ଆସିଲା ବାଙ୍ଗାଲୋର କାଫେରେ ବିସ୍ଫୋରଣ ସମୟର ସିସି ଟିଭି ଦୃଶ୍ୟ, ୧୦ ଆହତ

ବାଙ୍ଗାଲୋର: ବାଙ୍ଗାଲୋରର ହ୍ବାଇଟ୍‌ ଫିଲ୍ଡ ଅଞ୍ଚଳର ଆଇଟିପିଏଲ ରୋଡ୍‌ ନିକଟରେ ଥିବା ରାମେଶ୍ୱରମ କାଫେରେ ଆଇଇଡ଼ି ବିସ୍ଫୋରଣରେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି ଯେ ଶୁକ୍ରବାର ବେଙ୍ଗାଲୁରୁର ହ୍ୱାଇଟ୍ଫିଲ୍ଡ ଅଞ୍ଚଳର ରାମେଶ୍ୱରମ୍ କାଫେରେ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଛନ୍ତି। ଗ୍ୟାସ୍ ଲିକ୍ ଯୋଗୁଁ ବିସ୍ଫୋରଣ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହା ଏକ ବିସ୍ଫୋରକ ବୋଲି ନିଶ୍ଚିତ କରିଛନ୍ତି। କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚର ପ୍ରାୟ ୭ଟି ଟିମ୍ ବିସ୍ଫୋରଣ ଘଟଣାର ତଦନ୍ତ କରୁଛନ୍ତି ବୋଲି ଶିବକୁମାର ଆଜି ସନ୍ଧ୍ୟାରେ ଘଟଣାସ୍ଥଳ ପରିଦର୍ଶନ ପରେ କହିଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୦ ଜଣ ଆହତଙ୍କ ଅବସ୍ଥା ସ୍ଥିର ଥିବା ସେ କହିଛନ୍ତି।


ପୂର୍ବ ବେଙ୍ଗାଲୁରୁରେ ଅବସ୍ଥିତ ଏହି ଜନଗହଳିପୂର୍ଣ୍ଣ କାଫେରେ ମଧ୍ୟାହ୍ନ ଭୋଜନ ସମୟରେ ଅପରାହ୍ନ ପ୍ରାୟ ୧ଟା ବେଳେ ବିସ୍ଫୋରଣ ଘଟିଥିଲା। ଅପରାହ୍ନ ୧ଟା ୮ମିନିଟରେ ଅଗ୍ନିଶମ ବିଭାଗକୁ କ୍ୟାଫେରେ ଏଲପିଜି ଲିକେଜ୍ ଅଗ୍ନିକାଣ୍ଡ ନେଇ ଖବର ମିଳିଥିଲା। ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ଓ ଟିମ୍ ପହଞ୍ଚିବା ବେଳକୁ ନିଆଁ ଲାଗିନଥିଲା। ଭୋଜନାଳୟରେ ଅନ୍ୟ ୬ ଜଣ ଗ୍ରାହକଙ୍କ ସହ ବସିଥିବା ଜଣେ ମହିଳାଙ୍କ ପଛରେ ପଡ଼ିଥିବା ଏକ ବ୍ୟାଗ୍ ବିସ୍ଫୋରଣ ହୋଇଥିଲା। କର୍ଣ୍ଣାଟକ ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗର ନିର୍ଦ୍ଦେଶକ ଟିଏନ୍ ଶିବଶଙ୍କର କହିଛନ୍ତି, ସେହି ବ୍ୟାଗରେ ଥିବା କୌଣସି ଜିନିଷ ଯୋଗୁଁ ବିସ୍ଫୋରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।


ତେବେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ଫୋରେନସିକ୍ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୨ ଜଣ କର୍ମଚାରୀ ଓ ୭ ଜଣ ଗ୍ରାହକ ଅଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ଏବଂ ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭିତରେ ଥିବା ଏକ ଜିନିଷ ଥିବା ବ୍ୟାଗ୍ ବିସ୍ଫୋରଣ ହୋଇଥିବା ପୁଲିସ ସନ୍ଦେହ କରୁଛି।

Comments are closed.