ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଡାଉନ ଅବଧି ବୃଦ୍ଧି ପାଇବ କି ସମେତ ୩ଟି ପ୍ରଶ୍ନ ପଚାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। କରୋନା ସଂକ୍ରମଣରେ ଭୁବନେଶ୍ବର ହଟସ୍ପଟ ହୋଇଥିବା ବେଳେ ତଦନୁଯାୟୀ ଅଧିକ ପରୀକ୍ଷା କରାଯାଇନାହିଁ। ତେଣୁ ଲକ୍ଡାଉନ ଅବଧି ବଢ଼ିବ କି ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନା ପ୍ରଶ୍ନ କରିଛନ୍ତି। ଶ୍ରୀ ଜେନା ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଭୁବନେଶ୍ବରରେ ୨୦ ଲକ୍ଷ ଲୋକ ରହୁଥିବା ବେଳେ ୨୬ ଦିନର ଲକ୍ଡାଉନ ସମୟରେ ମାତ୍ର ୯ ହଜାର ଲୋକଙ୍କର କରୋନା ପରୀକ୍ଷା କରାଯାଇଛି। ଏଭଳି ସ୍ଥିତିରେ ଲକ୍ଡାଉନ ଅବଧି ବୃଦ୍ଧି କରାଯିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ରାଜ୍ୟ ବାହାରେ ଫସିଥିବା ଶ୍ରମିକଙ୍କୁ ଆଣିବାକୁ ସରକାର କାହିଁକି ପ୍ରୟାସ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ୧୧୪ଟି ମୁନିସପାଲିଟି ୪.୫ ଲକ୍ଷ ଶ୍ରମିକଙ୍କ ପାଇଁ ସରକାର ୧୦୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଏହି ଅର୍ଥରୁ ଶ୍ରମିକଙ୍କ ମଜୁରୀ ପାଇଁ ୩୦ ପ୍ରତିଶତ ଅର୍ଥାତ୍ ୩୦ କୋଟି ବ୍ୟୟ ହେବ। ୪.୫ ଲକ୍ଷ ଶ୍ରମିକଙ୍କ ପାଇଁ ୧୫୦ ଦିନର କାମକୁ ହିସାବ କଲେ ପ୍ରତି ଶ୍ରମିକଙ୍କୁ ଦୈନିକ ୪ଟଙ୍କା ୪୪ ପଇସା ପଡିବ ବୋଲି ସେ ଦର୍ଶାଇଛନ୍ତି। ଏହି ୩ଟି ପ୍ରଶ୍ନ ଉପରେ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଶ୍ରୀ ଜେନା ଦାବି କରିଛନ୍ତି ।
Popular Categories



