ଭୁବନେଶ୍ଵର: ଆଧୁନିକ ମଣିଷ ନିଜ ସୁଖ ଓ ସ୍ବାଚ୍ଛନ୍ଦ୍ୟ ପାଇଁ ଯେଭଳି ପ୍ରକୃତି ଉପରେ ନିରନ୍ତର ଚାପ ସୃଷ୍ଟି କରିଚାଲିଛି, ତା’ର ପରିଣତି ସ୍ବରୂପ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଭଳି ଆକସ୍ମିକ ବିପତ୍ତିକୁ ଆମନ୍ତ୍ରଣ କରୁଛି। ମଙ୍ଗଳବାର ଦେବଭୂମି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯେଉଁ କ୍ଷୟକ୍ଷତି ରଚିଛି, ସେଥିରେ ଶତାଧିକ ଲୋକ ନିଖୋଜ ହୋଇଛନ୍ତି। ବହୁ ଘରଦ୍ବାର, ହୋଟେଲ ଆଦି ତାସ୍ ଘର ଭଳି ପାହାଡ଼ୀ ବନ୍ୟାସ୍ରୋତରେ ଭୁଶୁଡ଼ିବା ସହ ଭାସି ଯାଇଛି। କେବଳ ଏହି ଘଟଣା ନୁହେଁ; ପୂର୍ବରୁ କେଦାରନାଥ, ବଦ୍ରିନାଥ ଓ ଉତ୍ତରକାଶୀରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜି ଶତାଧିକ ପ୍ରାଣହାନି ଘଟିଛି। ଜାମ୍ମୁ-କାଶ୍ମୀର, କେରଳର ୱାୟନାଡ୍ ଘଟଣା ଏବେ ବି ମାନସ ପଟରୁ ଲିଭିନାହିଁ। କେବଳ ଭାରତ କାହିଁକି ପୃଥିବୀର କୋଣ ଅନୁକୋଣରେ ବନ୍ୟା, ଝଡ଼ବାତ୍ୟା ଓ ପାହାଡୀ ବନ୍ୟା ତଥା ଭୂସ୍ଖଳନ ଅନେକ ଜୀବନହାନି ଘଟାଇଛି। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଅଥବା ଉତ୍ତର ପୂର୍ବାଞ୍ଚଳ ରାଜ୍ୟସମୂହରେ ଏଭଳି ପାହାଡ଼ୀ ବନ୍ୟା ଓ ଭୂସ୍ଖଳନ ପଛର କାରଣ ହେଉଛି ପ୍ରାକୃତିକ ଭାରସାମ୍ୟ ବିଗିଡ଼ିବା।
ପରିସଂସ୍ଥୀୟ ସମତା ଓ ଜୈବ ବିବିଧତା ଧ୍ବଂସ, ବ୍ୟାପକ ଜଙ୍ଗଲହାନି, ପାହାଡ଼ କାଟି ସୁଡଙ୍ଗ, ସଡ଼କ ଓ ରେଳପଥ ନିର୍ମାଣ ଦ୍ବାରା ଏସବୁ ଅଞ୍ଚଳର ବିଘଟନ ଆରମ୍ଭ ହୋଇଯାଇଛି। ପାହାଡ଼ ପାଣିକୁ ଅଟକାଇ ସେଥିରୁ ବିଜୁଳି ଚାହିଦା ପୂରଣ ଲାଗି ବଡ଼ ବଡ଼ ବ୍ୟାରେଜ୍ ନିର୍ମାଣ କରାଯାଇଛି। ପର୍ଯ୍ୟଟନର ବିକାଶ ନାଁରେ ବଡ଼ ବଡ଼ ସଫିଂ ମଲ୍, ହୋଟେଲ ନିର୍ମାଣ ସହ ଜନବସତି ବୃଦ୍ଧି ଏସବୁ ଅଞ୍ଚଳର ପରିବେଶକୁ ଧ୍ବଂସାଭିମୁଖୀ କରିଛି। ଜନସଂଖ୍ୟାର ବିସ୍ଫୋରଣ କାରଣରୁ ମଣିଷ ତା’ର ଶେଷ ଠିକଣା ଶ୍ମଶାନ ଭଳି ନିଷିଦ୍ଧାଞ୍ଚଳକୁ ମଧ୍ୟ ଜବରଦଖଲ କରିବାକୁ ପଛାଉନି। ଜଳଉତ୍ସ ପୋତି କେଉଁଠି ନିର୍ମାଣ ଚାଲିଛି, ତ’ କେଉଁଠି ନଦୀ, ସମୁଦ୍ର ଓ ପାହାଡ଼ ଶିଖରରେ ଗଢୁଛି ନଭଶ୍ଚୁମ୍ବୀ ଅଟ୍ଟାଳିକା। ଏହା ଭୂମିର ଚାପ ଓ ତାପ ଉଭୟ ବଢାଇବା ସହ ପାରିପାର୍ଶ୍ବିକ ସ୍ଥିତି ନଷ୍ଟ କରୁଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଅତିବୃଷ୍ଟି, ଅନାବୃଷ୍ଟି ଭଳି ଋତୁଚକ୍ର ବଦଳିଛି। ଏହା ଆମ ଜୀବନ ପ୍ରକ୍ରିୟାକୁ ମଧ୍ୟ ବଦଳାଇ ଦେଉଛି। ସ୍ବଳ୍ପରେ ଆତ୍ମସନ୍ତୋଷକୁ ଆଧୁନିକ ମଣିଷ ଗ୍ରହଣ ନ କରି ଅଧିକ ଲାଳସାରେ ପ୍ରକୃତି ଉପରେ ନିର୍ଯାତନା ଚଳାଇଛି। ବ୍ୟାପକ ଖଣି ଖନନ, ଜଙ୍ଗଲ ଧ୍ବଂସ, ପାହାଡ଼ କଟା ଭଳି ପ୍ରାକୃତିକ ସମ୍ବଳର ଯଥେଚ୍ଛାଚାରିତା ହିଁ ପ୍ରକୃତି ପାଇଁ ବିଧ୍ବଂସକ ପାଲଟିଛି। ପ୍ରକୃତିର କ୍ଷତି ହିଁ ପରୋକ୍ଷରେ ମାନବ ସମାଜକୁ ବିପଦମୁହାଁ କରିଛି।
ସତରେ କେତେ ସରଳ ଥିଲା ଆରଣ୍ୟକ ଜୀବନଶୈଳୀ! ସରଳ, ନିରାଡ଼ମ୍ବର ଓ ପରିବେଶ କୋଳରେ ପ୍ରକୃତି ପ୍ରଦତ୍ତ ପାଣି, ପବନ, ମାଟି ଓ ଫଳ ଖାଇ ବଞ୍ଚୁଥିବା ମଣିଷ ଏବେ ଆଧୁନିକତାର ଯାନ୍ତ୍ରିକ ଆରାମପ୍ରଦ ପ୍ରହେଳିକାରେ ମାତିଛି। ନିଜ ପାଇଁ ନିଜେ ଗାତ ଖୋଳୁଛି। କେବେ ହେଜିବ ମଣିଷ ସମାଜ। ପ୍ରକୃତି ଉପରେ ବନ୍ଦ କରିବ ତା’ର ଅତ୍ୟାଚାର ! କାରଣ ବିକାଶ ନାଁରେ ବିନାଶକୁ ଆମନ୍ତ୍ରଣ ନ କରୁ ସଭ୍ୟ ସମାଜ। କୁହାଯାଏ ପ୍ରକୃତି ଯେତେବେଳେ ଅସହ୍ୟ ଚାପର ସମ୍ମୁଖୀନ ହୁଏ ସେତେବେଳେ ଭୟଙ୍କର ରୂପ ନିଏ। ଏହି କ୍ରୋଧ ପଛରେ ରହିଛି ମଣିଷର ଅବିବେକିତା। ଗାନ୍ଧିଜୀ ଯଥାର୍ଥରେ କହିଥିଲେ, ‘‘ପ୍ରକୃତି ମଣିଷର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଦେଇଛି, ମାତ୍ର ଲୋଭ ଲାଗି ନୁହେଁ।’’
ପ୍ରକୃତିର କ୍ରୋଧ
Popular Categories



