ରାଜ୍ୟ କାର୍ଯ୍ୟାଳୟରେ ବୈଜୟନ୍ତଙ୍କୁ ସ୍ୱାଗତ

ଭୁବନେଶ୍ୱର : ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବିଜୟ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ତଥା ମାର୍ଗଦର୍ଶନରେ ଦିଲ୍ଲୀବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ଜନ ସମର୍ଥନ ଜଣାଇଛନ୍ତି। ଗତ ୨୭ବର୍ଷ ହେବ ଦିଲ୍ଲୀ ଅବହେଳିତ ଅବସ୍ଥାରେ ଥିଲା, ସେଠାରେ ବିକାଶ ନିମ୍ନଗାମୀ ହୋଇଯାଇଥିଲା। ୧୨ବର୍ଷ ହେବ ଆପ୍ ସରକାର ମିଛ ପ୍ରତିଶ୍ରୁତି ଯୋଗୁଁ ଦିଲ୍ଲୀବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଥିଲା। ମୋଦୀ ଗ୍ୟାରେଣ୍ଟି ଏବଂ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ଦିଲ୍ଲୀ ନିର୍ବାଚନରେ ବିଜେପି ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି ବୋଲି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ପ୍ରଭାରୀ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି।
ଦିଲ୍ଲୀ ନିର୍ବାଚନ ପରେ ପଣ୍ଡା ଭୁବନେଶ୍ବର ଫେରିଛନ୍ତି। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ଜଣାଇଥିଲେ। ଏକ ବିଶାଳ ଶୋଭାଯାତ୍ରାରେ ପଣ୍ଡା ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସଥିଲେ। ରାଜ୍ୟ ସଭାପତି ମନମୋହନ ସାମଲ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଧାୟକ ଡ.ଦୁର୍ଗା ପ୍ରସନ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା, ଅରିନ୍ଦମ ରାୟ, କେନ୍ଦ୍ରାପଡ଼ା ଜିଲା ସଭାପତି ଶଶାଙ୍କ ଶେଖର ସେଠୀ ପ୍ରମୁଖ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଣ୍ଡାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସଦ୍ୟ ସମାପ୍ତ ଦିଲ୍ଲୀ ନିର୍ବାଚନରେ ବିଜୟ ଲାଭ କରିବାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଦଳକୁ ଏକତ୍ର କରିବା ସହ ଆପର ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଥିଲେ। ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ନେବାପରେ ସଫଳ ଗୋଟିଚାଳନା କରି ନିର୍ବାଚନକୁ ପଣ୍ଡା ସୁପରିଚାଳନା କରିଥିଲେ। ଏହା ପୂର୍ବରୁ ଆସାମ ବିଧାନସଭା ଓ ପୌର ନିର୍ବାଚନରେ ମଧ୍ୟ ବିଜେପିକୁ ଜିତାଇବାରେ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
Comments are closed.