ଭୁବନେଶ୍ବର : ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରୁ ରାଗିଂ ଅଭିଯୋଗ ଆସିଛି। ସ୍ନାତକ (ବାଣିଜ୍ୟ ବିଭାଗ) ପ୍ରଥମ ବର୍ଷର ଛାତ୍ର ଆୟୁଷ୍ମାନ ପତିଙ୍କୁ ମହାବିଦ୍ୟାଳୟର ଆଇଏମବିଏ ତୃତୀୟ ବର୍ଷର ଛାତ୍ର ରାଜନ ପଣ୍ଡା ରାଗିଂ କରିଥିବା ଅଭିଯୋଗ ହୋଇଛି। କ୍ୟାମ୍ପସ ଭିତରେ ଗାଳିଗୁଲଜ କରିବା ସହ ସମସ୍ତଙ୍କ ସମ୍ମୁଖରେ ପୋଷାକ ଖୋଲି ନାଚିବା ପାଇଁ ବାଧ୍ୟ କରାଯାଇଥିବା ଆୟୁଷ୍ମାନ ଅଭିଯୋଗ ଆଣିଛନ୍ତି। ଅଗଷ୍ଟ ୧ ତାରିଖରେ ଏହି ଘଟଣା ଘଟିଥିବାବେଳେ ୨ ତାରିଖରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଆଣ୍ଟି ରାଗିଂ କମିଟିରେ ଅଭିଯୋଗ କରାଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ରାଗିଂର ଶିକାର ହୋଇଥିବା ଛାତ୍ର ଆୟୁଷ୍ମାନ କହିଛନ୍ତି।
ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ଆୟୁଷ୍ମାନଙ୍କ ଅଭିଯୋଗ କରିଛନ୍ତି ଯେ, ଗତ ୧ ତାରିଖରେ ରାଜନ ପଣ୍ଡା ନାରୀ ସୁରକ୍ଷା ଉପରେ ଶୋଭାଯାତ୍ରା କରୁଥିଲେ। ପ୍ରଶାସନିକ ବ୍ଲକ୍ ପାଖରେ ଆୟୁଷ୍ମାନଙ୍କ କିଛି ସାଙ୍ଗଙ୍କୁ ଜବରଦସ୍ତ ଅଟକାଯାଇଥିଲା। ମହାବିଦ୍ୟାଳୟ ଫାଟକ ନିକଟରୁ ଆସିବୁ ବୋଲି କହି ସେମାନଙ୍କୁ ଥାନାକୁ ନେଇଯାଇଥିଲେ। ରାଲି ସରିବା ପରେ ସାଙ୍ଗମାନେ ଆୟୁଷ୍ମାନଙ୍କୁ ଏହା କହିଥିଲେ। ସେଠାରେ ବସିଥିବା ୨ ଜଣଙ୍କୁ ଆୟୁଷ୍ମାନ କ୍ଲାସ ନାହିଁ କି ବୋଲି ପଚାରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଖରାପ ଭାଷାରେ ରାଜନ ଗାଳିଗୁଲଜ କରିବା ସହ ପୋଷାକ ଖୋଲି କ୍ୟାମ୍ପସ ଭିତରକୁ ଯିବାକୁ ଆୟୁଷ୍ମାନଙ୍କୁ କହିଥିଲେ। ସେ ମନା କରିବାରୁ ତାଙ୍କୁ ରାଜନ ବାଡ଼େଇବେ ବୋଲି ଧମକ ଦେଇଥିଲେ ବୋଲି ଆୟୁଷ୍ମାନ ଅଭିଯୋଗ କରିଛନ୍ତି। ଅଗଷ୍ଟ ୨ ତାରିଖରୁ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବୁଝାମଣା କରିବାକୁ ବାଧ୍ୟ କରାଯାଉଥିବା ଆୟୁଷ୍ମାନ କହିଛନ୍ତି।
ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ଝୁମ୍କୀ ରଥ କହିଛନ୍ତି ଯେ, ଉକ୍ତ ଛାତ୍ରଙ୍କ ଅଭିଯୋଗ ମିଳିବା ମାତ୍ରେ ଶିକ୍ଷାନୁଷ୍ଠାନର ଆଣ୍ଟି ରାଗିଂ କମିଟିକୁ ପଠାଯାଇଛି। ଉକ୍ତ କମିଟି ଏହାର ତଦନ୍ତ କରୁଛି। ଘଟଣାର ତଦନ୍ତ ଚାଲିଛି। ଉଭୟ ପକ୍ଷଙ୍କ ମତାମତ ନିଆଯାଇଛି। ଅଭିଯୋଗକାରୀ ଛାତ୍ରାବାସରେ ରହୁଥିବାରୁ ଅଭିଭାବକଙ୍କୁ ମଧ୍ୟ ଅବଗତ କରାଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣାରେ ଛାତ୍ର ରାଜନ ପଣ୍ଡାଙ୍କ ପ୍ରତିକ୍ରିୟା ମିଳିପାରିନି।
ବିଜେବିରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ,ପୋଷାକ ଖୋଲି ନାଚିବାକୁ ବାଧ୍ୟ କଲେ
Popular Categories



