ଭୁବନେଶ୍ବର/ଖଣ୍ଡଗିରି : ଧନ୍ୱନ୍ତରୀ ଜୟନ୍ତୀ ତଥା ନବମ ଆୟୁର୍ବେଦ ଦିବସ ଅବସରରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ଦେଶବ୍ୟାପୀ ୧୨,୮୫୦ କୋଟି ଟଙ୍କାର ଏକାଧିକ ସ୍ୱାସ୍ଥ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏଥିମଧ୍ୟରେ ରହିଛି ଓଡ଼ିଶାର ୩ଟି ପ୍ରକଳ୍ପ। ଭୁବନେଶ୍ବର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟୋରୀ (କେନ୍ଦ୍ରୀୟ ଭେଷଜ ପରୀକ୍ଷା ପ୍ରୟୋଗଶାଳା)ର ଉଦ୍ଘାଟନ କରାଯାଇଥିବାବେଳେ ଖୋର୍ଦ୍ଧା ଜିଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଶିଳାନ୍ୟାସ କରାଯାଇଛି। ଏହାସହ ବରଗଡ଼ରେ ଏକ ଜଟିଳ ରୋଗ ଚିକିତ୍ସା କେନ୍ଦ୍ର(କ୍ରିଟିକାଲ୍ କେୟାର ସେଣ୍ଟର)ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏ ସମସ୍ତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଆଭାସି ଜରିଆରେ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଗୋଠପାଟଣା ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି ଡ୍ରଗ୍ସ ଟେଷ୍ଟିଂ ଲାବୋରେଟୋରୀ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଭଲ ପାଇବାର ନିଦର୍ଶନ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆମ ରାଜ୍ୟରେ ଏକ ଅନ୍ତର୍ଜାତୀୟମାନର ଭେଷଜ ପରୀକ୍ଷା ପ୍ରୟୋଗଶାଳା ସ୍ଥାପିତ ହୋଇପାରିଛି।
ଏହାଦ୍ବାରା ଭେଷଜ ପରୀକ୍ଷା ଓ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ଏହା ପୂର୍ବରୁ ଆମକୁ ଔଷଧର ମାନ ପରୀକ୍ଷଣ ପାଇଁ ରାଜ୍ୟ ବାହାର କେନ୍ଦ୍ରୀୟ ପ୍ରୟୋଗଶାଳା ଉପରେ ନିର୍ଭର କରିବାକୁ ପଡୁଥିଲା, କିନ୍ତୁ ଏବେ ଆମେ ଔଷଧର ମାନ ପରୀକ୍ଷଣ କରିପାରିବା। ଏତଦ୍ୱାରା ରାଜ୍ୟରେ ଉନ୍ନତମାନର ଔଷଧର ବିତରଣକୁ ପ୍ରୋତ୍ସାହନ ମିଳିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୭୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୋଦୀ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ଆୟୁଷ୍ମାନ ଭାରତ ପୃଥିବୀର ସବୁଠାରୁ ବୃହତ୍ତମ ସ୍ୱାସ୍ଥ୍ୟ ବୀମା ଯୋଜନା। ଏହାଦ୍ୱାରା ଦେଶର ପ୍ରାୟ ୫୦ କୋଟି ଗରିବ ଲୋକେ ଉପକୃତ ହେଉଛନ୍ତି। ଓଡ଼ିଶାରେ ଆମ ସରକାର ଖୁବ୍ଶୀଘ୍ର ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି। ଏହାସହିତ ଆମ ରାଜ୍ୟର ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନା ‘ଗୋପବନ୍ଧୁ ଜନ ଆରୋଗ୍ୟ’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଦୀପାବଳି ଭେଟି ଭାବେ ବର୍ତ୍ତମାନ ଧନୀ, ଗରିବ ନିର୍ବିଶେଷରେ ୭୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ନାଗରିକ ଏହି ସୁବିଧା ପାଇବେ। ଏହା ହେଉଛି ଦେଶର ବୟୋଜ୍ୟେଷ୍ଠ ନାଗରିକଙ୍କ ପ୍ରତି ମୋଦୀଜୀଙ୍କ ଦୀପାବଳି ଭେଟି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଦୁଇଟି ଯୋଜନାର ସମନ୍ୱୟରେ ରାଜ୍ୟବାସୀ ଚିକିତ୍ସା ଚିନ୍ତାରୁ ମୁକ୍ତ ହେବେ। ଏହି ଦୁଇଟି ଯୋଜନା ପାଇଁ ରାଜ୍ୟ ବଜେଟ୍ରେ ୩ ହଜାର ୫୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶରେ ଟିକାକରଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ୟୁ-ୱିନ୍ ପୋର୍ଟାଲ, ଦେଶର ଦୁର୍ଗମ ଅଞ୍ଚଳକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଡ୍ରୋନ୍ ସେବା ବ୍ୟବସ୍ଥା, ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଫେସନାଲଙ୍କ ପାଇଁ ଡିଜିଟାଲ ଇନିସିଏଟିଭ୍ ଏବଂ ଆହୁରି ଅନେକ ଯୋଜନାର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଆମ ନୂଆ ସରକାର ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ। ଚଳିତବର୍ଷ ବଜେଟରେ ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ୨୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରିଛୁ। ଏହା ପୂର୍ବ ବର୍ଷ ଅପେକ୍ଷା ୩୨% ଅଧିକ। ଏହା ଚଳିତ ବଜେଟ୍ର ୮%। ଆୟୁର୍ବେଦ ଓ ଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଦୁଇଟି ପାରମ୍ପରିକ ବିଜ୍ଞାନ ସାରା ବିଶ୍ବକୁ ପ୍ରାଚୀନ ଭାରତର ମହର୍ଷି ମାନଙ୍କ ଏକ ମହାନ ଅବଦାନ। ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ, ଭଗବାନ ଶିବ ହେଉଛନ୍ତି ଆଦିଯୋଗୀ। ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ମହର୍ଷି ପତଞ୍ଜଳୀ ପ୍ରଥମେ ଯୋଗଶାସ୍ତ୍ର ରଚନା କରିଥିଲେ। ଯୋଗ ଦ୍ବାରା ଶାରିରୀକ ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ। ଯୋଗର ଲୋକପ୍ରିୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ୨୦୧୫ରୁ ଯେତେବେଳେ ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରାଗଲା, ସେବେଠାରୁ ଯୋଗର ଲୋକପ୍ରିୟତା ବୃଦ୍ଧି ପାଇ ଚାଲିଛି।
ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ କାର୍ଯ୍ୟ କରୁଛନ୍ତି, ତାହା ନିଶ୍ଚିତ ଯୁଗାନ୍ତକାରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୀପାବଳି ଓ କାଳୀ ପୂଜା ପାଇଁ ଶୁଭେଚ୍ଛା ଜଣାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥାକୁ ସାର୍ବଜନୀନ କରିଛନ୍ତି। ଏହି ସେବାକୁ ସମସ୍ତଙ୍କ ପାଇଁ ସୁଲଭ ଓ ସହଜ କରିଛନ୍ତି। ବିଧାୟକ ବାବୁ ସିଂ କହିଥିଲେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବେ। ମୋଦୀଜୀଙ୍କ ନେତୃତ୍ୱରେ ବିଶ୍ବ ମାନଚିତ୍ରରେ ଭାରତ ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ। କାର୍ଯ୍ୟକ୍ରମରେ ଡିସିଜିଆଇ ସ୍ବାଗତ ଭାଷଣ ଦେଇଥିଲେ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ବତୀ. ଏସ୍. ଧନ୍ୟବାଦ ଦେଇଥିଲେ।



