www.samajalive.in
Saturday, December 6, 2025
14.1 C
Bhubaneswar

ବଲାଙ୍ଗିର ଜିଲାରେ ବଢୁଛି ବେଆଇନ ଖନନ, ଆଇନ ପାଲଟିଛି ପ୍ରହସନ

ବଲାଙ୍ଗିର:ବେଆଇନ ଭାବେ ଲଘୁ ଖଣିଜ କାରବାର ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ପ୍ରଦୂଷଣ, ରାଜସ୍ୱ, ଖଣି ଆଇନକୁ ଉଲ୍ଲଙ୍ଘନ କରି ଅନୁମତିଠାରୁ ଢେର ଅଧିକ ଲଘୁ ଖଣିଜ ସାମଗ୍ରୀ ବାଲି, ପଥର, ମୋରମ, ମାଟି ଆଦି ଖୋଳା ଚାଲିଛି। ରାଜସ୍ୱ, ଖଣି ଓ ପ୍ରଦୂଷଣ ବିଭାଗର ଅଧିକାରୀଙ୍କ ସହ ସୌରାତ ଲିଜ୍ ନେଇଥିବା ବ୍ୟକ୍ତିଙ୍କ ଅସାଧୁ ମେଣ୍ଟ ଯୋଗୁଁ ଏହି ବେଆଇନ କାରବାର ବେଧଡକ ଚାଲିଛି। ଅନ୍ୟପଟେ ପ୍ରଶାସନ ଓ ପୁଲିସ ଲୋକ ଦେଖାଣିଆ ଭାବେ ରାସ୍ତା ଘାଟରେ ଗାଡି ଅଟକାଇ ଜରିମାନା ଆଦାୟ କରୁଛି। ଗାଡିଗୁଡିକ ଜବତ କରିବା ସହ ମାମଲା ବି ରୁଜୁ ହେଉଛି।
ବଲାଙ୍ଗିର ଜିଲା ସୀମାକୁ ଲାଗି ବୌଦ୍ଧ, ସୋନପୁର, କନ୍ଧମାଳ, ବରଗଡ, ନୂଆପଡ଼ା ଓ କଳାହାଣ୍ଡି ଜିଲା ରହିଛି। ସୀମାବର୍ତ୍ତୀ ତହସିଲ ଅଞ୍ଚଳରୁ ଏହି ଜିଲାଗୁଡ଼ିକୁ ପଥର, ଚିପ୍ସ, ବାଲି, ମୋରମ ଆଦି ଚୋରା ଚାଲାଣ କରାଯାଉଛି। କେବଳ ବାହାର ଜିଲା ନୁହେଁ, ବିନା ଅନୁମତିରେ ଓ ସରକାରୀ ନିୟମକୁ ଠକି ଦେଇ ଜିଲା ଭିତରେ ବି ବ୍ୟାପକ ଭାବେ ଚୋରା କାରବାର କରାଯାଉଛି। ଜିଲାରେ ପ୍ରବାହିତ ତେଲ, ସୁକତେଲ, ଲାନ୍ଥ ଭଳି ନଦୀ ସହ ବହୁ ନାଳ ରହିଛି। ଏହି ନଦୀରୁ ଶହ ଶହ ଟନ୍ ବାଲି ନିୟମିତ ଚୋରା ଚାଲାଣ କରାଯାଉଛି। ଯେତିକି ପରିମାଣ ଓ ଅଞ୍ଚଳ ପାଇଁ ଲିଜ୍ ନେଇଛନ୍ତି, ତାହାର ଢେର ଅଧିକ ଅଞ୍ଚଳରୁ ବାଲି ବିକ୍ରି କରି ଚାଲିଛନ୍ତି।

ବଲାଙ୍ଗିର ଜିଲାର ବିଭିନ୍ନ ବ୍ଲକରେ ବହୁ ପରିମାଣର ବାଲି ଚୋରା ଚାଲାଣ ହେଉଥିବା ଖବର ପ୍ରକାଶ ପରେ ବଲାଙ୍ଗିର, ଦେଓଗାଁ, ମୁରିବାହାଲ. କଣ୍ଟାବାଞ୍ଜି ଭଳି ବିଭିନ୍ନ ତହସିଲରେ ତହସିଲଦାରଙ୍କ ନେତୃତ୍ୱରେ ଚଢଉ କରାଯାଇଛି। ଏବେ ଏହି ବେଆଇନ୍ ବାଲି ଚାଲାଣ ରୋକିବାକୁ ପୁଲିସ ବି ଆଗକୁ ଆସିଛି। ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବହୁ ପରିମାଣର ବାଲି ଜବତ କରାଯାଉଛି। କିଛି ଦିନ ତଳେ ବଲାଙ୍ଗିର ସଦର ବ୍ଲକ ଚନ୍ଦନଭାଟି ଅଞ୍ଚଳରେ ବେଆଇନ ଭାବେ ବାଲି ଖୋଳୁଥିବା ଅଭିଯୋଗରେ ଏକ ଜେସିବି ଓ ହାଇୱା ଜବତ କରାଯାଇଥିଲା। ଲୋଇସିଂହା, ଆଗଲପୁର ତହସିଲ ଅଞ୍ଚଳରେ ମଧ୍ୟ ବାଲି ମାଫିଆ ମାତିଥିବା ବେଳେ ସେମାନଙ୍କ ଉପରେ କୌଣସି ଅଙ୍କୁଶ ନାହିଁ। ବର୍ଷା ଦିନ ପୂର୍ବରୁ ବଲାଙ୍ଗିର ଜିଲାର ବିଭିନ୍ନ ନଦ, ନଦୀରୁ କେତେ ପରିମାଣର ବାଲି ଉତ୍ତୋଳନ କରାଯାଇଛି ତାହାର କୌଣସି ସୂଚନା ନାହିଁ ପୁଲିସ ପାଖରେ।
କେବଳ ସେତିକି ନୁହେଁ, ବଲାଙ୍ଗିର ମଠଖାଇ ପାହାଡ ନିକଟରେ ଲିଜ୍ ସୂତ୍ରରୁ ପଥର ଖୋଳିବା ପାଇଁ ଅନୁମତି ଦିଆଯାଇଛି। ମଠଖାଇରେ ସୀମିତ ନୁହେଁ ପଥର ଖୋଳା। ବିଭିନ୍ନ ତହସିଲ ଅଞ୍ଚଳରେ ପଥର ଖୋଳିବା ପାଇଁ ଲିଜ୍ ଦିଆଯାଉଛି। କିନ୍ତୁ ଲିଜ୍ ଧାରୀଙ୍କୁ ଦିଆଯାଇଥିବା ଅଞ୍ଚଳ ଅପେକ୍ଷା ଅଧିକ ସ୍ଥାନରେ ପଥର ଖୋଳାଯାଉଛି। କିଛି ମାଫିଆ ବି ବେଧଡକ ଭାବେ ଛୋଟ ଛୋଟ ଆଡ୍ଡା କରି ପଥର ଖୋଳିବାରେ ବ୍ୟସ୍ତ। ମଠଖାଇ ସଂରକ୍ଷିତ ଜଙ୍ଗଲ ଭିତରେ ଏଭଳି ଗୋଟିଏ କି ଦୁଇଟି ନୁହେଁ, ଅନେକ ମାଫିଆ ବେଆଇନ ଭାବେ ପଥର ଖୋଳୁଛନ୍ତି। ସେମାନଙ୍କ ଉପରେ ଅଙ୍କୁଶ ନଥିବା ବେଳେ ମୋରମ୍ ଓ ମାଟି ଚାଲାଣ ସାଧାରଣ କଥା ହୋଇଛି। ଲିଜ୍ରୁ ଅଧିକ ଓ ସୌରାତର ସୀମା ବାହାରୁ ଖନନ କରି ଚାଲାଣ କରାଯାଉଥିବା ଜଣାପଡିଛି। ଏହି ବାବଦରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର। ପ୍ରଶାସନ ଓ ପୁଲିସ ଅଙ୍କୁଶ ଲଗାଇବାକୁ ଚଢଉ କଲେ ବି ତାହା ଯଥେଷ୍ଟ ହେଉ ନାହିଁ। ଗୋଟିଏ ପଟେ ଶହ ଶହ ଗାଡି ଚୋରା କାରବାରରେ ସାମିଲ ଥିବା ବେଳେ କେତକ ଗାଡିକୁ ଧରି ପୁଲିସ ଓ ପ୍ରଶାସନ ସାବାସି ନେଉଛନ୍ତି। ବଲାଙ୍ଗିର ଜିଲାର ନିର୍ଦ୍ଦିଷ୍ଟ କିଛି ନଦୀ କି ଅଞ୍ଚଳ ନୁହେଁ, ସବୁ ତହସିଲରେ ଚାଲିଛି ବେଆଇନ୍ କାରବାର। କିଛି ତହସିଲରେ ସରକାରୀ ବାବୁମାନଙ୍କର ମଧ୍ୟ ମୌନ ସମ୍ମତି ରହୁଥିବା ଆଲୋଚନା ହେଉଛି। ଅନ୍ୟପଟେ ରାସ୍ତା ଘାଟରେ ନାମକୁ ମାତ୍ର ଗାଡି ତନଖି କରାଯାଉଥିବା ଅଭିଯୋଗ କରି ଗାଡି ମାଲିକ ସଂଘ ପ୍ରତିବାଦ କରିବା ଆରମ୍ଭ କଲେଣି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories