
ଲଘୁ ବନ୍ୟଜାତ ସମ୍ପଦ ଓ ରୋଜଗାର ସୁଯୋଗ

ଭୁବନେଶ୍ଵର: ଆମ ରାଜ୍ୟର ବ୍ୟାପକ ଏବଂ ମୂଲ୍ୟବାନ ଲଘୁ ବନ୍ୟଜାତ ସମ୍ପଦର ପରିଚାଳନା ନିତାନ୍ତ ଅପରିଣାମଦର୍ଶୀ ଏବଂ ବିଶୃଙ୍ଖଳିତ ମନେହୁଏ। ଅତୀତରେ ଏକ ସୁଚିନ୍ତିତ ବ୍ୟବସ୍ଥା ମାଧ୍ୟମରେ ଏହି ସମ୍ପଦର ପରିଚାଳନା ଏବଂ ନିୟନ୍ତ୍ରଣ ହେଉଥିଲା। ଅନେକ ଏଫ୍ଏମ୍ସିଏସ (ଫରେଷ୍ଟ ମାର୍କେଟିଂ କୋ-ଅପରେଟିଭ ସୋସାଇଟି) ମାଳ ଅଞ୍ଚଳରେ କାର୍ଯ୍ୟରତ ଥିଲା। ଲଘୁ ବନ୍ୟଜାତ ସମ୍ପଦର ପରିଚାଳନା ନିୟନ୍ତ୍ରିତ ଥିଲା। ଅଧିକୃତ ସୋସାଇଟିମାନେ ସରକାରଙ୍କୁ ରୟାଲଟି ଦେଇ ଲଘୁ ବନ୍ୟଜାତ ଦ୍ରବ୍ୟ ଉଚିତ ମୂଲ୍ୟରେ ସଂଗ୍ରହ କରି ବିକ୍ରୟ କରୁଥିଲେ। ଅନେକ ସୋସାଇଟି ଆୟକର ଦେଉଥିଲେ। କନ୍ଧମାଳ ଅଞ୍ଚଳରେ ଫୁଲଝାଡୁ ସଂଗ୍ରହ ବ୍ୟାପକ ଏବଂ ଶୃଙ୍ଖଳିତ ଥିଲା। ଟିକାବାଲି ସୋସାଇଟି ଜାତୀୟ ସ୍ତରରେ ଫୁଲଝାଡୁ ବିକ୍ରୟ କରିବା ନିମନ୍ତେ ମୁମ୍ବଇରେ ନିଜର କାର୍ଯ୍ୟାଳୟ ସ୍ଥାପନ କରିଥିଲେ।
ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ଅଧିକାଂଶ ଲଘୁ ବନ୍ୟଜାତ ଦ୍ରବ୍ୟର ଲିଜ୍ ରାଜ୍ୟର ଦୁଇଟି ପ୍ରମୁଖ ସରକାରୀ ଅନୁଷ୍ଠାନକୁ ଦିଆଯାଉଥିଲା। ଫରେଷ୍ଟ କର୍ପୋରେସନ୍ ଏବଂ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି) ଏହି ଦାୟିତ୍ବ ସମ୍ପାଦନ କରୁଥିଲେ। ଟିଡିସିସିର ପରିଚାଳନା ଦାୟିତ୍ବରେ ଥିବାବେଳେ ମୁଁ ପ୍ରଥମଥର ପାଇଁ ପନ୍ଦର ଶହ କ୍ବିଣ୍ଟାଲ ତେନ୍ତୁଳି ବିଦେଶକୁ ରପ୍ତାନି କରିବାରେ ସମର୍ଥ ହୋଇଥିଲି। ଏହି ଅନୁଭୂତି ଲାଭପ୍ରଦ ହେବା ସଙ୍ଗେ ସଙ୍ଗେ ଶିକ୍ଷଣୀୟ ମଧ୍ୟ ହୋଇଥିଲା। ଆମଦାନୀ କରୁଥିବା ସଂସ୍ଥା (ଇରାକ୍) ତେନ୍ତୁଳିକୁ ସିରା ରହିତ କିନ୍ତୁ ମଞ୍ଜି ସହିତ ଏକ କିଲୋ ସ୍ଲାବ୍ରେ କିଣିବା ପାଇଁ ଚାହିଁଥିଲେ ଏବଂ ଏହି ଆବଶ୍ୟକତା ପୂରଣ ପାଇଁ ଆମେ ଶହଶହ ସ୍ଥାନୀୟ ମହିଳାଙ୍କ ସହାୟତା ନେଇଥିଲୁ। ରୋଜଗାର ସୁଯୋଗ କିଭଳି ରପ୍ତାନି ଦ୍ବାରା ସୃଷ୍ଟି ହୋଇପାରିଥିଲା ତାହା ଏକ ଶିକ୍ଷଣୀୟ ଅନୁଭୂତି ହୋଇଥିଲା; କିନ୍ତୁ ଆମେ ସୁଯୋଗ ଥିବା ସତ୍ତ୍ବେ ପରବର୍ତ୍ତୀ ବର୍ଷଗୁଡ଼ିକରେ ରପ୍ତାନି କରିବା ପାଇଁ ସକ୍ରିୟତା ପ୍ରଦର୍ଶନ କଲେ ନାହିଁ। କଳାହାଣ୍ଡି ଜଙ୍ଗଲରୁ ମୋ ଦାୟିତ୍ବରେ ଆମେ ପ୍ରାୟ ଶହେ କ୍ବିଣ୍ଟାଲ ପାତାଳଗରୁଡ଼ ସଂଗ୍ରହ କରିବାରେ ସମର୍ଥ ହୋଇଥିଲୁ ଏବଂ ଜାତୀୟ ସ୍ତରର ବ୍ୟବସାୟୀଙ୍କ ମତ ହେଲା ଦେଶରେ କୌଣସି ସଂସ୍ଥା ଏତେ ପରିମାଣର ପାତାଳଗରୁଡ଼ ସଂଗ୍ରହ କରିନଥିବେ। ମୂଲ୍ୟବାନ ବିଭିନ୍ନ କିସମର ଅଠା ସଂଗୃହୀତ ହେଉଥିଲା ଏବଂ ଏହାକୁ କିଣିବା ପାଇଁ ଜାତୀୟ ସ୍ତରର ବ୍ୟବସାୟୀ ଆମ ନିଗମକୁ ଆସୁଥିଲେ।
ପରବର୍ତ୍ତୀ ସମୟରେ ଲଘୁ ବନ୍ୟଜାତ ଦ୍ରବ୍ୟଗୁଡ଼ିକର ପରିଚାଳନା ପଞ୍ଚାୟତଗୁଡ଼ିକୁ ଦିଆଯାଇଥିବା ଜଣାଯାଏ; କିନ୍ତୁ ଏହି ବ୍ୟବସ୍ଥା ଦ୍ବାରା ନା କୌଣସି ପଞ୍ଚାୟତ ଆର୍ଥିକ ଲାଭ କରିଥିଲେ ନା ଏହାର ସଂଗ୍ରହ ଶୃଙ୍ଖଳିତ ହୋଇପାରିଥିଲା।
କେନ୍ଦୁପତ୍ର କ୍ଷେତ୍ରରେ ଦେଶରେ ପ୍ରଥମେ ମଧ୍ୟପ୍ରଦେଶ ସକ୍ରିୟତା ପ୍ରଦର୍ଶନ କରି ଏହାର କାରବାରକୁ ଜାତୀୟକରଣ କରିଥିଲେ ୧୯୬୪ ମସିହାରେ। ତା’ପରେ ୧୯୭୧ ମସିହାରେ ମହାରାଷ୍ଟ୍ର ଏହାର ଜାତୀୟକରଣ କରିଥିଲା। ଆମ ରାଜ୍ୟରେ କେନ୍ଦୁପତ୍ର ବ୍ୟବସାୟର ଜାତୀୟକରଣ ୧୯୭୩ ମସିହାରେ ହୋଇଥିଲା। ବନ୍ୟ ବିଭାଗର କେନ୍ଦୁପତ୍ର ସଂସ୍ଥା ସଂଗ୍ରହ ଏବଂ ପ୍ରୋସେସିଂ କାର୍ଯ୍ୟ କରିବା ଦାୟିତ୍ବ ନେଲେ ଏବଂ ବିକ୍ରୟ ଦାୟିତ୍ବ ବନ୍ୟ ନିଗମ ଉପରେ ନ୍ୟସ୍ତ କରାଗଲା। ଏହି ବ୍ୟବସ୍ଥା ଅବ୍ୟାହତ ରହିଛି। ବର୍ଷକୁ ପ୍ରାୟ ତିନିଲକ୍ଷ କ୍ବିଣ୍ଟାଲ ପତ୍ର ପ୍ରାୟ ୪୦୦ କୋଟି ଟଙ୍କାରେ ବିକ୍ରି ହୋଇଥାଏ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଏହି ବ୍ୟବସାୟର ରୋଜଗାର ସୁଯୋଗ କ୍ଷମତା। ରାଜ୍ୟର ପ୍ରାୟ ୧୫ ଲକ୍ଷ ବ୍ୟକ୍ତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି କାର୍ଯ୍ୟରେ ସାମୟିକ ଭାବରେ ନିୟୋଜିତ ହୁଅନ୍ତି ଏବଂ ଏମାନେ ସମାଜର ଦୁର୍ବଳ ଶ୍ରେଣୀରେ। ସରକାରଙ୍କର ଏହି କାର୍ଯ୍ୟକ୍ରମ ଫଳରେ ଏମାନେ ଉପକୃତ ହୋଇପାରିଛନ୍ତି। ଏମାନଙ୍କ ମଧ୍ୟରୁ ଆଠ ଲକ୍ଷ ଲୋକଙ୍କ ପାଖରେ ସରକାରଙ୍କ ପରିଚୟପତ୍ର ରହିଛି। ଏକ ଜନମଙ୍ଗଳ ସରକାର ତୋଳାଳିଙ୍କର ପାଉଣା ରାଶିକୁ ସମୟ ସମୟରେ ବୃଦ୍ଧି କରୁଛନ୍ତି। ଆନୁଷଙ୍ଗିକ ସୁବିଧା ପାଇଁ ତାଙ୍କୁ ଅନ୍ୟାନ୍ୟ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି। କେନ୍ଦୁପତ୍ର ବ୍ୟବସାୟ ସରକାର ହାତକୁ ନେବାଫଳରେ ସମାଜର ପ୍ରାୟ ପନ୍ଦର ଲକ୍ଷ ଆର୍ଥିକ ଦୁର୍ବଳ ଗୋଷ୍ଠୀର ବ୍ୟକ୍ତି ଉପକୃତ ହୋଇପାରିଛନ୍ତି। ଆଇନରେ ବ୍ୟବସାୟରୁ ଲାଭର ଏକ ଅଂଶ ପଞ୍ଚାୟତକୁ ଦେବା ବ୍ୟବସ୍ଥା ରହିଛି।
ଏହି ମଡ଼େଲର ବିସ୍ତାର ହେବା ଆବଶ୍ୟକ ଥିଲା; କିନ୍ତୁ ଏହା ହୋଇପାରି ନଥିବା ଦୁଃଖଦାୟକ। ଏହି ପରିପ୍ରେକ୍ଷୀରେ ଶାଳପତ୍ର ତୋଳାଳିଙ୍କ ବିଷୟ ବିଚାର୍ଯ୍ୟ। ଆମ ରାଜ୍ୟରେ ଶାଳ ସମ୍ପଦ ବିଶାଳ ଏବଂ ବ୍ୟାପକ। ବର୍ଷ ବର୍ଷ ଧରି ଶାଳ ଜଙ୍ଗଲ ପାଖରେ ବସବାସ କରୁଥିବା ପରିବାର ଶାଳପତ୍ର ସଂଗ୍ରହ କରୁଛନ୍ତି। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ପ୍ରକ୍ରିୟା ଅବ୍ୟାହତ ଥିବା ବେଳେ ମୟୂରଭଞ୍ଜ ଜିଲାରେ ଏହା ଅଧିକ ସଂଗଠିତ ଏବଂ ବ୍ୟାପକ ମନେହୁଏ। ଶାଳପତ୍ର ତୋଳିବାରେ ରାଜ୍ୟର ପ୍ରାୟ କୋଡ଼ିଏ ଲକ୍ଷ ଲୋକ ନିୟୋଜିତ ଅଛନ୍ତି। ଏମାନେ ମୁଖ୍ୟତଃ ସମାଜର ଦୁର୍ବଳ ଶ୍ରେଣୀର। ସରକାର ବର୍ଷରେ ଛ’ ମାସ- ଜାନୁଆରୀରୁ ମାର୍ଚ୍ଚ ଏବଂ ଜୁଲାଇରୁ ସେପ୍ଟେମ୍ବର ପତ୍ର ତୋଳିବାକୁ ଅନୁମତି ଦେଇଥାନ୍ତି ଏବଂ ସର୍ବନିମ୍ନ କ୍ରୟ ମୂଲ୍ୟ ଧାର୍ଯ୍ୟ କରିଥାନ୍ତି। ଅତୀତରେ ଶାଳପତ୍ର ପାଇଁ ଜିଏସ୍ଟି ୧୮%ରେ ଧାର୍ଯ୍ୟ ହୋଇଥିଲା। ଏହା ଅତ୍ୟଧିକ ହେଉଥିବା କାରଣରୁ ଏହାକୁ ୫%ରେ ଧାର୍ଯ୍ୟ କରାଗଲା; କିନ୍ତୁ ପରେ ଏହା ସମ୍ପୂର୍ଣ୍ଣ ଭାବରେ ଜିଏସ୍ଟି ମୁକ୍ତ ହେଲା। ସରକାର ଏହା ଉପରେ ଧାର୍ଯ୍ୟ ରୟାଲଟି ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କଲେ। ରାଜ୍ୟରୁ କେତେ ପରିମାଣର ଶାଳପତ୍ର ସଂଗ୍ରହ ହେଉଛି ତାହାର ଠିକ ଆକଳନ ହୋଇନାହିଁ; କିନ୍ତୁ କେବଳ ବେତନଟୀ ଅଞ୍ଚଳରୁ ୧୪ ଲକ୍ଷ କ୍ବିଣ୍ଟାଲ ସଂଗ୍ରହ କରାଯାଉଥିବା ଆକଳନ କରାଯାଏ। ଶାଳପତ୍ର ସଂଗ୍ରହ, ପ୍ରୋସେସିଂ ଏବଂ ବିକ୍ରୟ ଏକ ବିଶାଳ ଆକାରର କାରବାର। ଶାଳପତ୍ରରୁ ଖଲିପତ୍ର, ଗିନା, ଗିଲାସ ଇତ୍ୟାଦି ପ୍ରସ୍ତୁତ କରାଯାଉଛି। ସର୍ବଭାରତୀୟ ସ୍ତରରେ ଏହି ଖଲିପତ୍ର, ଗିନା ଇତ୍ୟାଦି ରପ୍ତାନି ହେଉଛି। ବେତନଟୀରୁ ପ୍ରତ୍ୟହ ଅନେକ ଟ୍ରକ୍ ଖଲିପତ୍ର ନେଇ ଅମୃତସର ଯିବା ଦେଖାଯାଏ।
କେନ୍ଦୁପତ୍ର ତୁଳନାରେ ଶାଳପତ୍ର ସଂଗ୍ରହ ପରିମାଣ ପର୍ଯ୍ୟାପ୍ତ। ଏହି ପ୍ରକ୍ରିୟାରେ କେନ୍ଦୁପତ୍ର ତୁଳନାରେ ଅଧିକ ଲୋକ ନିର୍ଭରଶୀଳ ଏବଂ କାର୍ଯ୍ୟରତ; କିନ୍ତୁ ଏହି ବ୍ୟାପକ କାର୍ଯ୍ୟରେ ସରକାରଙ୍କ ସମ୍ପୃକ୍ତି ସାମାନ୍ୟ ଥିବା ଆଶ୍ଚର୍ଯ୍ୟଜନକ। ପ୍ରାୟ ଦୁଇ ହଜାର କୋଟି ଟଙ୍କାର କାରବାର ସମ୍ପୂର୍ଣ୍ଣ ରୂପେ ଘରୋଇ ବେପାରୀଙ୍କ ଦ୍ବାରା ପରିଚାଳିତ ହେବା ମନେହୁଏ; ଅଥଚ ସରକାରଙ୍କ ସକ୍ରିୟ ଭୂମିକା ଅସଂଖ୍ୟ ତୋଳାଳି ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ପ୍ରଭୂତ ସୁବିଧା ପ୍ରଦାନ କରିପାରନ୍ତେ। ତୋଳିବା ପ୍ରକ୍ରିୟା ଶୃଙ୍ଖଳିତ ହୋଇପାରନ୍ତା। ଅପରିଣାମଦର୍ଶୀ ଅତ୍ୟଧିକ ତୋଳା ଉପରେ ଅଙ୍କୁଶ ଲାଗିପାରନ୍ତା। ସରକାର ଛୋଟ ଉଦ୍ୟୋଗଗୁଡ଼ିକୁ ଖଲିପତ୍ର, ଗିନା ଇତ୍ୟାଦି ପ୍ରସ୍ତୁତ କରିବା ପାଇଁ ସୁବିଧା ପ୍ରଦାନ କରନ୍ତେ, ତୋଳାଳିଙ୍କର ଉପାର୍ଜନ ମଧ୍ୟ ବୃଦ୍ଧି ପାଇପାରନ୍ତା।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଶାଳ ସମ୍ପଦର ସଂରକ୍ଷଣ। ତୋଳାଳି ସାଧାରଣତଃ ଏକ ବଢ଼ୁଥିବା ଶାଳଗଛର ପତ୍ର ତୋଳିବା ସହଜସାଧ୍ୟ ମନେ କରେ ଏବଂ ଶାଳଗଛର ଗୁଣାତ୍ମକ ଅଭିବୃଦ୍ଧିକୁ ବ୍ୟାହତ କରେ। ଅଧିକ ପତ୍ର ତୋଳିବା ଲୋଭ ଶାଳ ଗଛ ବଢ଼ିବାରେ ବାଧା ଦିଏ। ବିଶେଷଜ୍ଞଙ୍କ ମତ ହେଲା ଯଦି ଏହି ଲୋଭ ଅବ୍ୟାହତ ହୁଏ ତେବେ ଦିନ ଆସିବ ଯେବେ ବିଶାଳ ଶାଳ ଦ୍ରୁମ ପାଞ୍ଚଣ ବାଡ଼ିରେ ରୂପାନ୍ତରିତ ହେବା ଅସମ୍ଭବ ନୁହେଁ। ଆମେ ଶାଳବଣର ଐଶ୍ବର୍ଯ୍ୟ ଚିରଦିନ ପାଇଁ ହରାଇବା।
ଶାଳପତ୍ର ତୋଳିବା ଏବଂ ବିକ୍ରୟ କରିବାର ଜାତୀୟକରଣ ଏକ ଜରୁରୀ ଆବଶ୍ୟକତା ମନେହୁଏ। ଏହା ରାଜ୍ୟର ୨୦ ଲକ୍ଷ ତୋଳାଳିଙ୍କ ସ୍ବାର୍ଥ ରକ୍ଷା କରିବା ସଙ୍ଗେ ସଙ୍ଗେ ତୋଳିବା ପ୍ରକ୍ରିୟା, ପ୍ରୋସେସିଂ ପ୍ରକ୍ରିୟା ଏବଂ ବିକ୍ରୟ ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ ଏବଂ ବିଜ୍ଞାନସମ୍ମତ କରିବାରେ ସହାୟକ ହେବ, ଏହା ମଧ୍ୟ ରାଜ୍ୟର ଶାଳ ସମ୍ପଦ ସୁରକ୍ଷା ଅନୂକୂଳ ହେବ। ଶାଳପତ୍ରର ଜାତୀୟକରଣ ସହିତ ଶାଳମଞ୍ଜିର ଜାତୀୟକରଣ ମଧ୍ୟ ଆବଶ୍ୟକ। ଏହା ଏକ ମୂଲ୍ୟବାନ ସମ୍ପଦ ଏବଂ ଶାଳପତ୍ର ତୋଳାଳିଙ୍କ ପରିଚିତ ସମ୍ପଦ। ପତ୍ର ଏବଂ ମଞ୍ଜି ସମ୍ବନ୍ଧରେ ଏକ ପ୍ରକାର ନୀତି ବାଞ୍ଛନୀୟ ମନେହୁଏ।
ଏତଦ୍ବ୍ୟତୀତ ରାଜ୍ୟର ମୁଖ୍ୟ ୬୪ଟି ଲଘୁ ବନ୍ୟଜାତ ବସ୍ତୁର ପରିଚାଳନା ପଦ୍ଧତିର ମୂଲ୍ୟାୟନ ହୋଇ ଅବିଳମ୍ବେ ଏହାର ପରିଚାଳନା ନିମନ୍ତେ ଏକ ଶୃଙ୍ଖଳିତ ବ୍ୟବସ୍ଥା କରିବା ଆବଶ୍ୟକ। ପୂର୍ବ ବ୍ୟବସ୍ଥା ଭଳି ଏହି ଦାୟିତ୍ବ ବନ ନିଗମ ଏବଂ ଆଦିବାସୀ ଉନ୍ନୟନ ନିଗମ ଉପରେ ନ୍ୟସ୍ତ କରାଯାଇପାରେ। ଲାଭର ଏକ ଅଂଶ ପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ଦେବାର ବ୍ୟବସ୍ଥା କରାଯାଇପାରେ। ଏହା କେନ୍ଦୁପତ୍ର ଆଇନର ଅନୁକୂଳ ବ୍ୟବସ୍ଥା ହେବ। ରାଜ୍ୟରେ ରୋଜଗାର ସଙ୍କଟ ଉତ୍କଟ ହେଉଥିବାବେଳେ ଆମ ଜଙ୍ଗଲ ସମ୍ପଦର ଏ ଦିଗରେ ଥିବା ଅପୂର୍ବ ସମ୍ଭାବନାକୁ ହାତଛଡ଼ା କରିବା ଯୁକ୍ତିଯୁକ୍ତ ହେବ ନାହିଁ।
Comments are closed.