www.samajalive.in
Saturday, December 13, 2025
26.1 C
Bhubaneswar

ମହାଭାରତରୁ ଶିକ୍ଷା

ଭୁବନେଶ୍ଵର : ମହର୍ଷି ବ୍ୟାସଦେବଙ୍କ ଦ୍ବାରା ଲିଖିତ, ଅଷ୍ଟାଦଶ ପର୍ବଯୁକ୍ତ ଏକ ବିରାଟ, ଅସାଧାରଣ, ସୁନ୍ଦର ମହାକାବ୍ୟ ମହାଭାରତ। ସଂସ୍କୃତ ଭାଷାରେ ଲିଖିତ ଏହି ମହାକାବ୍ୟର ଶ୍ଳୋକ ପ୍ରାୟ ଏକଲକ୍ଷ ହେବ। ଆଦିପର୍ବ, ସଭା, ବନ, ବିରାଟ, ଉଦ୍ୟୋଗ, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଶଲ୍ୟ, ସୌପ୍ତିକ, ନାରୀ, ଶାନ୍ତି, ଅନୁଶାସନ,ଅଶ୍ବମେଧ, ଆଶ୍ରମବାସ, ମୂଷଳ, ମହାପ୍ରସ୍ଥାନ ଓ ସ୍ବର୍ଗାରୋହଣ- ଏହି ଅଷ୍ଟାଦଶ ପର୍ବ ମହାଭାରତ କାବ୍ୟ ଅନ୍ତର୍ଭୁକ୍ତ। ଏଭଳି ଏକ ବିସ୍ତୃତ ବର୍ଣ୍ଣନା ସମ୍ବଳିତ ଗ୍ରନ୍ଥ ପୃଥିବୀରେ ମଧ୍ୟ ନାହିଁ। ପ୍ରତିଟି ଶ୍ଳୋକ ଚାରି ଚରଣ ବା ଦୁଇଧାଡ଼ି ବିଶିଷ୍ଟ। ସୁତରାଂ ଏହାର ଧାଡ଼ି ସଂଖ୍ୟା ପ୍ରାୟ ଦୁଇଲକ୍ଷ ହେବ। କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ଯୁଦ୍ଧ ମହାଭାରତର ମୂଳ ଘଟଣା। ଯୁଦ୍ଧ ଶେଷରେ ପରୀକ୍ଷିତଙ୍କ ହାତରେ ରାଜ୍ୟ ଶାସନଭାର ଦେଇ ପାଣ୍ଡବମାନଙ୍କର ସ୍ବର୍ଗାରୋହଣ ଏହାର ଅନ୍ତିମ ପର୍ବ।
ପ୍ରସଙ୍ଗକ୍ରମେ ଏଥିରେ ବେଦର ନିଗୂଢ଼ ତତ୍ତ୍ବ, ଉପନିଷଦର ବ୍ୟାଖ୍ୟା, ଇତିହାସ, ପୁରାଣ, ନ୍ୟାୟ, ଦର୍ଶନ, ଶିକ୍ଷା, ରାଜନୀତି, ଧର୍ମନୀତି, ସମାଜନୀତି, ସୈନ୍ୟ ପରିଚାଳନା, ବ୍ୟୂହରଚନା ଆଦି ବିବିଧ ପ୍ରସଙ୍ଗ ସୁନ୍ଦର ଭାବରେ ବର୍ଣ୍ଣିତ। ପରଂବ୍ରହ୍ମ ତତ୍ତ୍ବ ପ୍ରତିପାଦନ ଏହାର ଅନ୍ୟତମ ପ୍ରତିପାଦ୍ୟ ବିଷୟ। ଏହା ପଞ୍ଚମ ବେଦ ନାମରେ ନାମିତ। ମହାଭାରତ ଯୁଦ୍ଧ ଅବସରରେ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କ ସାରଥି ଭାବରେ ଶ୍ରୀକୃଷ୍ଣ ଉପଦେଶ ଛଳରେ ଯେଉଁ ନିଗୂଢ଼ ଆଧ୍ୟାତ୍ମିକ ତତ୍ତ୍ବ ସମ୍ବଳିତ ଉପଦେଶ ପ୍ରଦାନ କରିଛନ୍ତି ତାହା ‘ଭଗବତ୍‌ ଗୀତା’ ନାମରେ ପ୍ରସିଦ୍ଧ। ଧର୍ମ, ଅର୍ଥ, କାମ, ମୋକ୍ଷ- ଏହି ଚତୁର୍ବର୍ଗ ମହାଭାରତରେ ପ୍ରତିପାଦିତ। ଏହି ଗ୍ରନ୍ଥରେ ଅତୀବ ରୋଚକ ଓ ପ୍ରେରଣାଦାୟୀ ବର୍ଣ୍ଣନା ରହିଛି। ମହାଭାରତ ସମ୍ପର୍କରେ ଏହା କୁହାଯାଇଥାଏ ଯେ – ‘ଯତ୍ର ଭାରତେ ତତ୍ର ଭାରତେ’ ଅର୍ଥାତ ଯାହା ମହାଭାରତରେ ନାହିଁ ତାହା ଭାରତବର୍ଷରେ ନାହିଁ। ଏଥିରୁ ଏହି କାଳଜୟୀ ଗ୍ରନ୍ଥର ବିଶେଷତ୍ବ ଜାଣିହୁଏ ସହଜରେ। ଆଚରଣରେ କିଭଳି ଧର୍ମୀୟ ଭାବଧାରା ପ୍ରତିଫଳିତ ହେବା ଉଚିତ, ମହାଭାରତରୁ ଏହି ବିଶେଷ ଶିକ୍ଷା ଆମକୁ ମିଳିଥାଏ। କୌରବମାନଙ୍କର ଅଶିଷ୍ଟ, ନୀତିହୀନ ଆଚରଣ, ଔଦ୍ଧତ୍ୟ ହିଁ ସେମାନଙ୍କ ବଂଶ ଧ୍ବଂସର କାରଣ ହେଲା ଯାହା ଏଥରେ ସୁନ୍ଦର ଭାବରେ ବର୍ଣ୍ଣିତ। ଧର୍ମର ମର୍ମ ଓ ତା’ର ବ୍ୟାପକତା ବର୍ଣ୍ଣନା କରି ପିତାମହ ଭୀଷ୍ମ କହିଥିଲେ- ସର୍ବତ୍ର ବିହିତୋ ଧର୍ମଃ ସ୍ବର୍ଗ ସତ୍ୟଫଳଂ ତପଃ। ବହା ଦୂରସ୍ୟ ଧର୍ମସ୍ୟ ନିହାସ୍ତି ବିଫଳା କ୍ରିୟା। (ମହାଭାରତ ଶାନ୍ତି ପର୍ବ ୧୭୪ା୨) ପିତାମହଙ୍କର ଏହା କହିବାର ଉଦ୍ଦେଶ୍ୟ ଥିଲା- ଧର୍ମର ଉଦ୍ଦେଶ୍ୟ ଫଳଦାୟକ ହୋଇଥାଏ ଯାହାକୁ ଆମେ ଦେଖିପାରୁ, ନ ପାରୁ, କିନ୍ତୁ ଏହା ବହୁତ ମହତ୍ତ୍ବପୂର୍ଣ୍ଣ, ଫଳଦାୟୀ। ଧର୍ମମୟ ଆଚରଣର ଫଳ ତତ୍କାଳ ଆମକୁ ମିଳି ନ ପାରେ କିମ୍ବା ଅନୁଭୂତ ହୋଇ ନପାରେ, କିନ୍ତୁ ପରବର୍ତ୍ତୀ ସମୟରେ ଏହାର ପ୍ରଭାବ ଉପଲବ୍ଧି କରି ହୋଇଥାଏ। ଧର୍ମର ଜୟ ନିଶ୍ଚିତ- ମହାଭାରତ ଏହି ଶିକ୍ଷା ଦେଇଥାଏ ଆମକୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories