‘ପାଇକ ବିଦ୍ରୋହ ସ୍ମାରକୀ ଓଡ଼ିଆ ଜାତିର ଅସ୍ମିତା ଓ ଗୌରବ’
ଖୋର୍ଦ୍ଧା : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲା ବରୁଣେଈଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ଏହାର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା। ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ। ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ। ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି। ରାଜ୍ୟ ସରକାର ବରୁଣେଈ ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛି। ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି। ଏହା ସତ୍ତ୍ବେ ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି। ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ। ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ। ସେ ମଧ୍ୟ ପ୍ରକଳ୍ପ ଶୀଘ୍ର ଶେଷ କରିବାକୁ ମତ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ବିଭାଷ ରଞ୍ଜନ ପାଣିଗ୍ରାହୀ, ଏସିଏଫ ଗୋବିନ୍ଦ ବିଶ୍ୱାଳ, ଐତିହାସିକ ସତ୍ୟବାଦୀ ବଳିୟାରସିଂ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, ବିଶ୍ୱରଞ୍ଜନ ବଡ଼ଜେନା, କଳିଙ୍ଗ ପାଇକ ସଙ୍ଗଠନ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ। ହେବାକୁ ଥିବା ପାଇକ ସ୍ମାରକୀ ସ୍ଥଳରେ ୭୭୯ ଶାଗୁଆନ ଗଛ ରହିଛି। ସେଗୁଡିକ ଅନ୍ୟତ୍ର ରୋପଣ କରିବାକୁ ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି।
Comments are closed.