ମସ୍କୋ: ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵ ସାଧାରଣତଃ ଦେଶର ସେନା କିମ୍ବା କମାଣ୍ଡୋଙ୍କ ହାତରେ ରହିଥାଏ। କିନ୍ତୁ ବିଶ୍ଵରେ ଏଭଳି ଏକ ଦେଶ ରହିଛି, ଯେଉଁଠି ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵରେ ରହିଛନ୍ତି ବାଜପକ୍ଷୀ ଏବଂ ପେଚା। ଏହା ପଛରେ ବି ରହିଛି ଏକ ବିଶେଷ କାରଣ।
ରୁଷରେ ରାଷ୍ଟ୍ରପତି ଭବନ ଏବଂ ଏହାର ଆଖପାଖରେ ଅବସ୍ଥିତ ଗୁରୁତ୍ଵପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ସୁରକ୍ଷା ପାଇଁ ଦେଶର ପ୍ରତିରକ୍ଷା ବିଭାଗ ବାଜପକ୍ଷୀ ଏବଂ ପେଚାମାନଙ୍କର ଏକ ଟିମ୍ ଗଠନ କରିଛି। ଶିକାରୀ ପକ୍ଷୀଙ୍କ ଏହି ଟିମ୍ ୧୯୮୪ରେ ଗଠନ କରାଯାଇଥିଲା। ଏହି ଟିମ୍ରେ ଏବେ ୧୦ରୁ ଅଧିକ ବାଜ ପକ୍ଷୀ ଏବଂ ପେଚା ରହିଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି।
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, କାଉମାନଙ୍କ ଦାଉରୁ ରାଷ୍ଟ୍ରପତି ଭବନକୁ ସୁରକ୍ଷିତ ରଖିବା ଲାଗି ଏହି ବାଜପକ୍ଷୀ ଏବଂ ପେଚାମାନଙ୍କୁ ମୁତୟନ କରାଯାଇଛି। କାଉମାନଙ୍କ ଯୋଗୁ ରାଷ୍ଟ୍ରପତି ଭବନ ଏବଂ ଆଖପାଖର ସରକାରୀ କୋଠାଗୁଡ଼ିକ ଅପରିଷ୍କାର ହେଉଥିଲା। ତେଣୁ ସେମାନଙ୍କୁ ଘଉଡ଼ାଇବା ଲାଗି ବାଜ ଏବଂ ପେଚାଙ୍କୁ ମୁତୟନ କରାଯାଇଛି। ଏହି ଦୁଇ ପକ୍ଷୀ ସଂଘୀୟ ସୁରକ୍ଷା ସେବାର ଗୋଟିଏ ଅଂଶ।
ଟିମ୍ରେ ଗୋଟିଏ ୨୦ ବର୍ଷୀୟ ବାଜ ପକ୍ଷୀ ‘ଅଲଫା’ ଏବଂ ‘ଫାଇଲ୍ୟା’ ନାମକ ପେଚା ରହିଛି। ଏମାନଙ୍କ ବିଶେଷତ୍ଵ ହେଉଛି ଯଦି କୌଣସି କାଉ ରାଷ୍ଟ୍ରପତି ଭବନ ଅଞ୍ଚଳ ଆକାଶରେ ଉଡୁଥିବେ କିମ୍ବା ସେମାନଙ୍କ ଶବ୍ଦ ଶୁଣିବେ, ତେବେ ଏମାନେ ଦୂର ଦୂର ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ଦିଅନ୍ତି ଅଥବା ମାରି ଦିଅନ୍ତି।
ରାଷ୍ଟ୍ରପତି ଏବଂ ଏହା ଆଖପାଖର ସରକାରୀ କୋଠାଗୁଡ଼ିକର ଦେଖାରଖା କରୁଥିବା ପାୱେଲ ମାଲକୋଭ କୁହନ୍ତି, ପ୍ରଥମେ କାଉମାନଙ୍କ ଦାଉରୁ ଏହି କୋଠାଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାର୍ଡ ରହିଥିଲେ। ଏହା ସହ କାଉମାନଙ୍କୁ ଡରାଇବା ଲାଗି ଶିକାରୀ ପକ୍ଷୀଙ୍କ ଶବ୍ଦକୁ ରେକର୍ଡ କରାଯାଇ ଶୁଣାଯାଉଥିଲା। କିନ୍ତୁ ଏସବୁ ଉଦ୍ୟମ ବିଫଳ ହୋଇଥିଲା। ତେଣୁ ବାଜ ପକ୍ଷୀ ଏବଂ ପେଚାଙ୍କ ଏକ ଟିମ୍ ଗଠନ କରାଯାଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସୁରକ୍ଷା ଦାୟିତ୍ଵରେ ମୁତୟନ କରାଯାଇଛି। ଏଥିରେ ଆମେ ସଫଳ ହୋଇଛୁ। ଆଗକୁ ରାଷ୍ଟ୍ରପତି ଭବନ ଉପରେ ଏବଂ ଏହା ଆଖପାଖ ଅଞ୍ଚଳରେ ଉଡୁଥିବା ଛୋଟ ଛୋଟ ଡ୍ରୋନକୁ ଖସାଇବା ଲାଗି ଏହି ପକ୍ଷୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।



