ଖଣିରୁ ବେଆଇନ ଭାବେ କଟାଯାଉଛି ମାଙ୍କଡ଼ା ପଥର; ପ୍ରଶାସନ ଚୁପ୍‌

ବେଗୁନିଆ: ବେଗୁନିଆ ତହସିଲ ଅଞ୍ଚଳରେ ପଥର ମାଫିଆଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଛି । ପ୍ରଶାସନର ନୀରବତା ଯୋଗୁଁ ମାଫିଆମାନେ ଅଞ୍ଚଳରେ ଥିବା ଗୋଚର, ଅନାବାଦୀ, ଶ୍ମଶାନ ଏବଂ ଜଗନ୍ନାଥଙ୍କ ଜମିରୁ ଦିନ ରାତି ପଥର କାଟି ଚୋରା ଚାଲାଣ କରୁଛନ୍ତି । କିଛି ପ୍ରଶାସନିକ କର୍ମଚାରୀ ମାଫିଆମାନଙ୍କ ସହିତ ସଲା ସୁତୁରା କରି ପଥର ଚୋରା ଚାଲାଣରେ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଫଳରେ ବେଗୁନିଆ ବ୍ଲକର ୨୧ଟି ପଞ୍ଚାୟତରେ ଏବେ ଆଉ ସରକାରୀ ଜାଗା ଖୋଜିଲେ ମଧ୍ୟ ମିଳୁନାହିଁ । ପଥର ମାଫିଆମାନେ ପଥର କାଟି ବଡ ବଡ ଗର୍ତ୍ତ ସୃଷ୍ଟି କରୁଥିବା ଯୋଗୁଁ ଏବଂ ସେହି ଗର୍ତ୍ତଗୁଡିକରେ ବାଲି କିମ୍ବା ମୋରମରେ ପୂର୍ଣ୍ଣ କରୁନଥିବା ଯୋଗୁ ଜନସାଧାରଣଙ୍କଠାରୁ ଆରମ୍ଭ କରି ଜୀବଜନ୍ତୁ ସେହି ଗର୍ତ୍ତରେ ପଡି ମୃତାହତ ହେଉଛନ୍ତି । ଏଥିପ୍ରତି ପ୍ରଶାସନର ଚିନ୍ତା ନଥିବା ବେଳେ ସାଧାରଣରେ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ସବୁ ଜାଣି କିଛି ନ ଜାଣିଲା ପରି ଚୁପ୍ ରହୁଛି । ପ୍ରଶାସନର ଅପାରଗତା ଯୋଗୁଁ ସ୍ଥାନୀୟ ଜନସାଧାରଣ ବହୁ ହଇରାଣ ହରକତ ହେଉଥିଲେ ମଧ୍ୟ ଚୁପ ରହିବା ପାଇଁ ଏକ ପ୍ରକାର ବାଧ୍ୟ ହେଉଛନ୍ତି ।

prayash

ଗୋଟିଏ ନିର୍ଦିଷ୍ଟ ଦଳରେ ରହି ମାଫିଆମାନେ ପଥର ଚୋରା ଚାଲାଣ କରୁଥିବାରୁ ପ୍ରଶାସନ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାହସ ଜୁଟାଇ ପାରୁନାହିଁ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପରେ ସ୍ଥାନୀୟ ପ୍ରଶାସନ ରାସ୍ତାରେ ଚୋରା ଚାଲାଣ ହେଉଥିବା କିଛି ପଥର ଗାଡିକୁ ଜବତ କରି ବାହାବା ନେଉଥିବାବେଳେ କୌଣସି ଖଣିରେ ପଶିବା ପାଇଁ ସାହସ କରୁନାହିଁ ।ଫଳରେ ମାଫିଆ ମାନେ ନିର୍ଭୟରେ ଦିବା ରାତ୍ର ପଥର କାଟି ଚୋରା ଚାଲାଣ କରୁଛନ୍ତି । କାଁ ଭାଁ କେତେବେଳେ ଯଦି ସ୍ଥାନୀୟ ପ୍ରଶାସନ ରାସ୍ତାରୁ ପଥର ବୋଝେଇ ଗାଡି ଜବତ କରୁଛନ୍ତି ତାହେଲେ ତାଙ୍କୁ ଛାଡିବା ପାଇଁ ବିଭିନ୍ନ ସ୍ତରରୁ ଫୋନ ଆସୁଛି । ଫଳରେ କଙ୍କଡାକୁ ଗୋଳି ପାଣି ସୁହାଇବା ନ୍ୟାୟରେ ପ୍ରଶାସନ କାର୍ଯ୍ୟ କରୁଛି । ଏପରିକି ଯଦି ଏଠାରୁ ପୋଲିସ କିମ୍ବା ତହସିଲ ଗାଡି ବାହାରେ ତାହେଲେ ଗାଡି ପଛରେ ୧୫/୨୦ ବାଇକଧାରୀ ସେମାନଙ୍କୁ ପିଛା କରି ମାଫିଆମାନଙ୍କୁ ଖବର ଦେଉଛନ୍ତି । କିନ୍ତୁ ପଥର ଚୋରା ଚାଲାଣ ଯୋଗୁଁ ସରକାର ମାସିକ ପ୍ରାୟ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବାର ଜଣାପଡିଛି । ବେଗୁନିଆ ତହସିଲ ଅଧିନସ୍ଥ ଗଡମାଣତୀର ପଞ୍ଚାୟତର କୋଚିଆଖାଲ ରାସ୍ତାର ଆଦିବାସୀ ସାହି ମୁଣ୍ଡରେ ଥିବା ଗାଦି ପାଖ ଘର ନିକଟରେ ଥିବା ବେଆଇନ ନାଲି ଖଣିରୁ ଛିଆମ ଗ୍ରାମର ଜନୈକ ବ୍ୟକ୍ତି ଦୁଇଟି ପାୱାର ଟିଲର ସାହାଯ୍ୟରେ ଦିନ ଦ୍ବିପ୍ରହରେ ପଥର କାଟି ଦିନ ୪ଟାରୁ ରାତି ୯ଟା ଭିତରେ ଏବଂ ରାତି ୩ଟାରୁ ଦିନ ୧୦ଟା ଭିତରେ ପ୍ରାୟ ୧୫ ଟ୍ରିପ ପଥର ପ୍ରଶାସନର ସହାୟତାରେ ଚୋରା ଚାଲାଣ କରୁଥିବା ସ୍ଥାନୀୟ ଅଧିବାସୀଙ୍କଠାରୁ ଜଣାପଡିଛି । ସମ୍ପୃକ୍ତ ବ୍ୟକ୍ତିଙ୍କର ଜେସିବିଟି ଗାଁ ମୁଣ୍ଡରେ ଥୁଆ ହେଉଥିବା ବେଳେ ପ୍ରଶାସନ ଜାଣି ନ ଜାଣିବା ପରି ନୀରବ ରହୁଛି । ସ୍କ୍ୱାଡ୍‌ କର୍ମଚାରୀଙ୍କୁ ପଥର ଖଣିରେ ମାଡ ହେବା ପରେ ସଂପୃକ୍ତ ଖଣି ମାଲିକ ପ୍ରଶାସନକୁ ହାତ କରି ନିର୍ବିଘ୍ନରେ ପଥର କାଟି ଚାଲିଛନ୍ତି । ସ୍ଥାନୀୟ ଲୋକ ପ୍ରଶାସନକୁ କବଜା କରି ଏହି ଖଣିରୁ ପଥର କାଟୁଥିବା ଯୋଗୁଁ ଅନ୍ୟ କେହି ମାଫିଆ ଏଠାରେ ପଶିବା ପାଇଁ ସାହସ ଜୁଟାଇ ପାରୁ ନାହାନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସ୍ଥାନୀୟ ପ୍ରଶାସନର ଯେଉଁମାନେ ପଥର ଚୋରା ଚାଲାଣରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Comments are closed.