www.samajalive.in
Friday, December 5, 2025
26.1 C
Bhubaneswar

୨୦୩୬ ସୁଦ୍ଧା ଗଠନ କରିବୁ ସମୃଦ୍ଧ ଓଡିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍‌ଙ୍କ ଓଡ଼ିଶା ଗସ୍ତ ସବୁଦୃଷ୍ଟିରୁ ଏକ ଐତିହାସିକ ଘଟଣା। ବିକାଶର ଭିଜନକୁ ବାସ୍ତବତାରେ ପରିଣତ କରିବା ଦିଗରେ ଆମ ଓଡ଼ିଶା ପାଇଁ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ଏହାଦ୍ୱାରା ୨୦୩୬ ମସିହା ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ ପୂରଣ ଦିଗରେ ଏକ ସୁଦୃଢ଼ ଭିତ୍ତି ପଡ଼ିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଲୋକସେବା ଭବନସ୍ଥିତ କନଭେନ୍‍ସନ ସେଣ୍ଟରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମ ସରକାର ମାତ୍ର ୭ ମାସ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ବିଭିନ୍ନ ଆହ୍ୱାନର ମୁକାବିଲା ସହିତ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ରୂପରେଖ ପ୍ରସ୍ତୁତ କରାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ନିବେଶ କରିବା ସହିତ ଦେଶ ଓ ସାରା ବିଶ୍ବର ପ୍ରମୁଖ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ନିମନ୍ତ୍ରଣ କରାଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସିଙ୍ଗାପୁର ଗସ୍ତ ସମୟରେ ବିଭିନ୍ନ ଅଗ୍ରଣୀ ଶିଳ୍ପ ସଂସ୍ଥା ପରିଦର୍ଶନ କରିବା ସହ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲି। ସିଙ୍ଗାପୁର ସରକାରଙ୍କ ବିଭିନ୍ନ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିବା ସହିତ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲି। ଓଡ଼ିଶା ପାଇଁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଓଡ଼ିଶା ଗସ୍ତ ଅତ୍ୟନ୍ତ ସମ୍ମାନର ବିଷୟ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାର, ସିଙ୍ଗାପୁର ସହିତ ୮ଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା କରିଛନ୍ତି। ଇଡ୍‌କୋ ସହ ସିଙ୍ଗାପୁରର ସେମ୍ବକର୍ପର ବୁଝାମଣା ଜରିଆରେ ଓଡ଼ିଶାରେ ବିଶ୍ବସ୍ତରୀୟ ମଲ୍ଟିପ୍ରଡକ୍ଟ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଇପିକଲ୍ ସହିତ ମଧ୍ୟ ସେମ୍ବକର୍ପର ଏକ ବୁଝାମଣା ହୋଇଛି। ଏଥିରେ ପାରାଦ୍ବୀପରେ ଏକ ଗ୍ରୀନ ସପିଙ୍ଗ୍ କରିଡର ଓ ଏକ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହାଦ୍ୱାରା ଭାରତର ଗ୍ରୀନ ଏନର୍ଜି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରିପାରିବ। ଇପିକଲ ଓ ସିଙ୍ଗାପୁରର ସୁରବନ୍ ଜୁରଙ୍ଗ୍ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ପାରାଦ୍ବୀପ ପିସିପିଆଇଆର ଅଞ୍ଚଳର ବିକାଶ ପାଇଁ ଏକ ବିସ୍ତୃତ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯିବ। ଏଥିରେ ମୁଖ୍ୟତଃ ଦୀର୍ଘସ୍ଥାୟୀ, ଅକ୍ଷୟ ଶକ୍ତି ଏବଂ ମୂଲ୍ୟଯୁକ୍ତ ମାନୁଫାକଚରିଂ ଉପରେ ପ୍ରାଥମିକତା ରହିବ। ବିଡିଏ ଓ ସୁରବନ୍ ଜୁରଙ୍ଗ୍ ସହିତ ଯେଉଁ ବୁଝାମଣା ହୋଇଛି, ସେଥିରେ ଭୁବନେଶ୍ବର ନିକଟରେ ଏକ ଅତ୍ୟାଧୁନିକ ସହରର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ରାଜ୍ୟ ଶକ୍ତି ବିଭାଗ, ଭୁବନେଶ୍ବର ଆଇଆଇଟି ଓ ସିଙ୍ଗାପୁରର ନାନ୍ୟାଙ୍ଗ୍ ଟେକ୍ନୋଲୋଜିକାଲ ୟୁନିଭରସିଟି ମଧ୍ୟରେ ଏକ ତ୍ରି-ପାକ୍ଷିକ ବୁଝାମଣା କରାଯାଇଛି। ଏହାଦ୍ୱାରା ଭବିଷ୍ୟତରେ ଆମର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଗ୍ରୀନ ହାଇଡ୍ରୋଜେନ ଓ ସୌରଶକ୍ତି ପରି ବିଭିନ୍ନ ବିକଳ୍ପ ସମାଧାନର ସୂତ୍ର ବାହାର କରାଯିବ।
ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ସହିତ ସିଙ୍ଗାପୁରର ଗ୍ଲୋବାଲ ଫାଇନାନ୍ସ ଓ ଟେକ୍ନୋଲୋଜି ନେଟ୍‍ୱର୍କ ଏବଂ ଜିଏଫ୍‌ଟିଏନ୍‌ ସହିତ ଯେଉଁ ଚୁକ୍ତି ହୋଇଛି। ଏହାଦ୍ବାରା ଫାଇନାନ୍ସିଆଲ ଟେକ୍ନୋଲୋଜି ଇକୋସିଷ୍ଟମର ବିକାଶ ସହ ଫିନ୍‌ଟେକ୍ କ୍ଷେତ୍ରରେ ଅଧିକ ନିବେଶ ଆସିବ ଓ ନବସୃଜନ ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍କିଲିଂ କ୍ଷେତ୍ରରେ ବିକାଶ ପାଇଁ ଦୁଇଟି ବୁଝାମଣା ହୋଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସିଙ୍ଗାପୁରର ଆଇଟିଇଇଏସ୍‌ ମଧ୍ୟରେ ଚୁକ୍ତି ହୋଇଛି। ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ ୟୁନିଭରସିଟି ସହିତ ଆଇଆଇଟି ଭୁବନେଶ୍ବର ଏବଂ ଶକ୍ତି ବିଭାଗ ଆଉ ଗୋଟିଏ ବୁଝାମଣା କରିଛନ୍ତି। ଏହାଦ୍ୱାରା ଆଇଟି, ଆଇଟିଇଏସ୍‌, ସେମିକଣ୍ଡକ୍ଟର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ। ଆଧୁନିକ ସହରାଞ୍ଚଳ ଯୋଜନାଠାରୁ ଆରମ୍ଭ କରି ନୂତନ ସହର ପ୍ରତିଷ୍ଠା, ପେଟ୍ରୋଲିୟମ, କେମିକାଲ୍ସ, ସବୁଜ ଶକ୍ତି ଓ ଦକ୍ଷତା ବିକାଶ ପରି ଆଧୁନିକ କ୍ଷେତ୍ରର ବିକାଶ ପାଇଁ ବର୍ତ୍ତମାନ ଆମର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଯୋଜନାରେ ଓଡ଼ିଶାର ବିକାଶକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ସୂଚନାଯୋଗ୍ୟ ଯେ, ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ସିଙ୍ଗାପୁର ରାଷ୍ଟ୍ରପତି ଫେରିଯାଇଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ଅନ୍ୟମାନେ ତାଙ୍କୁ ବିଦାୟ ଜଣାଇଛନ୍ତି।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories