www.samajalive.in
Friday, December 5, 2025
20.1 C
Bhubaneswar

ବ୍ୟାଙ୍କ ଜାତୀୟକରଣ ପରେ

ଭୁବନେଶ୍ଵର: ବ୍ୟାଙ୍କ ଜାତୀୟକରଣକୁ ୫୫ ବର୍ଷ ବିତିସାରିଛି। ଯେଉଁ ୧୪ଟି ବ୍ୟାଙ୍କ ପ୍ରଥମ ଦଫାରେ ବ୍ୟାଙ୍କ ଜାତୀୟକରଣରେ ସାମିଲ ହେଲେ ସମଷ୍ଟିଗତ ଭାବେ ସେମାନଙ୍କର ବ୍ୟବସାୟ ହାରାହାରି ୮୫% ଥିଲାବେଳେ ପ୍ରତ୍ୟେକଙ୍କ ଡିପୋଜିଟ ୫୦ କୋଟିରୁ ଅଧିକ ଥିଲା। ଆର୍‌ବିଆଇ ଓ ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବାରୁ ୧୯୭୦ ଦଶକରେ ପର୍ଯ୍ୟାପ୍ତ ଗ୍ରାମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳ ଶାଖା ଖୋଲାଯାଇ ବ୍ୟାଙ୍କ ସେବାକୁ ତ୍ବରାନ୍ବିତ କରାଗଲା। ପୂର୍ବରୁ ବ୍ୟାଙ୍କ ପିଣ୍ଡାକୁ ଉଠିବାକୁ ସାହସ ଜୁଟାଇ ପାରୁନଥିବା ଲୋକେ ବ୍ୟାଙ୍କ ଶାଖାରେ ପହଞ୍ଚି ନିରେଖି ଦେଖିଲେ ‘ହାଓ କ୍ୟାନ ଆଇ ହେଲ୍ପ ୟୁ’ (ମୁଁ କ’ଣ ସାହାଯ୍ୟ କରିପାରିବି) ଓ ‘ଉଇ କ୍ରିଏଟ୍‌ ସଲ୍ୟୁସନ୍‌ ଫର୍‌ କଷ୍ଟମର ଡିଲାଇଟ’ ଓ ‘କଷ୍ଟମର ଇଜ୍‌ ଦ କିଙ୍ଗ୍’ ଇତ୍ୟାଦି ପୋଷ୍ଟର୍‌ ଓ ଡେସ୍କ। ବ୍ୟାଙ୍କ ଟ୍ରେନିଂ କଲେଜରେ ତାଲିମବେଳେ କୁହାଗଲା, ପଛୁଆ ଅଞ୍ଚଳର ଗ୍ରାହକଙ୍କୁ ଯୋଡ଼ ହସ୍ତରେ ନମସ୍କାର କରିବା ସଙ୍ଗେସଙ୍ଗେ ଅନ୍ତତଃ ୨ ମିନିଟ ଲାଗି ହ୍ୟାଣ୍ଡସେକ୍‌ କରିବାକୁ ଯେପରିକି ସେମାନେ ଅନୁଭବ କରିବେ ଯେ ବ୍ୟାଙ୍କ ସେମାନଙ୍କ ନିକଟତର। ସାଧାରଣ ଜନତା ବ୍ୟାଙ୍କ ସେବାର ଅସଲ ସ୍ବାଦ ପାଇଁ ସଞ୍ଚୟ ଖାତା ଖୋଲି କମ୍‌ ସୁଧ ଓ ସହଜ କିସ୍ତିରେ ଋଣ ବି ପାଇଲେ। ୧୯୭୨ଠାରୁ ଅତି ଦୁର୍ବଳ ବର୍ଗର ଲୋକ(ଯାହାଙ୍କ ବାର୍ଷିକ ଆୟ ୧୮,୦୦୦ ଟଙ୍କାରୁ କମ୍‌)ଙ୍କ ପାଇଁ ‘ଡିଫରେନ୍‌ସିଆଲ ରେଟ୍ ଅଫ୍‌ ଇ‌େ‌ଣ୍ଟ୍ରଷ୍ଟ’ ଯୋଜନାରେ ମାତ୍ର ୪% ସୁଧ ହାରରେ ୧୫,୦୦୦ ଟଙ୍କା ଋଣ ବଣ୍ଟନର ସୁଯୋଗ ସୃଷ୍ଟି କରାଗଲା। ଏହାଦ୍ବାରା ଅତି ଗରିବ ଲୋକେ ବ୍ୟାଙ୍କମୁହାଁ ହେଲେ। ୭୦ ଦଶକରେ ଗ୍ରାମାଞ୍ଚଳରେ କୃଷି/ଅଣକୃଷି କ୍ଷେତ୍ରର ବିକାଶ ଲାଗି ବ୍ୟାଙ୍କଗୁଡ଼ିକ ସରକାରୀ ଯୋଜନାମାନ ଯଥା- ଶୁଷ୍କ ଜଳସେଚନ, ସାମଗ୍ରିକ କୃଷି ଉତ୍ପାଦନ, କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ପାଇଁ ସମନ୍ବିତ ଗ୍ରାମୀଣ ବିକାଶ ଯୋଜନା କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଲେ। ଏସବୁକୁ ବ୍ଲକସ୍ତରରେ କାର୍ଯ୍ୟ କରାଯିବା ସଙ୍ଗେସଙ୍ଗେ ସବ୍‌ସିଡି ବ୍ୟବସ୍ଥା ଯୋଗୁଁ ଅନେକ ଗ୍ରାମାଞ୍ଚଳ ପରିବାର ଉପକୃତ ହେଲେ। ପୁନଶ୍ଚ ୭୦ ଦଶକରେ (୧୯୭୬ରେ) ନରସିଂହମ୍‌ କମିଟିଙ୍କ ସୁପାରିସରେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା ହେବାରୁ ଦେଶର ନିପଟ ମଫସଲ ଅଞ୍ଚଳରେ ହଜାରହଜାର ସଂଖ୍ୟାରେ ଶାଖା ଖୋଲାଯାଇ ଗ୍ରାମାଞ୍ଚଳ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ବ୍ୟାଙ୍କସେବା/ଋଣ ଯୋଗାଇ ଦିଆଗଲା। ଏ ସବୁର ସମୀକ୍ଷା ପରେ ସରକାର ୧୯୮୦ରେ ଆଉ ୬ଟି ବ୍ୟାଙ୍କକୁ ଜାତୀୟକରଣ କରିବାରୁ ୨୦ଟି ବ୍ୟାଙ୍କ ମିଶି ସମୁଦାୟ ବ୍ୟାଙ୍କ ବେପାରର ସିଂହଭାଗ (୯୧%) ହାସଲ କଲେ। ବ୍ୟାଙ୍କଗୁଡ଼ିକ ପ୍ରତି ଦେଶବାସୀଙ୍କ ଆସ୍ଥା ବଢ଼ିଲା। ଓଡ଼ିଶା କଥା ଦେଖିଲେ ସେବର ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଉତ୍ସାହିତ ହୋଇ ଦାରିଦ୍ର୍ୟ ହଟାଅ ଯୋଜନାରେ ଗ୍ରାମାଞ୍ଚଳର ଅତି ଗରିବଙ୍କୁ ‘ଇକୋନୋମିକ ରିହାବିଲିଟେସନ ଅଫ୍‌ ରୁରାଲ ପୁଅର୍‌’ ଯୋଜନା ମାଧ୍ୟମରେ (ଯେଉଁଥିରେ ୭୫% ସବସିଡି ବ୍ୟବସ୍ଥା ଥିଲା) ବ୍ୟାଙ୍କଗୁଡ଼ିକରୁ ଋଣ ଦେବାର ବ୍ୟବସ୍ଥା କରାଇଥିଲେ। ଏହା ସେତେବେଳେ ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା।
ପୁନଶ୍ଚ ନାବାର୍ଡ, ଏନଏଚବି, ଏସଆଇଡିବିଆଇ ଭଳି ଋଣ ସମ୍ବନ୍ଧିତ ଅନୁଷ୍ଠାନ ଗଠିତ ହେବାରୁ କ୍ଷୁଦ୍ର, ମଧ୍ୟମ ଓ ବୃହତ୍‌ ଶ୍ରେଣୀର ଗ୍ରାହକ ଆହୁରି ଆକୃଷ୍ଟ ହୋଇ ଋଣନେଇ ବିଭିନ୍ନ ଉତ୍ପାଦ ତିଆରି କରି ଦେଶକୁ ସ୍ବାବଲମ୍ବନଶୀଳ କରାଇବାରେ ଅନେକାଂଶରେ ସଫଳ ହେଲେ। ୧୯୯୦ରେ ସରକାରଙ୍କ ଉଦାରୀକରଣ ନୀତି ଯୋଗୁଁ ଦେଶର ଅନେକ ଘରୋଇ ବ୍ୟାଙ୍କ (ନିଉ ଜେନେରେସନ୍‌ ଟେକ୍‌ ସେଭିଙ୍ଗ୍‌ ବ୍ୟାଙ୍କ) ଆତ୍ମପ୍ରକାଶ କଲେ। ସେଗୁଡ଼ିକ ମଧ୍ୟରେ ୟୁଟିଆଇ (ଏକ୍ସିସ୍‌ ବ୍ୟାଙ୍କ), ଏଚଡିଏଫସି, ଆଇସିଆଇସିଆଇ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଗ୍ଲୋବାଲ୍‌ ଟ୍ରଷ୍ଟ ବ୍ୟାଙ୍କ ଅନ୍ୟତମ। ଏହି ବ୍ୟାଙ୍କଗୁଡ଼ିକ ଡିଜିଟାଲ ସେବା ଓ ଅନ୍ୟାନ୍ୟ ତ୍ବରିତ ସେବା ଦେବାରେ ବେଶ୍‌ ଆଗଭର ଦେଖାଇଲେ। ଏଗୁଡ଼ିକ ବଡ଼ବଡ଼ିଆଙ୍କର ବେଶ୍‌ ଗ୍ରହଣୀୟ ହେଲେ ବି ଆଜିଯାଏ ତିଷ୍ଠି ରହିଛନ୍ତି।
ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଧାନମନ୍ତ୍ରୀ ହେବାପରେ ବ୍ୟାଙ୍କଗୁଡ଼ିକରେ ଅଧିକରୁ ଅଧିକ ଚଳନ୍ତି ସଞ୍ଚୟ ଖାତା ଖୋଲିବାକୁ ପ୍ରାଧାନ୍ୟ ଦେବାରୁ ଜନଧନ ଯୋଜନା ମାଧ୍ୟମରେ ଯୁଦ୍ଧକାଳୀନ ଭିତ୍ତିରେ ଦେଢ଼ କୋଟି ଆକାଉଣ୍ଟ ଖୋଲାଗଲା। ଜୁଲାଇ ୨୦୧୫ ସୁଦ୍ଧା ଏହା ବଢ଼ି ୧୬.୯୨ କୋଟି ଆକାଉଣ୍ଟରେ ପହଞ୍ଚିଥିଲା; ଯାହା ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ର ପାଇଁ ଅନିବାର୍ଯ୍ୟ ଥିଲା। କେନ୍ଦ୍ର, ରାଜ୍ୟରେ ସମସ୍ତ ସ୍କିମ୍‌ରେ ଟଙ୍କା ନେଣଦେଣ ଡିଜିଟାଲ ପେମେଣ୍ଟରେ କରାଗଲା; ଯଦ୍ଦ୍ବାରା ସରକାରୀ ତହବିଲ୍‌ରେ ଘଟୁଥିବା ଦୁର୍ନୀତି ଅନେକାଂଶରେ ପ୍ରତିହତ ହୋଇପାରିଲା। ମାତ୍ର କିଛି ବର୍ଷ ତଳେ ୨୦୧୯/୨୦୨୦ରେ ଜାତୀୟକରଣ ବ୍ୟାଙ୍କଗୁଡ଼ିକ ମଧ୍ୟରେ ମିଶ୍ରଣ ପର୍ବ ଆରମ୍ଭ ହେଲା ଯଦ୍ଦ୍ବାରା ପିଏସ୍‌ୟୁ ବ୍ୟାଙ୍କ ସଂଖ୍ୟା ୧୨କୁ ଖସି ଆସିଲା। ଏହାର କାରଣ କୁହାଗଲା ଯେ ବ୍ୟାଙ୍କଗୁଡ଼ିକ କର ଅନାଦାୟ ପରିଚାଳନାଗତ ସମାଧାନ, ଋଣ ପରିମାଣ ବଢ଼ାଇବାର କ୍ଷମତା ହାସଲ ଓ ବୈଶ୍ବିକ ଉପସ୍ଥିତି ଜାହିର ପାଇଁ ଏଭଳି ପଦକ୍ଷେପ ନିଆଯିବା ଜରୁରୀ। ସ୍ଥଳ ବିଶେଷରେ କିଛି ପିଏସୟୁ ବ୍ୟାଙ୍କ ରୁଗ୍‌ଣ ହୋଇ ଲାଭଜନକ ସ୍ଥିତିରେ ନଥିବାରୁ ଅନ୍ୟ ଦୃଢ଼ ସ୍ଥିତିରେ ଥିବା ବ୍ୟାଙ୍କ ସହିତ ମିଶାଇ ଦିଆଗଲା। ତେବେ ବଜାର ରିପୋର୍ଟ ଅନୁଯାୟୀ ଏବର ୧୨ଟି ପିଏସୟୁ ବ୍ୟାଙ୍କର କାର୍ଯ୍ୟ ବେଶ୍‌ ସନ୍ତୋଷଜନକ।
ଆସନ୍ତୁ ଜାଣିବା ଏବର ବ୍ୟାଙ୍କ କାରବାରର କିଛି ନକାରାତ୍ମକ ଦିଗ ଉପରେ। ଦିନ ଥିଲା ଲୋକେ ବ୍ୟାଙ୍କ ଯାଉଥିଲେ ଲକ୍ଷ୍ମୀ ମା’ଙ୍କୁ ଭେଟିବାକୁ। ବ୍ୟାଙ୍କ ଶାଖା ଥିଲା ଲକ୍ଷ୍ମୀଙ୍କ ଭଣ୍ଡାର। ସେଠି କାଉଣ୍ଟରରେ ଟଙ୍କା ନେଣଦେଣ ସଙ୍ଗେସଙ୍ଗେ ପାରିବାରିକ ଦୁଃଖସୁଖ ହେଉଥିଲେ। ପ୍ରଫୁଲ୍ଲ ମନରେ ଘରକୁ ଫେରୁଥିଲେ ଲକ୍ଷ୍ମୀ (ଟଙ୍କା)କୁ ଧରି। ମୁଁ ଯେତେବେଳେ କଲକାତାର ଏକ ଶାଖାରେ ପରିଚାଳକ ଥିଲି ସେତେବେଳେ କିଛି ଗ୍ରାହକ ମୋତେ ଭେଟି କହିଲେ- ଆପଣଙ୍କ ବ୍ୟାଙ୍କ ପିଅନ ଆଉ ମନଫୁଲାଣିଆ ଗୀତ ଗାଉନି। ଆପଣ କୁଆଡ଼େ ମନା କରିଛନ୍ତି ସେପରି ନ କରିବାକୁ। ଆମେ ବ୍ୟାଙ୍କ କାହିଁକି ଆସିବୁ ଯେ? ମୁଁ ହତବାକ୍‌ ହୋଇଗଲି ଓ ଗ୍ରାହକ ଈଶ୍ବରଙ୍କ ଏପରି ଅଭିମାନ କଥା ଶୁଣି ତୁରନ୍ତ ପିଅନକୁ ଡାକି ସେମାନଙ୍କ ଆଗରେ ଗୀତ ଆଦି ବୋଲାଇ ମାନଭଞ୍ଜନ କରାଇଥିଲି। ଏବେ ଡିଜିଟାଲ ଯୁଗରେ ଗ୍ରାହକ ଏଟିଏମ୍‌ ମେସିନକୁ ଟଙ୍କା ଉଠାଇବାକୁ ଯାଇ କର୍କଶ ନିର୍ଦେଶ ଶୁଣି ଫେରୁଛି। ବ୍ୟାଙ୍କର ଆପ୍‌କୁ ମୋବାଇଲରେ ଖୋଲିବାକୁ ବାଧ୍ୟ ହେଉଛି; ମେସିନ୍‌ରେ କାରବାର କରୁଛି। ଜାଣତରେ ବା ଅଜାଣତରେ ସାଇବର ଠକେଇର ଶିକାର ହୋଇ ତତ୍‌କ୍ଷଣାତ୍‌ ଆକାଉଣ୍ଟରୁ ଟଙ୍କା ହରାଉଛି। ଡିଜିଟାଲ ଦେଣନେଣ କରୁଛନ୍ତି ସିନା, ବ୍ୟାଙ୍କ ଶାଖାର ମହକ, ପୁଲକ ଅନୁଭବୀ ହିଁ ଜା​‌େ​‌ଣ। ପ୍ଲାଷ୍ଟିକକାର୍ଡ଼ ବ୍ୟବହାର ହ୍ରାସ ପାଇଲାଣି, କ୍ୟୁଆର୍‌ କୋଡରେ ନେଣଦେଣ ସୁରୁଖୁରୁରେ ହେଉଛି ସତ; ମନ କିନ୍ତୁ କହେ ପୁରୁଣା ବ୍ୟାଙ୍କ ନେଣଦେଣକୁ ପୁଣି ଫେରନ୍ତି କି !

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories