www.samajalive.in
Friday, December 5, 2025
17.1 C
Bhubaneswar

କୃଷିରେ ଜଳ ବିଭାଜିକା ପରିଯୋଜନା

ଭୁବନେଶ୍ଵର: ଭାରତରେ ମୋଟ ଫସଲ ଚାଷ ଜମିର ୫୧ ଶତାଂଶ ଜମି ବୃଷ୍ଟି ନିର୍ଭରଶୀଳ ଓ ଏଥିରୁ ମୋଟ ଖାଦ୍ୟଶସ୍ୟର ପ୍ରାୟ ୪୦ ପ୍ରତିଶତ ଊତ୍ପାଦନ ହୋଇଥାଏ। ଏହି ଅଞ୍ଚଳରେ ମୁଖ୍ୟ ଫସଲ ହେଉଛି ଲଘୁ ଶସ୍ୟ, ମକା, ଜୁଆର, ବାଜରା, ଧାନ ଓ କପା ଫସଲ। ଓଡ଼ିଶାରେ ମଧ୍ୟ ପ୍ରାୟ ୭୪ ଶତାଂଶ କୃଷି ଜମି ବୃଷ୍ଟି ନିର୍ଭରଶୀଳ। ରାଜ୍ୟର ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କନ୍ଧମାଳ ଓ ଢେଙ୍କାନାଳ ଜିଲାଗୁଡିକ ଅଧିକ ମାତ୍ରାରେ ବୃଷ୍ଟି ନିର୍ଭରଶୀଳ। ସ୍ବାଧୀନତା ପରଠାରୁ ଦେଶରେ ବହୁ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସତ୍ତ୍ୱେ ସେଚ ଜଳର କାର୍ଯ୍ୟ ଦକ୍ଷତା ବିଶେଷ ବୃଦ୍ଧି ପାଉନି ଓ ଜଳସେଚିତ ଅଞ୍ଚଳରେ ଉତ୍ପାଦନ ପ୍ରାୟତଃ ସ୍ଥାଣୁ ଅବସ୍ଥାରେ ପହଞ୍ଚିଲାଣି। ଏହି ପରିପ୍ରେକ୍ଷୀରେ ବୃଷ୍ଟିପୁଷ୍ଟ ଅଞ୍ଚଳରେ ଉତ୍ପାଦନ ବୃଦ୍ଧିର ଅଧିକ ସୁଯୋଗ ରହିଛି।
ବୃଷ୍ଟି ନିର୍ଭରଶୀଳ ବା ଶୁଷ୍କାଞ୍ଚଳଗୁଡିକରେ ଜଳବିଭାଜିକା ଭିତ୍ତିରେ ନୂତନ କୃଷିପଦ୍ଧତି ଅନୁସରଣ କଲେ କୃଷି ଉତ୍ପାଦନ ବୃଦ୍ଧି ସହିତ ଲୋକମାନଙ୍କ ଜୀବିକାର୍ଜନ ଅଧିକ ସୁଗମ ହେବ। ଜଳବିଭାଜିକା କହିଲେ ଏକ ନିର୍ଦିଷ୍ଟ ଭୌଗୋଳିକ ଅଞ୍ଚଳକୁ ବୁଝାଏ ଯାହା ମଧ୍ୟରୁ ସଂଗୃହୀତ ବର୍ଷାଜଳ ଏକ ସାଧାରଣ ନିଷ୍କାସନ ପ୍ରଣାଳୀ (ନାଳ, ନଦୀ ଇତ୍ୟାଦି)ଦେଇ ନିମ୍ନ୍ ଦେଶକୁ ବହିଯାଏ। ଜଳବିଭାଜିକାଗୁଡିକୁ ବୃହତ୍‌ (୫୦୦୦୦ ହେକ୍ଟରରୁ ଅଧିକ), ଉପ ଜଳବିଭାଜିକା (୧୦୦୦୦-୫୦୦୦୦ ହେକ୍ଟର), ମିଲି ଜଳବିଭାଜିକା (୧୦୦୦-୧୦୦୦୦ ହେକ୍ଟର), ମାଇକ୍ରୋ ଜଳବିଭାଜିକା ( ୧୦୦-୧୦୦୦ ହେକ୍ଟର) ଓ ମିନି ଜଳବିଭାଜିକା (୧-୧୦୦ ହେକ୍ଟର) ହିସାବରେ ବିଭକ୍ତ କରାଯାଏ। ଆମ ଦେଶରେ ୩୮୫୪ ବୃହତ୍‌, ୪୯୬୧୮ ଉପ ଓ ୩୨୧୩୨୪ ମାଇକ୍ରୋ ଜଳବିଭାଜିକା ଚିହ୍ନଟ କରାଯାଇଛି। ଆମ ଓଡ଼ିଶାରେ ୨୦୦୭୯ ମାଇକ୍ରୋ ଜଳବିଭାଜିକା ଚିହ୍ନଟ ହୋଇଥିଲେ ମଧ୍ୟ ଏଯାଏ ୪୮୬୫ ଟି ୨, ୮୦୯, ୦୮୯ ହେକ୍ଟର ଜମିରେ କାର୍ଯ୍ୟକାରୀ ହୋଇଛି। ରାଜ୍ୟରେ ୨୦୨୨-୨୩ ସୁଦ୍ଧା ୧୦୭୫୭ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପାଇଁ ଯୋଜନା ୨୦୦୯-୧୦ ରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ସଫଳ ହେଲା ନାହିଁ। ଜଳବିଭାଜିକା ବିକାଶ ପାଇଁ ଭାରତ ସରକାର IWDP, DPAP , NWDPRA, EAS, ACA, DDP, RVP, IWMP ପରି କାର୍ଯ୍ୟକ୍ରମ ପାଇଁ ବିପୁଳ ଅର୍ଥ ବ୍ୟୟ କରିଛନ୍ତି। ବର୍ତ୍ତମାନ ଜଳବିଭାଜିକା ପ୍ରକଳ୍ପ ( ସମନ୍ବିତ ଜଳବିଭାଜିକା ପରିଚାଳନା ପ୍ରକଳ୍ପ) ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କାର୍ଯ୍ୟକାରୀ ହେଉଛି। ଉପରୋକ୍ତ ଯୋଜନା ସହିତ ଅତୀତରେ ଓଡ଼ିଶାରେ ପଶ୍ଚିମ ଓଡ଼ିଶା ଗ୍ରାମ୍ୟ ଜୀବିକା ପ୍ରକଳ୍ପ, ଓଡ଼ିଶା ଆଦିବାସୀ ସଶକ୍ତୀକରଣ ଓ ଜୀବିକା ନିର୍ବାହ ଯୋଜନା, କୋରାପୁଟ-ବଲାଙ୍ଗିର-କଳାହାଣ୍ଡି ଯୋଜନା ମଧ୍ୟ କାର୍ଯ୍ୟକାରୀ ହୋଇଛି। ଏହା ସତ୍ତ୍ୱେ ସମସ୍ତ ମାଇକ୍ରୋ ଜଳବିଭାଜିକା ଏଯାଏ ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇନାହିଁ ।
ପଶ୍ଚିମ ଓଡ଼ିଶା ଗ୍ରାମ୍ୟ ଜୀବିକା ପ୍ରକଳ୍ପ ୨୦୦୦ ରୁ ୨୦୧୦ ପର୍ଯ୍ୟନ୍ତ ୨୯୦ ମାଇକ୍ରୋ ଜଳବିଭାଜିକାରେ କାର୍ଯ୍ୟକାରୀ ହୋଇଥିଲା। ଏହା ପରେ ଏହାକୁ ୩୮୭ ଜଳବିଭାଜିକାରେ ଜୀବିକା ନାମକ ପରିଯୋଜନା ଅନ୍ତର୍ଭୁକ୍ତ ହୋଇଥିଲା। ଏହି ପ୍ରକଳ୍ପ ଯୋଗୁଁ ୨୭% ପରିବାର ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଥିଲେ। ପ୍ରବାସନ ମଧ୍ୟ ୪୭% ରୁ ୬% କୁ ହ୍ରାସ ପାଇଥିଲା। ଏହି ପ୍ରକଳ୍ପରେ ୧୨୯୬୦ ସ୍ବୟଂ ସହାୟକ ଗୋଷ୍ଠୀ ଓ ୪୭୦୦ ବ୍ୟାବହାରିକ ଗୋଷ୍ଠୀ ନିଷ୍ଠାପର ଭାବରେ ସହଭାଗୀ ହୋଇଥିଲେ।
ଜଳବିଭାଜିକା ଯୋଜନାର ବିଭିନ୍ନ କଳେବର ହେଉଛି ସମନ୍ବିତ ଅବକ୍ଷୟ ଜମି ପରିଚାଳନା (୧୯୮୯-୯୦ ), ବୃଷ୍ଟି ପୁଷ୍ଟ ଅଞ୍ଚଳରେ ଜାତୀୟ ଜଳବିଭାଜିକା ପରିଚାଳନା ପ୍ରକଳ୍ପ (୧୯୯୦-୯୧ ), ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ (୧୯୯୫-୯୬), ମରୁଡି ପ୍ରବଣ ଅଞ୍ଚଳ କାର୍ଯ୍ୟକ୍ରମ ଓ ମରୁଭୂମି ଉନ୍ନୟନ କାର୍ଯ୍ୟକ୍ରମ (୧୯୭୩-୭୪), ମହିଳା କୃଷକ ସଶକ୍ତୀକରଣ ପରିଯୋଜନା ( ୨୦୧୦ -୧୧ ), ସମନ୍ବିତ ଜଳବିଭାଜିକା ପରିଚାଳନା ଯୋଜନା ( ୨୦୦୯-୧୦ ), ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ( ୨୦୧୫-୧୬)। ଏହି ଯୋଜନାଗୁଡିକୁ ଉଭୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଓ କୃଷି ମନ୍ତ୍ରାଳୟ କାର୍ଯ୍ୟକାରୀ କରନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳବିଭାଜିକା ପାଇଁ ସମତଳ ଅଞ୍ଚଳରେ ହେକ୍ଟର ପ୍ରତି ୨୨୦୦୦ ଟଙ୍କା ଓ ପାହାଡ଼ିଆ ଅଞ୍ଚଳ ପାଇଁ ୨୮୦୦୦ ଟଙ୍କା ବ୍ୟୟ ବରାଦ ଅଛି। ଅଧିକ ଖର୍ଚ୍ଚ ଆବଶ୍ୟକ ପଡ଼ିଲେ ଏହାକୁ ରାଜ୍ୟ ସରକାର ବହନ କରିବେ। ବ୍ୟୟ ଅଟକଳ କେନ୍ଦ୍ର ସରକାର ୬୦% ଓ ରାଜ୍ୟ ସରକାର ୪୦% ବହନ କରିବାର ପ୍ରାବଧାନ ରହିଛି। ପ୍ରତି ଜଳବିଭାଜିକା ପ୍ରକଳ୍ପର ଏକ ସ୍ଥିରୀକୃତ କାର୍ଯ୍ୟକାଳ ଥାଏ। ଏହା ପାଞ୍ଚ ବର୍ଷରୁ ସାତବର୍ଷ ହୋଇପାରେ।
ଭାରତରେ ଯେଉଁ କେତୋଟି ଜଳବିଭାଜିକା ସଫଳ ହୋଇଛି ସେଗୁଡିକ ହେଲା ମଧ୍ୟପ୍ରଦେଶର ଝାବୁଆ, ହରିଆଣାର ସୁଖମାଯୋରି, ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଧି, କର୍ଣ୍ଣାଟକର ମାଇରାଡା ଜଳବିଭାଜିକା ଓ ଗରହକୁନ୍ଦର- ଦବାର ( ବୁନ୍ଦେଲ ଖଣ୍ଡ)। ଏଗୁଡ଼ିକର ସଫଳତାର ଶ୍ରେୟ ଜନ ସହଭାଗିତା ଓ ଦକ୍ଷ ପ୍ରକଳ୍ପ ପରିଚାଳନାକୁ ଯିବ। ପଶ୍ଚିମ ଓଡ଼ିଶା ଜିବିକା ନିର୍ବାହ ଉନ୍ନୟନ ପ୍ରକଳ୍ପ ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡା ରେ ଇଂଲଣ୍ଡ ଡି. ଏଫ୍. ଆଇ. ଡି ସହାୟତାରେ କାର୍ଯ୍ୟକାରୀ ହୋଇ କେତେକ ସଫଳତା ହାସଲ କରିଥିଲା। କଳାହାଣ୍ଡିର ମା’ ମାଣିକେଶ୍ବରୀ ଜଳବିଭାଜିକା ଓ ଘୁମୁରା ଜଳବିଭାଜିକା ମଧ୍ୟ ଲୋକଙ୍କ ସହଭାଗିତା ଯୋଗୁଁ ସଫଳ ହୋଇଛି।
ଜଳବିଭାଜିକା ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଜିଲାପାଳଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରି ନେତୃତ୍ବ ନେଲେ ଏହା ସଫଳ ହୁଏ। ଅତୀତରେ ୧୮ ଜଣ ଜିଲାପାଳଙ୍କୁ ଗୋପବନ୍ଧୁ ପ୍ରଶାସନ ଅକାଦେମିରେ ପ୍ରଶିକ୍ଷଣ ଦିଆ ହୋଇଥିଲା। ଏହାକୁ ସଂଯୋଜନା କରିଥିଲେ ଓଡ଼ିଶା ଜଳବିଭାଜିକା ଉନ୍ନୟନ ମିଶନ୍। ବର୍ତ୍ତମାନ ମିଶନ ନାହିଁ କି ସେହି ଜିଲାପାଳମାନେ ପ୍ରାୟ ଅବସର ଗ୍ରହଣ କରିସାରିଛନ୍ତି। ଏଣୁ ବର୍ତ୍ତମାନର ଜିଲାପାଳମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଅଛି।
ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଜଳବିଭାଜିକା ପରିଚାଳନା ଦ୍ବାରା କି ପ୍ରକାରର ଲାଭ ମିଳେ ? ଲାଭଗୁଡିକ ହେଲା ଜଳ ଓ ମୃତ୍ତିକା ସଂରକ୍ଷଣ, ଭୂତଳ ଜଳ ପତ୍ତନ ବୃଦ୍ଧି, ଅଧିକ କୃଷି ଅମଳ ଓ ରୋଜଗାର ବୃଦ୍ଧି, ମୃତ୍ତିକା ସ୍ୱାସ୍ଥ୍ୟ ବିକାଶ ଓ ଗୋଷ୍ଠୀ ସହଭାଗିତା। ଜଳବିଭାଜିକା ଆନ୍ଦୋଳନ ଜଳ ନିରାପତ୍ତା, ପରିବେଶ ସନ୍ତୁଳନ ଓ ଗ୍ରାମ୍ୟ ବିକାଶ ପାଇଁ ଏକ ଉତ୍ତମ ମାଧ୍ୟମ। ଏହାର ସଫଳତା ମୁଖ୍ୟତଃ ନିର୍ଭର କରେ ଫଳପ୍ରଦ ଗୋଷ୍ଠୀ ସହଭାଗିତା, ସମନ୍ବିତ ଯୋଜନା ଏବଂ ଚିରସ୍ଥାୟୀ ପଦକ୍ଷେପ ଇପରେ। ଦେଶରେ ଆଜି ଜଳବାୟୁ ପରିବର୍ତ୍ତନ ଏକ ମୁଖ୍ୟ ସମସ୍ୟା ହିସାବରେ ଦେଖାଗଲା ବେଳେ ଦେଶର ଦୀର୍ଘ ମିଆଦୀ ବିକାଶ ପାଇଁ ଜଳବିଭାଜିକା ପରିଚାଳନା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ, ଏଥିରେ ଦ୍ୱିମତର ଅବକାଶ ନାହିଁ ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories