ରୋଗାକ୍ରାନ୍ତ ଭାଇ ଭଉଣୀଙ୍କ ଚିକିତ୍ସା ପାଇଁ ରେଡ଼କ୍ରସରୁ ୧୦ ହଜାର ଟଙ୍କା ସହାୟତା ଦେଲେ ତହସିଲଦାର

ବେଗୁନିଆ: ବେଗୁନିଆ ବ୍ଲକ ଦେଉଳି ପଞ୍ଚାୟତ ଅନ୍ତର୍ଗତ ଓଗାଳପୁର ଗ୍ରାମରେ ଗୋଟିଏ ପରିବାରର ତିନି ଭାଇ ଭଉଣୀ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ୪ବର୍ଷ ହେବ ଶଯ୍ୟାଶାୟୀ। ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସହାୟତା ଯୋଗାଇ ଦିଆଯାଇ ନଥିବାବେଳେ ଆଜି ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ତାଙ୍କ ଘରେ ପହଞ୍ଚି ରେଡ଼କ୍ରସରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସମ୍ପୃକ୍ତ ଗ୍ରାମର ଟୁକୁଦତ୍ତ ସାମନ୍ତସିଂହାର ଏବଂ ମମତାମୟୀ ସାମନ୍ତସିଂହାରଙ୍କର ଦୁଇଟି ଝିଅ ଏବଂ ଗୋଟିଏ ପୁଅ ଦୀର୍ଘ ୪ ବର୍ଷ ହେବ କେଉଁ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି। ସେମାନଙ୍କର ସମସ୍ତ କାର୍ଯ୍ୟ ମା ମମତାଙ୍କୁ ହିଁ କରିବାକୁ ପଡୁଛି। କାରଣ ସେମାନେ ଚାଲିବା ପାଇଁ ଅକ୍ଷମ ହୋଇପଡିଛନ୍ତି। ଘରେ ଯାହା ସମ୍ବଳ ଥିଲା ତାକୁ ବିକି ଭାଙ୍ଗି ବାପ ମା ପିଲା ୩ଟିଙ୍କୁ ନେଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରିଥିଲେ ମଧ୍ୟ ସେମାନେ ଭଲ ହୋଇ ପାରୁନାହାନ୍ତି।
ସେମାନଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ସେମାନେ ଆଉ ଅଧିକ ଚିକିତ୍ସା କରିପାରୁନାହାନ୍ତି। ୩ ଭାଇ ଭଉଣୀ ମେଧାବୀ ଛାତ୍ର ଛାତ୍ରୀ ଥିବାବେଳେ ଅଜଣା ରୋଗ ଯୋଗୁଁ ପାଠ ପଢ଼ାରେ ମଧ୍ୟରେ ଡୋରି ବନ୍ଧା ହୋଇଯାଇଛି। ସରକାର ସେମାନଙ୍କୁ ସାହାଯ୍ୟ କରି ଯଦି ବାହାରେ ନେଇ ଚିକିତ୍ସା କରନ୍ତେ ତାହେଲେ ସେମାନେ ଭଲ ହୋଇପାରନ୍ତେ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି।
Comments are closed.