସରକାର କିଏ ଜନତା ବୁଝିଛନ୍ତି? ଭୋଟ ଦେବା, ନେବା, କ୍ଷମତା ସମ୍ପତ୍ତି ଲାଭ ସୂତ୍ର, ବାଗରେ ରଜା ପ୍ରଜା ସଭିଏଁ ସିଦ୍ଧହସ୍ତ। ୟେ କିନ୍ତୁ ଭିନ୍ନ ଏକ ବିଦ୍ୟା। ମଣିଷର ତ୍ରିବିଧ ଉନ୍ନତି ସାଧନ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ତା’ ହେଲା, ଶାରୀରିକ (Physical), ନୈତିକ (Moral) ଓ ମାନସିକ (Intellectual) ଉନ୍ନତି ପ୍ରଦାନ। ଏଥିରୁ ଗୋଟିଏ କମିଲେ ବିଦ୍ୟା ଅସମ୍ପୂର୍ଣ୍ଣ ହେଲା ବୋଲି ବୁଝିବାକୁ ହେବ। ଏ ତିନି ବିଭାବରେ ସଫଳତା ଥିବା ଜଣେ ହିଁ କେବଳ ଏ ବିଦ୍ୟାର ସଫଳ ଦାନ କରିପାରେ। ବିଡ଼ି ସିଗାରେଟ ଟଣା ନୈଶ ଆସରରେ ମଦ୍ୟପାନ ରତ, ଛାତ୍ରୀ ସହ ଅନୈତିକ ଆଚରଣରେ ଦଣ୍ଡିତ ଲୋକହସା ଓ ପଇସା ପଇସା ବୋଲି ପାଠପଢ଼ା ଛାଡ଼ି ରାଜଧାନୀର ରାଜରାସ୍ତାରେ ବିକ୍ଷୋଭ କରି ପାଣିମାଡ଼ ପୁଲିସଠାରୁ ଖାଉଥିବା ଏ ଶିକ୍ଷକମାନେ ହାଣ୍ଡସେକ୍‌ ଓ ଗୁଡ଼ମର୍ଣ୍ଣିଂ ଶିଖିଥିବା ଓ ଶିଖେଇଥିବା ଛାତ୍ରମାନଙ୍କ ଠେଇ ଏକୁ ପୂରେଇ ପାରିବେ ତ? ଥରେ ବି ଏ କଥା କହିଥିଲୁ ଯେ ଅତ୍ୟଧିକ ମିଠା ଖାଇବା ଦ୍ବାରା ଏକ ମାତ୍ର ପୁତ୍ର ରୁଗ୍ଣ ହୋଇଗଲା ଓ ମିଠାଖିଆ ଶତ ଆକଟ ସତ୍ତ୍ବେ ଛାଡ଼ିପାରିଲାନି। ଜଣେ କହିଲା ସିଦ୍ଧ ପୁରୁଷ ଓ ସଦ୍‌ଗୁରୁ ରାମକୃଷ୍ଣଙ୍କ ପାଖୁ ଯାଅ। ଏମାନେ ଶହେକୋଶ ଦୂର ରାମକୃଷ୍ଣଙ୍କ ମଠରେ ପୁଅକୁ ଧରି ପହଞ୍ଚିଲେ ଓ ସିଧା ତାଙ୍କ ଗୋଡ଼ ତଳେ ପଡ଼ିଯାଇ କାନ୍ଦିକାନ୍ଦି ଏକମାତ୍ର ପୁଅର ରୋଗ କଥା ବର୍ଣ୍ଣନା କଲେ। ଅତ୍ୟଧିକ ମିଠା ପାନ ଓ ତା’ର ମିଠା ପ୍ରତି ଆସକ୍ତିର ଏ ଫଳ ବୋଲି କହିଲେ। ରାମକୃଷ୍ଣ ସବୁ ଶୁଣି ଟିକିଏ ନିରବ ରହିଲେ ଓ ଏକ ମାସ ପରେ ଆସିବାକୁ କହିଲେ। କିଛି ଆଶା ଧରି ସେମାନେ ଫେରି ଯାଇଥିଲେ ଓ ଏକ ମାସ ପରେ ଆସିବାରୁ ରାମକୃଷ୍ଣ ପିଲାଟିକୁ ତାଙ୍କ କୋଳରେ ବସାଇ ତା’ ମୁଣ୍ଡ ଆଉଁଶି କହିଲେ, ‘‘ବାପାରେ, ମିଠା ଏକ ଭଲ ଖାଦ୍ୟ ନୁହଁ, ତୁ ପିତା, କଷା ଖାଇବା ଆରମ୍ଭ କର।’’ ଏତିକିରେ ଏମାନେ ଫେରିଗଲେ, ମାତ୍ର ତାଙ୍କର ଜଣେ ମୁଖ୍ୟ ଶିଷ୍ୟ ତାଙ୍କୁ ପଚାରିଲେ, ‘‘ଗୁରୁଦେବ, ମାସେ ତଳେ ଆସିଥିବା ଏମାନଙ୍କୁ ଯାହା କହି ଫେରାଇଲେ, ତା’ ତ ସେତେବେଳେ କହି ପାରିଥା’ନ୍ତେ। ମୁଁ ଭାବିଲି କିଛି ‘ତାବିଜ୍‌’ କି ଔଷଧ ଆପଣ ଦେବାକୁ ସମୟ ନେଲେ।’’ ରାମକୃଷ୍ଣ ସ୍ମିତହସି କହିଲେ, ‘‘ତମେ ଠିକ୍‌ ପ୍ରଶ୍ନ କରିଚ। ଏହା ବି ତମର ଜାଣିବା ଉଚିତ। ଅନାଚରିତ ଜ୍ଞାନ ଶକ୍ତିହୀନ, ସମ୍ବାଦ ମାତ୍ର। ଏକ ମାସ ତଳେ ମିଠା ପ୍ରତି ମୋର ବି ଦୁର୍ବଳତା ଥିଲା। ନିଜେ ଆକ୍ରାନ୍ତ ରୋଗରେ କି ପ୍ରତିବିଧାନ ମୁଁ ଅନ୍ୟକୁ ଦେଇ ପାରିଥା’ନ୍ତି। ଏ ଏକମାସ ମଧ୍ୟରେ ମୁଁ ମିଠା ପ୍ରତି ଅନାସକ୍ତି ସୃଷ୍ଟି କରି ପାରିଛି। ଏ କଥାନୁସରଣରେ କବି ଲେଖିଲେ, ‘‘ଆଚରଣହୀନ ଜ୍ଞାନ ସମ୍ବାଦ କେବଳ, ଜ୍ଞାନୀ ଆଉ ଜ୍ଞାନ କୁହାଳିଆ, ଜ୍ଞାନୀ ହୃଦେ ସତ୍ୟର ପ୍ରକାଶ ଅନ୍ୟ ହୃଦେ ଭାଷାର ଅଳିଆ’’ ଇତ୍ୟାଦି। ସେଇଥିରୁ ତଉଲା ଯାଉ, ହୃଦୟଙ୍ଗମ କରାଯାଉ ଆମ ଏ ନୂତନ ବ୍ୟବସ୍ଥା ସଫଳତାର ସ୍ବପ୍ନ। ତା’ ପରେ ବିଶ୍ବାମିତ୍ରଙ୍କ କଥା ହେଜାଯାଉ। ରାଜପଦ ଓ ବିଳାସ ଛାଡ଼ି ବହୁ ସାଧନା ପରେ ସେ ରାଜର୍ଷି ଭାବେ ସ୍ବୀକୃତ ହେଲେ। ମାତ୍ର ବ୍ରହ୍ମର୍ଷି ହେବାର ଇଚ୍ଛା ବହୁ ସାଧନା ପରେ ବି ଫଳବତୀ ହେଲାନାହିଁ। ବ୍ରହ୍ମର୍ଷି ବଶିଷ୍ଠ ତାଙ୍କୁ କେବଳ ‘ବ୍ରହ୍ମର୍ଷି’ର ସ୍ଥାନ ଓ ମାନ ଦେଇପାରିବାର ବିଧାନରେ ସେ ବାରମ୍ବାର ସାଧନା କରି ବଶିଷ୍ଠଙ୍କ ପାଖେ ପହଞ୍ଚିଥିଲେ ବି ତାଙ୍କୁ ବଶିଷ୍ଠ ବାରମ୍ବାର ‘ରାଜର୍ଷି’ ବୋଲି ସମ୍ବୋଧନ କରୁଥା’ନ୍ତି। ତା’ ପରେ ସେ କେମିତି ବ୍ରହ୍ମର୍ଷି ବନିଲେ, ଏ କଥା ବେଶ୍‌ ପ୍ରାଣଛୁଆଁ ଭାବେ ପୁରାଣ ବର୍ଣ୍ଣିତ। ଇୟେ ହେଲା ନୈତିକତା ଓ ଶିକ୍ଷାଲାଭର ସୂତ୍ର, କଥା, ଗାଥା। ଏ ଡୁନ୍‌ ଶିକ୍ଷା, ରାଜନୀତି ଓ କୂଟନୀତିରେ ବିଶାରଦ ସ୍ବଳ୍ପଭାଷୀ ଆମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନଜୀ କୁ ଏକୁ ବୁଝିଥିବେ? ଯାହା ବୁଝିଥିଲେ ତାକୁ ଏ ପନ୍ଦର ବର୍ଷ ହେବ ଦେଖେଇ ଦେଲେ। ବିରୋଧୀ ଦଳଗୁଡ଼ା ଭାଙ୍ଗି ଖପରା ହୋଇଗଲେ। ଆଉ ଥୋଡ଼େ ଏ ଖପରା ଗୋଟାଇ ତାକୁ ଯୋଡ଼ି ହାଣ୍ଡି କରିବେ ବୋଲି ବାହାରିଛନ୍ତି। ଆରେ ଖପରାରେ କୁ ହାଣ୍ଡି ହେବ? ଛାଡ଼ନ୍ତୁ ସେ କଥା। ବିଦ୍ୟାଳୟମାନ କଠୋର ଅନୁଶାସନର ପୀଠ, ଏଥିରେ ଆକଟ, ତାଡ଼ନା ଶିକ୍ଷକ ବା ପ୍ରଭୁର ମୁଖ୍ୟ ଆୟୁଧ ଥିଲା। ଦଣ୍ଡ ଦେବା ହିଁ କେବଳ ଶିଷ୍ୟଠି ପ୍ରଯୁଜ୍ୟ ଥିଲା। ଚାଣକ୍ୟ ତ କହିଲେ, ‘‘ଲାଳନେ ବହ​‌େ​‌ବା ଦୋଷାଃ ସ୍ତାଡ଼ନେ ବହ​‌େ​‌ବା ଗୁଣାଃ। ତସ୍ମାତ୍‌ ଶିଷ୍ୟଞ୍ଚ ପୁତ୍ରଞ୍ଚ ଲାଳୟେନ୍ନତୁ ତାଡ଼ୟେତ୍‌।’’ ଆଉ ଦଣ୍ଡମୁକ୍ତ ହୋଇଥିବା ବିଦ୍ୟାଳୟରୁ ନିର୍ଧୁମ ଆକଟ ମୁକ୍ତ ଅପରାଧୀ ବାହାରିବେ ହିଁ ବାହାରିବେ। ଏବେ ବାହାରୁଛନ୍ତି ବି।

ସେ ଯାହାହେଉ, ବିଳମ୍ବରେ ହେଲେ ବି ଏ ସାଧୁ ପ୍ରୟାସ ସ୍ବାଗତଯୋଗ୍ୟ। ଶାସ୍ତ୍ର ତ କହିଲା, ‘‘ଅଧିଗନ୍ତୁଂ ଶତାଂବତ୍ତ୍ମ କୁତ୍ସ୍ନଂ ଯଦି ନ ଶକ୍ୟତେ, ସ୍ବଳ୍ପମପ୍ୟସ୍ୟଗନ୍ତବ୍ୟଂ ମାର୍ଗୋସ୍ଥନାବସୀଦତି’’। ପୂରାବାଟ ଯଦି ଯାଇ ନ ପାରୁଛ, ରାସ୍ତାକଡ଼ରେ ବସିଥା’, ହେଲେ କୋଉ ବାଟୋଇ ତମକୁ ଟେକିନେଇ ପାରେ। ମାତ୍ର ବାଟହଜା ବା ବାଟ ଭଙ୍ଗାକୁ କୋଉ ସାଥି ସହାୟ ମିଳିବ।

ଆଶା ତ ବୈତରଣୀ, ତା’ ବି ଠିକ୍‌। ଦେଖୁନା, ଆମ ଚାଖି ଖୁଣ୍ଟିଆ, ଭାରତର ସ୍ବାଧୀନତା ସଂଗ୍ରାମରେ ସେତେବେଳର ବିରଳ ସଂଗ୍ରାମୀ। ବ୍ରିଟିଶ ସହ ଲଢ଼େଇରେ ସେ ପରାସ୍ତ ହୋଇ ଆତ୍ମଗୋପନ କଲେ। ସମସ୍ତେ ଭାବିଲେ ବାରବର୍ଷ ତ ବିତିଗଲା। ସେ କୋଉ ଆଉ ଜୀବନରେ ଥିବେ। ତାଙ୍କ ସ୍ତ୍ରୀ ବିଧବା ହେଲେ ଓ ଶୁଦ୍ଧିକ୍ରିୟା ବି କରାଗଲା। ମାତ୍ର ହଠାତ୍‌ ଦିନେ ବିପୁଳ ଆନନ୍ଦରେ ବିସ୍ମୟର ଲହରି ଖେଳାଇ ଦେଇ ଚାଖିଆ ହାଜର ହୋଇଗଲେ। ୟେ ଗୋଟେ ଅସମ୍ଭବ ଓ ବିସ୍ମୟ ଥିଲା। ଏମିତି ଅସାଧ୍ୟ କଥା ସାଧନ ହେଲାବେଳେ ଲୋକେ ଚାଖିଙ୍କ କଥାକୁ ଉପଲକ୍ଷ ଦେଇ କହନ୍ତି– ‘‘ନଈରେ ବାଳିଆ ଚହଟିଲା, କଜଳ ସିନ୍ଦୂର ନାଆଲୋ ରାଣ୍ଡ, ପୁଣି ଚାଖିଆ ଲେଉଟିଲା।’’ ଏବେ ବିସ୍ମୃତ ଓ ବିଲୁପ୍ତ ହୋଇ ଯାଉଥିବା ଏ ଦେଶର ସଂସ୍କାର ଓ ନୈତିକତାର ପୁନରୁଦ୍ଧାର ପାଇଁ ସରକାରଙ୍କ ଏ ଉଦ୍ୟମରୁ ସେଇ କଥା ମନେପଡ଼ୁଛି। ଜୟ ଜଗନ୍ନାଥ।

Comments are closed.