ଭୁବନେଶ୍ବର: ଯୁଗ ପରିବର୍ତ୍ତନ ସାଙ୍ଗକୁ ଜୀବନ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଘଟୁଛି। ବ୍ରିଟିଶ ସମୟର ବାର୍ତ୍ତା ବାହକ ଏବେ ଭାଡ଼ି ଭିତରେ ରହିଛି। ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ପହଞ୍ଚାଇବାକୁ ପାରା ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏବେ ଇଣ୍ଟରନେଟ ଯୁଗ, ସଠିକ ଜାଗାରେ ବାର୍ତ୍ତା ପହଞ୍ଚି ଯାଉଛି। ଭାରତବର୍ଷରେ କେବଳ ଓଡ଼ିଶା ପୁଲିସ ପାଖରେ ରହିଛି ବାର୍ତ୍ତା ବାହକ ପାରା। ଏବେ ଗୁପ୍ତଚର ଭାବେ ପାରାକୁ ବ୍ୟବହାର କରାଯାଉଥିବା ଦେଖାଯାଉଛି। ପୁଲିସ ମୁଖ୍ୟାଳୟରେ ଏବେ ୧୧୦ଟି ପାରା ଶୋଭା ପାଉଛି। ବିପଦ ସମୟର ବନ୍ଧୁକୁ ଛାଡ଼ିବା ଲାଗି ପୁଲିସ ଇଚ୍ଛା ପ୍ରକାଶ କରୁନି। ୨୦୦୪ରୁ ଏହି ସେବାକୁ ବନ୍ଦ କରିବା ଲାଗି କୁହାଯାଇଥିଲା, ହେଲେ ସାଇତି ରଖିବା ଲାଗି ନିର୍ଦେଶ ମିଳିଥିବା ଜଣାପଡ଼ିଛି।
ଘଣ୍ଟାକୁ ୧୩୦ କି.ମି ଅତିକ୍ରମ କରିପାରୁଥିବା ଏହି ପାରା ଦିନକ ମଧ୍ୟରେ ଅନେକ ଦୂରରେ ଚିଠି ପହଞ୍ଚାଉଥିଲେ। ଏଥିଲାଗି ପାରାଙ୍କୁ ତାଲିମ ଦିଆଯାଉଥିଲା। ପାରା ଗୋଡ଼ରେ ଚିଠି ବନ୍ଧାଯିବା ପରେ ଯେଉଁ ଥାନା କିମ୍ବା ସଦରମହକୁମାରେ ପହଞ୍ଚାଇବାର ଥିଲା, ତା’ କାନରେ କୁହାଯାଉଥିଲା, ଦାୟିତ୍ବର ସହ ଚିଠିକୁ ଠିକଣା ଜାଗାରେ ପାରା ପହଞ୍ଚାଉଥିଲା। ଏବେ ସେହି ପାରା ଏକପ୍ରକାର ଅଲୋଡ଼ା। ଏବେ ଏହି ବାର୍ତ୍ତାବାହକ ପୁଲିସ ମୁଖ୍ୟାଳୟ ଓ ଅନୁଗୋଳ ତାଲିମ କେନ୍ଦ୍ରରେ ରହିଛନ୍ତି। ଏବେ ବି ଚିଠି ଦେଲେ ସେମାନେ ପହଞ୍ଚାଇବା ଲାଗି ପ୍ରସ୍ତୁତ ରହିଛନ୍ତି। ହେଲେ ସେମାନଙ୍କୁ ଆଉ ବାର୍ତ୍ତା ନେବାକୁ ପଡ଼ୁନି।
ଚିଠି ନେବା ଆଣିବା ଲାଗି ୧୯୪୬ରୁ ପୁଲିସ ପାରା ଉପରେ ନିର୍ଭର କରୁଥିଲା। ଏଥିଲାଗି ସ୍ବତନ୍ତ୍ର ଭାବେ ବାର୍ତ୍ତା ବାହକ ପାରା ବଛା ଯାଉଥିଲା। ଗୋଲ ମୁଣ୍ଡ, ନାଲି ଆଖି ଓ ଗୋଲ ଥଣ୍ଟ ଥିବା ପାରାଙ୍କୁ ଧରି ଆଣି ତାଲିମ ଦିଆଯାଉଥିଲା। ତାଲିମ ପାରାଙ୍କ ମଧ୍ୟରୁ ଜନ୍ମ ନେଉଥିବା ଛୁଆ ପାରାଙ୍କୁ ୬ ସପ୍ତାହ ମଧ୍ୟରେ ଏହି ତାଲିମରେ ସାମିଲ କରାଯାଉଥିଲା। ଯେକୌଣସି ମୁହୂର୍ତ୍ତରେ ସେମାନଙ୍କୁ ଯେଉଁ ସ୍ଥାନକୁ ପଠାଯାଉଥିଲା, ସେମାନେ ଦାୟିତ୍ବ ନିର୍ବାହ କରୁଥିଲେ। ୧୯୯୯ ମହାବାତ୍ୟା ସମୟରେ ସବୁ ବ୍ୟବସ୍ଥା ଫେଲ୍ ମାରିବା ପରେ ପୁଲିସ ସେହି ବାର୍ତ୍ତାବାହକ ପାରା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥିଲା। ଏହି ପାରାଙ୍କ ରକ୍ଷଣାବେକ୍ଷଣ ଓ ତାଲିମ ପାଇଁ ଜଣେ ସବ୍-ଇନ୍ସପେକ୍ଟର ଓ ଦୁଇ ଜଣ କନଷ୍ଟେବଳଙ୍କୁ ନିଯୁକ୍ତି ମିଳିଛି। ସବୁଦିନ ଭଳି ଆଜି ବି ସେମାନେ ତାଲିମ ନେଉଛନ୍ତି। ଓଡ଼ିଶା ପୁଲିସ ପାଇଁ ବାର୍ତ୍ତାବାହକ ପାରା ଏବେ ଭାଡ଼ିରେ ସନ୍ତକ ପାଲଟିଛି।



