www.samajalive.in
Friday, December 5, 2025
17.1 C
Bhubaneswar

ବଳଙ୍ଗା ବର୍ବରତା: ଜାରି ହେବ ଦୁର୍ବୃତ୍ତଙ୍କ ସ୍କେଚ୍

ବଳଙ୍ଗା/ଭୁବନେଶ୍ବର: ବଳଙ୍ଗା ବର୍ବରତାକୁ ସପ୍ତାହେ ପୂରିବ; କିନ୍ତୁ ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ଦୁର୍ବୃତ୍ତଙ୍କ ନିକଟରେ ଅପହଞ୍ଚ ପୁଲିସ। ଦିନ ଗଡୁଛି, ତଦନ୍ତ ବଢ଼ୁଛି; ମାତ୍ର ରହସ୍ୟ ଉପରୁ ହଟୁନି ପରଦା। ପୁଲିସ ଓ କ୍ରାଇମ୍‌ବ୍ରାଞ୍ଚ ସବୁପ୍ରକାର ସାଧନ ଆପଣାଇ ସାରିଲାଣି। ସିସିଟିଭି, ସନ୍ଧାନୀକୁକୁର, ମୋବାଇଲ ଫୋନ୍‌ ଡମ୍ପିଙ୍ଗ୍‌, ଶହେରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା ପରେ ବି ସୁରାକ ମିଳୁନି। ଏହି ବର୍ବରକାଣ୍ଡ ପଛରେ ଥିବା ୩ଜଣ ଦୁର୍ବୃତ୍ତଙ୍କ ଅନ୍ତର୍ଦ୍ଧାନ ଘଟଣା ସମସ୍ତଙ୍କୁ ଚକିତ କରୁଛି। ଏହି ଛାତିଥରା ଘଟଣା ଭିଆଇଥିବା ୩ ଦୁର୍ବୃତ୍ତଙ୍କୁ ପୀଡ଼ିତା ଚିହ୍ନି ନଥିବା ବୟାନ ଦେଇଛନ୍ତି। ଦୁର୍ବୃତ୍ତଙ୍କୁ କାବୁ କରିବା ପୁଲିସ ଲାଗି ଆହ୍ବାନ ହୋଇଛି। ଏହି ରହସ୍ୟମୟ ଘଟଣାର ଗୁମର ଖୋଲିବା ସହ ଦୁର୍ବୃତ୍ତଙ୍କୁ ଚିହ୍ନଟ ଲାଗି ତଦନ୍ତକୁ କ୍ରିୟାଶୀଳ କରିଛି ପୁଲିସ। ପୀଡ଼ିତାଙ୍କ ର୍ବୟାନ ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍କେଚ୍ ଜାରି କରାଯିବ। ଉକ୍ତ ସ୍କେଚ୍‌କୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ କରାଯିବ ବୋଲି ଜଣାପଡ଼ିଛି। ବଳଙ୍ଗା ସମେତ ପୁରୀ ଜିଲାର ବିଭିନ୍ନ ଥାନାକୁ ସ୍କେଚ୍ ପଠାଯିବ। ଏଥିସହ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ, ଚିକିତ୍ସାଳୟ ଓ ବସ୍‌ଷ୍ଟାଣ୍ଡ୍‌ରେ ସ୍କେଚ୍‌ ଜାରି କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଥିବା ରୁପା ମୁଦୀ ଆଧାରରେ ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚିବା ଲାଗି ତଦନ୍ତ ଆରମ୍ଭ କରିଛି ପୁଲିସ। ଗୁରବାର ରାତିରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଗହଣା ଦୋକାନୀଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି ପୁଲିସ। ସେମାନଙ୍କ ଦୋକାନରୁ ରୁପା ମୁଦି କିଣାଯାଇଥିବା ସନ୍ଦେହ କରାଯାଉଛି। ଦୀର୍ଘ ସମୟ ଧରି ଦୁଇ ଦୋକାନୀଙ୍କୁ ଜେରା କରିବା ସହ ବୟାନ ରେକର୍ଡ ହୋଇଛି। ସେଠାରୁ ମିଳିଥିବା ରୁପାମୁଦି ଉକ୍ତ ଗହଣା ଦୋକାନରୁ କିଣାଯାଇଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନି। ତଥାପି ଦୁଇ ଦୋକାନୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା‌ ସହ ତଦନ୍ତରେ ସହାୟତା ଲାଗି କୁହାଯାଇଛି। ସବୁ ଦିଗ ପ୍ରତି ତଦନ୍ତ କରାଯାଉଥିବା କ୍ରାଇମ୍‌ବ୍ରାଞ୍ଚର ଜ‌େ‌ଣ ଅଧିକାରୀ କହିଛନ୍ତି।
ଅନୂରୂପ ଭାବେ ପୀଡ଼ିତାଙ୍କ ସଂକ୍ରାନ୍ତରେ ପଚରାଉଚରା କରାଯାଉଥିବା କିଛି ବ୍ୟକ୍ତି ବୟାନ ପରିବର୍ତ୍ତନ କରୁଛନ୍ତି। ଅଲଗା ଅଲଗା ମତ ଦେଉଥିବା ବ୍ୟକ୍ତିଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ସେମାନଙ୍କ ଉପରେ ସନ୍ଦେହପ୍ରକଟ ସହ ନଜର ରଖିଛି ତଦନ୍ତକାରୀ ଦଳ। ସନ୍ଦେହଘେରରେ ଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ ହୋଇଛି। ପୁରୁଷ ଓ ମହିଳାଙ୍କୁ ମିଶାଇ ଅତିକମ୍‌ରେ ୧୦ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ବା ମିଛଧରା ପରୀକ୍ଷା ଲାଗି ଯୋଜନା କରାଯାଉଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହ କ୍ରାଇମ୍‌ବ୍ରାଞ୍ଚ ଓ ବଳଙ୍ଗା ଥାନାର ୧୫ଜଣିଆ ଦଳ ତନାଘନା ଜାରି ରଖିଛନ୍ତି। ବଳଙ୍ଗାର ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ଅଭିଯୁକ୍ତଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ବିଶେଷକରି ପୀଡ଼ିତା ସମ୍ପର୍କୀୟଙ୍କୁ ପର୍ଯ୍ୟାୟକ୍ରମେ ଜେରା କରୁଛି ତଦନ୍ତକାରୀ ଦଳ। ଜବତ ସିସିଟିଭି ଫୁଟେଜ୍‌ରୁ କୌଣସି ବ୍ୟକ୍ତିଙ୍କ ଗତିବିଧି ନଥିବାରୁ ତଦନ୍ତକାରୀ ଅଧିକାରୀ ଅଡୁଆରେ ପଡ଼ିଛନ୍ତି। ଏହି ଘଟଣାର ସତ୍ୟତା ଖୁବ୍‌ଶୀଘ୍ର ଉନ୍ମୋଚିତ କରିବାକୁ ତଦନ୍ତକାରୀ ଦଳ ଲକ୍ଷ୍ୟ ରଖିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories