ସନ୍ଧ୍ୟା ପରେ ରୋଷଣୀ ମନା

0

ବେଲାଗାଭି: ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ରାତି ୧୦ଟା ପରେ ବାଣଫୁଟା ଓ ଉଚ୍ଚଶବ୍ଦରେ ଡିଜେ ବଜାଇବା ଉପରେ କଟକଣା ଜାରି କରିଛି। ମାତ୍ର ଏହାର କୌଣସି ପ୍ରଭାବ ଅନୁଭୂତ ହେବା ପରି ଲାଗୁନାହିଁ। କିନ୍ତୁ କର୍ଣ୍ଣାଟକର ବେଲାୱାଟି ନାମରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠାରେ ସନ୍ଧ୍ୟା ୭ଟା ପରେ ବରଯାତ୍ରୀ ରୋଷଣୀରେ ବାଣଫୁଟା, ବାଜା କିମ୍ବା ଗୀତ ସଙ୍ଗୀତକୁ ବାରଣ କରାଯାଇଛି। ଖୋଦ୍‍ ଗ୍ରାମ କମିଟି ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କାଜୁ ଜଙ୍ଗଲ ଘେରା ଉକ୍ତ ଗ୍ରାମରେ ୩,୫୦୦ ଲୋକ ରହୁଛନ୍ତି। କାଜୁ ବ୍ୟବସାୟରୁ ଗ୍ରାମବାସୀ ସମୃଦ୍ଧ ହୋଇଥିଲେ ମଧ୍ୟ ଲଙ୍କାଆମ୍ବରୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ମଦ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଗାଁ ନିକଟରେ ଅନେକ ମଦ ଭାଟି ଗଢ଼ିଉଠିଛି। ଫଳରେ ଗାଁରେ ନିଶାସକ୍ତ ଯୁବକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଦ୍ୟପଙ୍କ ଦୌରାତ୍ମ୍ୟରେ ଗ୍ରାମବାସୀ ଅତିଷ୍ଠ ଥିବା ବେଳେ କୌଣସି ମେଳା ମହୋତ୍ସବ ଓ ରୋଷଣୀ ସମୟରେ ସେମାନଙ୍କ ଦୌରାତ୍ମ୍ୟ ଅନିୟନ୍ତ୍ରିତ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି। ଅଦ୍ୟାବଧି ଏହି କଟକଣାର ୭୦% ସୁଫଳ ମିଳିଥିବା ଗ୍ରାମବାସୀ କହିଛନ୍ତି।

Leave A Reply