ଖରାଦିନେ ସାଧାରଣତଃ ଖାଦ୍ୟପେୟକୁ ନେଇ ଅଧିକ ସଚେତନ ରହିବାକୁ ପଡ଼ିଥାଏ। କାରଣ ଏହିଦିନେ ଖାଦ୍ୟପେୟରେ ସାମାନ୍ୟ ଅବହେଳା ଯୋଗୁଁ ଆମକୁ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏପରି କିଛି ଖାଦ୍ୟ ଅଛି ଯାହାକୁ ଖରାଦିନେ ଖାଇବାକୁ ଡାକ୍ତରମାନେ ବାରଣ କରିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଖରାଦିନେ କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ –
-ଖରାଦିନରେ ଅଧିକ ତାପମାତ୍ରା ଯୋଗୁଁ ଫଳ, ପନିପରିବା ତଥା ରନ୍ଧା ଖାଦ୍ୟ ଅତିଶୀଘ୍ର ଖରାପ ହୋଇଯାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଖରାପ, ଗ୍ୟାସ୍, ଝାଡ଼ା ବାନ୍ତି ଆଦି ହୋଇଥାଏ। ତେଣୁ ଯେତେଦୂର ସମ୍ଭବ ସତେଜ ଖାଦ୍ୟ ଖାଆନ୍ତୁ।
-ଖରାଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟଠୁ ଦୂରେଇ ରହିବା ଆବଶ୍ୟକ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି ରଖାଯାଇଥିବା ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଇବା ଉଚିତ୍ ନୁହେଁ। ଏପରି ଖାଦ୍ୟ ଖାଇଲେ ଗ୍ୟାସ୍ ସମସ୍ୟା ଦେଖାଦେଇଥାଏ।
-ଡାକ୍ତରଙ୍କ କହିବା ଅନୁସାରେ ଗରମଦିନରେ ୪ରୁ ୫ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଖାଦ୍ୟକୁ ଳଖାଇବା ଅନୁଚିତ୍। ଏହାଦ୍ୱାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। ଏହି ସମୟରେ ବାୟୁମଣ୍ଡଳରେ ତାପମାତ୍ରା ଅଧିକ ଥିବାରୁ ବ୍ୟାକ୍ଟେରିଆ ଶୀଘ୍ର ସୃଷ୍ଟି ହୋଇଥାନ୍ତି।
-ଏହା ବ୍ୟତୀତ ସାଲାଡ୍ ଓ ଫଳକୁ ଖାଇବା ସମୟରେ ହିଁ କାଟିବା ଆବଶ୍ୟକ। ନହେଲେ ସ୍ୱାସ୍ଥ୍ୟ ସମସ୍ୟା ହେବ।
-ସେହିପରି ବାସି କ୍ଷୀର ମଧ୍ୟ ଶରୀର ପାଇଁ ହାନିକାରକ। ଫ୍ରିଜରେ ଥିବା ୨ରୁ ୩ ଦିନର କ୍ଷୀରକୁ ବ୍ୟବହାର କରିବା ଅନୁଚିତ୍। କ୍ଷୀର କିଣିବା ପରେ ଏହାକୁ ଗରମ କରି ବ୍ୟବହାର କରନ୍ତୁ ଏବଂ ଅଧିକ ସମୟ ଧରି ରଖନ୍ତୁ ନାହିଁ। କିଣିବା ସମୟରେ ଏକ୍ସପାୟରୀ ଡେଟ୍ ଦେଖି କିଣିବାକୁ କେବେ ଭୁଲନ୍ତୁ ନାହିଁ।



