ବଡ଼ମ୍ବାରେ ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇଲା ଓକିଲ ସଂଘ
ବଡ଼ମ୍ବା: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ଏବଂ ଛାତ୍ର ସଂଗଠନ ତରଫରୁ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ସଂଗଠନର ବଡ଼ମ୍ବା ଶାଖା ତରଫରୁ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିଲା। ତେବେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ବଡ଼ମ୍ବା ସହରରେ ଅନୁଭୂତ ହୋଇଛି। ସଂଗଠନର ଅନୁରୋଧକ୍ରମେ ଏହି ବନ୍ଦକୁ ବଡ଼ମ୍ବା ଓକିଲସଂଘ ସମର୍ଥନ ଜଣାଇଥିଲା। ଫଳସ୍ୱରୁପ ସଂଘର ସଦସ୍ୟ ତଥା ଆଇନଜୀବୀମାନେ ଆଜି ଦିନକପାଇଁ କୋର୍ଟ କାର୍ଯ୍ୟରୁ ନିବୃତ ରହିଥିଲେ। ଅପରପକ୍ଷରେ ବନ୍ଦ ଡାକରା ଯୋଗୁଁ ଯାତ୍ରୀବାହି ବସ୍ ଏବଂ ଭାରିଜାନ ଚଳାଚଳ କରିନଥିଲା। ସଂଘର ପିକେଟିଂ ଯୋଗୁ କୋର୍ଟ, ତହସିଲ, ବ୍ଲକ ତଥା ବ୍ୟାଙ୍କ କାର୍ଯ୍ୟାଳୟ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଜନସାଧାରଣ ସାଧାରଣ ସେବା ପାଇବାରୁ ବଞ୍ଚିତ ହୋଇଥିଲେ। ତେବେ ଶିକ୍ଷାନୁଷ୍ଠାନ, ଜରୁରୀ ସେବା ଯୋଗାଉଥିବା ସରକାରୀ ଅନୁଷ୍ଠାନ ଏବଂ ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲା ରହିଥିଲା। ବଡ଼ମ୍ବା ବନ୍ଦ କାରଣରୁ କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥିବା ଜଣାଯାଇଛି। ନବ ନିର୍ମାଣ କୃଷକ ସଂଗଠନର ବ୍ଲକ ସଂଯୋଜକ ବୈଷ୍ଣବଚରଣ ଜେନା, ପୂର୍ବତନ ସଂଯୋଜକ ଗଦାଧର ବିଶ୍ୱାଳ, ସହ ସଂଯୋଜକ ସରୋଜକୁମାର ନାୟକ, ଜିଲା ସହ ସଂଯୋଜକ ବାପିନା ବାରିକ ପ୍ରମୁଖ ବନ୍ଦପାଳନର ନେତୃତ୍ୱ ନେଇଥିଲେ। ନିର୍ମାଣ ଶ୍ରମିକ ସଂଘ ଏବଂ ଦର୍ଜି ସଂଘ ମଧ୍ୟ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଥିଲେ ବୋଲି ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଚିତ୍ରାନନ୍ଦ ପଣ୍ଡା ସୂଚନା ଦେଇଛନ୍ତି।
Comments are closed.