ବଡ଼ମ୍ବା: ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ବଡ଼ମ୍ବା ବ୍ଲକର ୩ଟି ଜିଲାପରିଷଦ ଜୋନ ଅନ୍ତର୍ଗତ ସମୁଦାୟ ୪୯୦ଟି ବୁଥରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ସ୍ଥାନୀୟ ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନାନୁଯାଇ ଏହି ବ୍ଲକର ୩୮ଟି ପଞ୍ଚାୟତର ସମୁଦାୟ ୧ଲକ୍ଷ ୧୬ହଜାର ୧୦୨ଜଣ ମତଦାତା। ସେମାନଙ୍କ ମଧ୍ୟରୁ ୯୫ହଜାର ୩୨୭ଜଣ ଚଳିତ ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଅର୍ଥାତ୍ ସମ୍ପୂର୍ଣ୍ଣ ବ୍ଲକରେ ସମୁଦାୟ ଶତକଡ଼ା ୮୨ଭାଗ ମତଦାନ ହୋଇପାରିଛି।
ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ସନ୍ତରାବାଳି, କଶିକିଆରୀ, କୁଆଁରପାଳ, ଯୋଡ଼ୁମ ଆଦି ପଞ୍ଚାୟତରେ ସର୍ବାଧିକ ୮୭% ମତଦାନ ହୋଇଥିବା ବେଳେ ସର୍ବନିମ୍ନ ୭୨% ମତଦାନ ନିଜିଗଡ଼଼ ବଡ଼ମ୍ବା ପଞ୍ଚାୟତରେ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଅନୁଷ୍ଠିତ ନିର୍ବାଚନରେ ଭୋଟର ତାଲିକାରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଥିବା ନେଇ ମତଦାତା ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତକ ଭୋଟର ସେମାନଙ୍କ ନାଁ ତାଲିକାରେ ନଥିବାରୁ ଭୋଟ ନଦେଇପାରି ନିରାଶରେ ଘରକୁ ଫେରିଥିବା ବେଳେ ଅନ୍ୟ କେତକ ଭୋଟରଙ୍କ ନାମ ସେମାନଙ୍କ ନିଜ ୱାର୍ଡ଼ରେ ନଥିବା ଅଭିଯୋଗ ହୋଇଛି। ବ୍ଲକ ଅନ୍ତର୍ଗତ ସାନବାରସିଂହ ପଞ୍ଚାୟତର ମାଳତୀ ମନ୍ତ୍ରୀଙ୍କ ପରିବାରର ସମସ୍ତ ଭୋଟରଙ୍କ ନାମ ନିଜର ୫ନମ୍ବର ୱାର୍ଡ଼ରେ ରହିଥିବା ବେଳେ ତାଙ୍କ ନିଜ ନାମ ୮ନମ୍ବର ୱାର୍ଡ଼ରେ ରହିଥିବା ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ତ୍ରୁଟି ଅନେକ ବୁଥରେ ପରିଲକ୍ଷିତ ହୋଇଥିବା ମତଦାତା ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏସବୁର ସଂଶୋଧନ ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାମାଜିକ କର୍ମୀ ଦେବରାଜ ପାଟ୍ଟଶାଣୀ ,ଦିଲିପ କୁମାର ରାଉତ ଏବଂ ସାନବାରସିଂହ ଗ୍ରାମର ବିପିନଚନ୍ଦ୍ର ମନ୍ତ୍ରୀ ଦାବି କରିଛନ୍ତି।



