ଖଣ୍ଡଗିରି ମେଳା : ଆଜିଠୁ ଯାତ୍ରା ମହାସମର

ଭୁବନେଶ୍ୱର,୪।୨(ଆ.ପ୍ର): ପାରମ୍ପରିକ ନୃତ୍ୟ, ବାଦ୍ୟରେ କମ୍ପୁଥିଲା ଖଣ୍ଡଗିରି ପାନ୍ଥିକା। ଶୀତୁଆ ସନ୍ଧ୍ୟାରେ ଆକର୍ଷଣୀୟ ଆଲୋକମାଳା ସହିତ ମେଳାର ମନୋରମ ଦୃଶ୍ୟ ଦର୍ଶକଙ୍କୁ ଆନମନା କରୁଥିଲା। ଅବସର ଥିଲା ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ଖଣ୍ଡଗିରି-ଉଦୟଗିରି ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ। ସନ୍ଧ୍ୟାରେ ଅତିଥିଭା‌େ‌ବ କୃଷି ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ଅରବିନ୍ଦ ଢାଲି, ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମୁମ୍ବଇର ପୂର୍ବତନ ପୁଲିସ କମିସନର ଅରୂପ ପଟ୍ଟନାୟକ, ଦିଲୀପ ମାଝି, ଅଶ୍ବିନୀ ସୁନ୍ଦରାୟ, ଦୀପକ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମାଜସେବୀ ବିଜୟ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୋଟିପୁଅରୁ। ଏହାକୁ ପରିବେଷଣ କରିଥିଲେ ଆରାଧନା ଡ୍ୟାନ୍ସ ଏକାଡେମୀର ଶିଳ୍ପୀ। ତାଙ୍କ ପ୍ରସ୍ତୁତିରେ ଥିଲା ପଞ୍ଚଦେବ ସ୍ତୁତି ଏବଂ ବନ୍ଧ ନୃତ୍ୟ। ଏହାପରେ ସିଜ୍‌ଲର ନୃତ୍ୟ ଦଳଙ୍କ ଆକର୍ଷଣୀୟ ନୃତ୍ୟ ପାନ୍ଥିକାକୁ ଆହୁରି ରୋଚକ କରିଥିଲା। ପରେ କେସିଙ୍ଗାର ଶିଳ୍ପୀମାନେ ବଜାସାଲ ପରିବେଷଣ କରିଥିଲେ। ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶବର-ଶବରୁଣୀ ନୃତ୍ୟ। ଏହାକୁ ପରିବେଷଣ କରିଥିଲେ ବୌଦ୍ଧର ଶିଳ୍ପୀମାନେ। ଏହାପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଦର୍ଶକଙ୍କୁ ସଙ୍ଗୀତରେ ବାନ୍ଧି ରଖିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଶୁଭମ୍‌।

ଆଜିଠୁ ଯାତ୍ରା ମହାସମର
ମଇଦାନକୁ ଓହ୍ଲାଇ​ବେ କୋଣାର୍କ, କଳିଙ୍ଗ : ‘ଆଖି ଲୁହ’କୁ ଟକ୍କର ଦେବ ‘ଶ୍ରାବଣ ରାତି’
ଚଳଚଞ୍ଚଳ ଖଣ୍ଡଗିରି। ମେଳା ସାଙ୍ଗକୁ ସାଧୁସନ୍ଥଙ୍କ ହୋମଯଜ୍ଞ ଆଉ ପାନ୍ଥିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷିତ କରୁଛି। ବୁଧବାରଠାରୁ ଆରମ୍ଭ ହେଉଛି ଅନ୍ୟତମ ଆକର୍ଷଣ ଯାତ୍ରା ମହାସମର। ୫ରୁ ଯାତ୍ରା ପାର୍ଟି ଦୁଇଟି ପର୍ଯ୍ୟାୟରେ ମଇଦାନକୁ ଓହ୍ଲାଇବେ। ଚଳିତ ବର୍ଷ ୬ଟି ମଞ୍ଚରେ ୧୨ଟି ଯାତ୍ରା ଦଳ ନାଟକ ପରିବେଷଣ କରିବେ। ଖଣ୍ଡଗିରି ଘାଟିକିଆ ସନାତନ ସେବା ସମିତି କମିଟି ପକ୍ଷରୁ ଅାସନ୍ତାକାଲିଠାରୁ ଯାତ୍ରା ଆରମ୍ଭ ହେବ। ତିନୋଟି ପର୍ଯ୍ୟାୟରେ କୋଣାର୍କ, ଇନ୍ଦ୍ରଭୁବନ ଓ ଧଉଳି ଗଣନାଟ୍ୟ ଯାତ୍ରା ପରିବେଷଣ କରିବେ। ଏହା ସହିତ ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ଦୁଇଟି ପର୍ଯ୍ୟାୟରେ କଳିଙ୍ଗ ଗଣନାଟ୍ୟ ଏବଂ ଶିବାନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବେ। ତେବେ କୋଣାର୍କ ଗଣନାଟ୍ୟ ତା’ର ପ୍ରଥମ ରଜନୀରେ ଭେଟି ଦେବ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’। ଡ. ଦୀପକ ଜେନା ଏହାର ରଚନା କରିଥିବାବେଳେ ନିର୍ଦେଶନା ଦେଇଛନ୍ତି ଗୁରୁପ୍ରସାଦ ମିଶ୍ର। ଏହାର ଆକର୍ଷଣ ପାଲଟିବେ ଲୋକପ୍ରିୟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା। ସେହିପରି ଏହାର ଆଉ ଏକ ନାଟକ ‘କଂସ’ ମଧ୍ୟ ଦର୍ଶକଙ୍କୁ ଆନମନା କରିବ। ଅନ୍ୟପକ୍ଷରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ପ୍ରଥମ ରଜନୀରେ ଭେଟି ଦେବ ‘ଶ୍ରାବଣ ମାସର ଶେଷ ରାତି।’ ଏହାର ରଚନା ଲିଲି ଦାସ କରିଥିବାବେଳେ ନିର୍ଦେଶନା ଦେଇଛନ୍ତି ଇଂ ଆଶୁତୋଷ ମହାପାତ୍ର। ସେହିପରି ଡ. ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପକ୍ଷରୁ ୬ରୁ ୯ ଯାତ୍ରା ମାୟାନଗରୀ, ୧୦ରୁ ୧୩ ତୁଳସୀ ଗଣନାଟ୍ୟ ଓ ୧୪ରୁ ୧୬ ପର୍ଯ୍ୟନ୍ତ ସ୍ବର୍ଣ୍ଣମହଲ ଯାତ୍ରା ପରିବେଷଣ କରିବ। ଜାଗମରା ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ୬ରୁ ୯ ସ୍ବପ୍ନ ମହଲ ଓ ୧୦ରୁ ୧୬ ପର୍ଯ୍ୟନ୍ତ ରଙ୍ଗମହଲ ଯାତ୍ରା ପରିବେଷଣ କରିବେ। ଏହାବ୍ୟତୀତ ଜୟ ଦୁର୍ଗା ସାଂସ୍କୃତିକ ପରିଷଦ ପକ୍ଷରୁ ଅପେରା ସୂର୍ଯ୍ୟ ମନ୍ଦିର ଏବଂ ଖଣ୍ଡଗିରି ସାଂସ୍କୃତିକ ପରିଷଦ ପକ୍ଷରୁ ରାଜଧାନୀ ଅପେରା ଯାତ୍ରା ପରିବେଷଣ କରିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।

ଖାଦ୍ୟ ଯାଞ୍ଚ : ଖଣ୍ଡଗିରି ମେଳା ଅବସରରେ ଫାଷ୍ଟଫୁଡ୍‌ ଦୋକାନରେ ଅସମ୍ଭାଳ ଭିଡ଼ ଲାଗୁଛି। ଏହାସହିତ ଚଟପଟି ଖାଦ୍ୟ ପାଇଁ ଠେଲା ନିକଟରେ ଜନଗହଳି ଦେଖିବାକୁ ମିଳୁଛି। ହେଲେ ମେଳାକୁ ୩ ଦିନ ଅତିକ୍ରମ କରିଥିଲେ ମଧ୍ୟ ଏଯାଏଁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦେଖାମିଳୁନାହିଁ। କେଉଁ ପରିସ୍ଥିତିରେ ଖାଦ୍ୟ ପ୍ରସ୍ତୁତି ଏବଂ ବିକ୍ରି ହେଉଛି, ତାହା ଏଯାଏ ଯାଞ୍ଚ ହୋଇନାହିଁ। ରାଜ୍ୟରେ କରୋନା ଭୂତାଣୁ ଭୟ ରହିଥିବାବେ‌େ‌ଳ ଖାଦ୍ୟ ଯାଞ୍ଚ ନହେବା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅନେକ ପ୍ରଶ୍ନ ଉଠୁଛି। ମେଳାରେ ମୋଟ ୩୧୦ ଦୋକାନ ଖୋଲିଛି। ସେଥିମଧ୍ୟରୁ ୧୫୦ରୁ ଊର୍ଦ୍ଧ୍ବ ଖାଦ୍ୟ ଷ୍ଟଲ୍‌। ଠେଲା ଓ ଉଠାଦୋକାନ ମଧ୍ୟ ଲାଗିଛି। ମେଳାରେ ବିକ୍ରି ହେଉଥିବା ଖାଦ୍ୟର ମାନ, ଗୁଣବତ୍ତା, କେଉଁ ପରିବେଶରେ ପ୍ରସ୍ତୁତି ହେଉଛି, ପରିଚ୍ଛନ୍ନତା ରହୁଛି ନା ନାହିଁ, ଖାଦ୍ୟ ବିକ୍ରୟ ପାଇଁ ଉପଯୁକ୍ତ କି ନାହିଁ ଯାଞ୍ଚ ପାଇଁ ଖାଦ୍ୟ ସୁରକ୍ଷା ଅଧିକାରୀ ମେଳା ପରିଦର୍ଶନ କରିବା କଥା। ଯାଞ୍ଚ ପରେ କିଛି ବ୍ୟତିକ୍ରମ ଥିଲେ ଅଧିକାରୀମାନେ ଉକ୍ତ ଦୋକାନର ଖାଦ୍ୟ ଜବତ କରି କାରବାର ବନ୍ଦ ପାଇଁ ବ୍ୟବସ୍ଥା କରିବା କଥା, ହେଲେ ଆଜିଯାଏ ତାହା ହେଲାନାହିଁ। ମେଳା ବୁଲିବାକୁ ଆସିଥିବା କାହ୍ନାବଲିୟାର ସିଂହଙ୍କ କହିବା ଅନୁସାରେ ଲୋକଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏଠାରେ ବିକ୍ରି ଖାଦ୍ୟର ମାନ ପରୀକ୍ଷା କରିବା କର୍ତ୍ତୃପକ୍ଷଙ୍କ ଦାୟିିତ୍ବ। ଫାଷ୍ଟଫୁଡ୍‌ ଖାଦ୍ୟରେ ରାସ୍ତାକଡ଼ ଧୂଳି ମିଶୁଛି। ପାଣି ଅଭାବରୁ ଖାଦ୍ୟ ରାନ୍ଧିବା ଏବଂ ପରସିବା ସାମଗ୍ରୀ ଭଲଭାବେ ଧୁଆ ହେଉନି। ଖାଦ୍ୟର ଗୁଣାତ୍ମକ ମାନ ମଧ୍ୟ ରହୁନି। ଅଧିକାଂଶ ଛୋଟଛୋଟ ପିଲା ମେଳାରେ ଖାଦ୍ୟ ଖାଉଛନ୍ତି। ଏ ଦୃଷ୍ଟିରୁ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ମେଳାରେ ଖାଦ୍ୟ ଯାଞ୍ଚ କରିବା ଦରକାର।


ଯାଞ୍ଚ ଖୁବ୍‌ଶୀଘ୍ର:ମେଳାରେ ବିକ୍ରି ହେଉଥିବା ଖାଦ୍ୟ ଯାଞ୍ଚ ହେବ। ଖୁବ୍‌ଶୀଘ୍ର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଏକ ଦଳ ମେଳାର ବିଭିନ୍ନ ଦୋକାନ ଯାଞ୍ଚ କରିବେ। ଯାଞ୍ଚ ପରେ ଯେଉଁଠି ବ୍ୟତିକ୍ରମ ଥିବା ଜଣାପଡ଼ିବ ସେମାନଙ୍କ ବିରୋଧ‌େ‌ର ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

Comments are closed.