ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଖାନୁଆ ପଞ୍ଚାୟତର ଶ୍ମଶାନଘର ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ଘଟଣାରେ ସରପଞ୍ଚ ଗୀତାରାଣୀ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ବିଭାଗର ଚିଠି ନଂ ୧୭୪୦୪ ତା ୧୧ା୯ା୨୦୧୮ରିଖ କ୍ରମେ ମୟୂରଭଞ୍ଜ ଜିଲାପାଳ ବଡ଼ସାହି ବିଡ଼ିଓଙ୍କୁ ନର୍ଦେଶ ଦେବା ପରେ ବଡ଼ସାହି ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ତାଙ୍କୁ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ନାଏବ ସରପଞ୍ଚ ବାଢ଼ା ହାଁସଦାଃଙ୍କୁ ପଞ୍ଚାୟତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ନିଲମ୍ବିତ ସରପଞ୍ଚ ଗତ ଅପ୍ରେଲ ୧୭ତାରିଖରେ ଖାନୁଆ ଗାଁ ମୁଣ୍ଡରେ ହୋଇଥିବା ଶ୍ମଶାନ ଘାଟ ଗୃହ ନିର୍ମାଣର ବିଲ୍ ପାସ୍ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ହାତରେ ଧରାପଡିଥିଲେ। ତାଙ୍କ ଠାରୁ ୪ଟି ୨ହଜାର ଟଙ୍କିଆ ନୋଟ ଓ ୪ଟି ୫ଶହ ଟଙ୍କିଆ ରଙ୍ଗବୋଳା ନୋଟ ଜବତ କରାଯାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ପରେ ଗୀତାରାଣୀଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଥିଲା। ପରେ ସେ ଜାମିନରେ ଆସି ସରପଞ୍ଚ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ଭିଜିଲାନ୍ସ ଜାଲରେ ପ୍ରଶାସନିକ ଅଧିକାରୀ ବା ସରକାରୀ କର୍ମଚାରୀ ପଡୁଥିବା ବେଳେ ବଡ଼ସାହି ବ୍ଲକରେ ପ୍ରଥମ ଥର ପାଇଁ ଜଣେ ନିର୍ବାଚିତ ପ୍ରତିନିଧି ସେ ପୁଣି ମହିଳା ସରପଞ୍ଚ ଧରାପଡି ନିଲମ୍ବିତ ହେବା ଘଟଣା ସାଧାରଣରେ ସମାଲୋଚନାର ବିଷୟ ପାଲଟିଛି।



