ଘରେ ପଶି ଲୁଟ୍‌ ସହ ମହିଳାଙ୍କୁ ଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଘରେ ପଶି ଲୁଟ୍‌ ସହ କୁନି ଝିଅ ସମ୍ମୁଖରେ ମହିଳାଙ୍କୁ ବଳାତ୍କାର ମାମଲାରେ କମିଶନରେଟ୍ ପୁଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ପୁଲିସ ବ୍ୟବହୃତ ଛୁରି, ମୋବାଇଲ ଫୋନ୍‌ ଓ ଗୋଟିଏ ସ୍କୁଟର ଜବତ କରିଛି। ଅଭିଯୁକ୍ତମାନେ ପେସାଦାର ଅପରାଧୀ। ସେମାନଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ରହିଛି। ପୁଲିସ ହାତରେ ଧରାପଡ଼ି ଅଭିଯୁକ୍ତମାନେ ପୂର୍ବରୁ କାରଗାର ଯାଇଛନ୍ତି। ସେମାନଙ୍କୁ ଧରିବା ପୁଲିସ ପାଇଁ ଚାଲେଞ୍ଜ ରହିଥିଲା ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ କହିଛନ୍ତି। ଗିରଫ ଅଭିଯୁକ୍ତ ହେଲେ ମୈତ୍ରୀବିହାର ଥାନା ସାଲିଆସାହି ହାତିଆଶୁଣି ବସ୍ତିରେ ରହୁଥିବା ନୟାଗଡ଼ ଜିଲା ଶରଣକୁଳ ଥାନା କେଶରପୁରର ବିକାଶ ନାୟକ, ଧଉଳି ଥାନା ରେବତୀ ବସ୍ତିରେ ରହୁଥିବା ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଞ୍ଚଳର ଜଗା ସିଂହ ଓରଫ କଟିଆ ଓ ଉକ୍ତ ଆପାର୍ଟମେଣ୍ଟରେ ରହୁଥିବା ନୟାଗଡ ଖଣ୍ଡପଡ଼ା ଥାନା ବଳରାମପ୍ରସାଦର ଟୁକୁନା ନାୟକ। ଅନ୍ୟପଟେ ଘଟଣାରେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ମାମଲା ଦାଏର ହୋଇଛି। ଘଟଣାର ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ମାମଲାରେ ଦାବି କରାଯାଇଛି। ମାନବାଧିକାର କର୍ମୀ ଜୟନ୍ତ ଦାସ ମାମଲା ଦାଏର କରିଛନ୍ତି। ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଯୋଜନା ୨୦୧୮ ଆଧାରରେ ଆଇନସେବା ପ୍ରାଧିକରଣ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ପ୍ରାର୍ଥନା କରିଛନ୍ତି। ପୁଲିସ ଆୟୁକ୍ତ ଶ୍ରୀ ସିଂହଙ୍କ ସୂଚନା ଅନୁସାରେ, ମୈତ୍ରୀବିହାର ଥାନା ନୀଳମାଧବ ବସ୍ତିରେ ଥିବା ବିଜୁ ପକ୍କାଘର ୫ ମହଲା କୋଠାରେ ସ୍ବାମୀ ପରିତ୍ୟକ୍ତା ପୀଡ଼ିତା ୨ ବର୍ଷର ଝିଅ ସହ ଘର ଭଡ଼ା ନେଇ ରହୁଥିଲେ। ଅଭିଯୁକ୍ତ ବିକାଶ ଓ ଜଗା ସେଠାରେ ପୂର୍ବରୁ ରହୁଥିବାବେଳେ ଅଭିଯୁକ୍ତ ଟୁକୁନା ସେଠାରେ ଏବେ ବି ରହୁଛି। ପୀଡ଼ିତା ଏକାକୀ ରହୁଥିବା ଅଭିଯୁକ୍ତମାନେ ଜାଣିଥିଲେ। ଘଟଣା ଦିନ ବାଲକୋନି କବାଟ ଖୋଲା ରହିଥିଲା। ୨ ଦିନ ପୂର୍ବରୁ ପୀଡ଼ିତାଙ୍କ ମୋବାଇଲ ଫୋନ୍‌କୁ ଅଭିଯୁକ୍ତମାନେ ଚୋରି କରି ନେଇଥିଲେ। ଉକ୍ତ ମୋବାଇଲ ଫୋନ କେଉଁଆଡ଼େ ହଜିଯାଇଥିବା ପୀଡ଼ିତା ଭାବି ଥିଲେ। ହେଲେ ୨୯ ତାରିଖ ରାତି ପ୍ରାୟ ୨ଟାରେ ୩ ଅଭିଯୁକ୍ତ ପୀଡ଼ିତାଙ୍କ ଘର ନିକଟରେ ପହଞ୍ଚି ଥିଲେ। ବିକାଶ ଓ ଜଗା ବାଲକୋନି ବାଟ ଦେଇ ଘରକୁ ପଶିଥିଲେ। ବାହାରେ ଟୁକୁନା ଜଗି ରହିଥିଲା। ଅଭିଯୁକ୍ତଦ୍ବୟ ଆଲମାରି ଖୋଲି କିଛି ଜିନିଷ ପାଇନଥିଲେ। ଏହି ସମୟରେ ପୀଡ଼ିତା ଉଠି ପଡ଼ିଥିଲେ। ଫଳରେ ଅଭିଯୁକ୍ତ ବିକାଶ ଓ ଜଗା ସହ ତାଙ୍କର ମୁହାଁମୁହିଁ ହୋଇଥିଲା। ଅଭିଯୁକ୍ତ ତାଙ୍କୁ ଛୁରି ଦେଖାଇ କେଉଁଠି ସୁନା ଗହଣା ଓ ଟଙ୍କା ରଖିଛୁ ବୋଲି ଧମକ ଦେଇଥିଲେ। କିଛି ନଥିବା କହିବା ପରେ ପିନ୍ଧିଥିବା ସୁନା କାନଫୁଲ ଖୋଲି ଦେବାକୁ ଅଭିଯୁକ୍ତ କହିଥିଲେ। ଭୟଭୀତ ହୋଇ ପୀଡ଼ିତା କାନଫୁଲ ଓହ୍ଲାଇ ତାଙ୍କ ହାତକୁ ଦେଇଥିଲେ। ହେଲେ ଏତିକିରେ ସେମାନେ ସନ୍ତୁଷ୍ଟ ହୋଇନଥିଲେ। ଏହି ସମୟରେ କୁନି ଝିଅ ଉଠିପଡ଼ି କାନ୍ଦି ଥିଲା। ଝିଅକୁ ଚୁପ୍‌ କରିବାକୁ ଅଭିଯୁକ୍ତ ଧମକ ଦେଇଥିଲେ। ପୀଡ଼ିତା ତାଙ୍କ ମୋବାଇଲ ଫୋନ୍‌ ଝିଅକୁ ଦେଇଥିଲେ। ପରେ ଅଭିଯୁକ୍ତଦ୍ବୟ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ବିରୋଧ କରିବାରୁ ଅଭିଯୁକ୍ତଦ୍ବୟ କୁନିଝିଅର ଜୀବନ ନେବାକୁ ଧମକ ଦେଇଥିଲେ। ଯାହାଫଳରେ ସେମାନଙ୍କ କଥାରେ ପୀଡ଼ିତା ରାଜି ହେବାକୁ ବାଧ୍ୟ ହୋଇଥିଲେ। ଅଭିଯୁକ୍ତଦ୍ବୟ ଜଣେ ପରେ ଜଣେ ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ। ଯିବା ସମୟରେ ତାଙ୍କ ମୋବାଇଲ ଫୋନ୍‌ ନେଇ ପଳାଇଥିଲେ। ପୀଡ଼ିତା ୨ ଅଭିଯୁକ୍ତଙ୍କ ସମ୍ପର୍କରେ ୩୦ ତାରିଖ ସକାଳେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା କରାଇଥିଲା। ଏଥିସହ ସାଇଣ୍ଟିଫିକ ଦଳ ଜରିଆରେ ପୁଲିସ ତଥ୍ୟ ଓ ନମୁନା ସଂଗ୍ରହ କରିଥିଲା। ସମ୍ପୃକ୍ତ ଅଞ୍ଚଳରେ ସିସି କ୍ୟାମେରା ନଥିବା ବେଳେ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିବା କଷ୍ଟକର ଥିଲା। ପୁଲିସର ଅକ୍ଳାନ୍ତ ପରିଶ୍ରମ ପରେ ମୁଖ୍ୟ ଅଭିଯୁକ୍ତଦ୍ବୟ ଧରାପଡ଼ିଥିଲେ। ସେମାନଙ୍କ ବୟାନକୁ ଆଧାର କରି ତୃତୀୟ ଅଭିଯୁକ୍ତକୁ ପୁଲିସ ଧରିଥିଲା। ଘଟଣାକୁ ପୁଲିସ ଗୁରୁତର ସହ ଗ୍ରହଣ କରିଥିଲା। ପୀଡ଼ିତାଙ୍କୁ ପୁଲିସ ଆୟୁକ୍ତ ନିଜେ ଭେଟି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ତାଙ୍କ ସାହସକୁ ନେଇ ଆୟୁକ୍ତ ମହିଳାଙ୍କୁ ଧନ୍ୟବାଦ ଦେଇଥିଲେ। ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେବାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଧରାଯାଇଥିଲା।

Comments are closed.