ବଡ଼ମ୍ବା: ୭୫ତମ ସ୍ୱାଧୀନତା ଦିବସ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ଏହି ପରିପ୍ରେକ୍ଷୀରେ ସେବା ଲାଗି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବଡ଼ମ୍ବାର ରାଜା ନାରାୟଣଚନ୍ଦ୍ର ହାଟ ବଣିକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଜ୍ଞାନିକ ପ୍ରଫେସର ଡ.ବଳରାମ ସାହୁ ମୁଖ୍ୟ ପୁରୋଧା ଭାବେ ଯୋଗଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ଦେବଦତ୍ତ ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ନାରାୟଣଚନ୍ଦ୍ର ହାଟ ବଣିକ ସଂଘର ସଭାପତି ଶିବନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଟ୍ଟନାୟକ, ଥାନା ଆଇଆଇସି ନିରଞ୍ଜନ ଦାସ, ଅଗ୍ନିସେବା କେନ୍ଦ୍ର ଅଧିକାରୀ ଅଲେଖ ଚରଣ ସାହୁ, ସାଂସଦ ପ୍ରତିନିଧି ଦିପକ କୁମାର ସାହୁ, ସାମ୍ବାଦିକ ଅମରେଶ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜନସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ବିଶେଷକରି ମହାମାରୀ କରୋନା ସମୟରେ ଏହାର ନିୟନ୍ତ୍ରଣ ଦିଗରେ ଜନସଚେତନ କାର୍ଯ୍ୟ ଦିଗରେ ନିଷ୍ଠାପର ଉଦ୍ୟମ କରିଥିବା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ଅନୁଷ୍ଠାନ ତରଫରୁ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।



