ନଦୀକୁ ଖସିଲା ଯାତ୍ରୀବାହୀ ଅଟୋ, ୮ ମହିଳା ଶ୍ରମିକ ଆହତ

ବାଣପୁର : ସୋମବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ଅଟୋ ବାଉଁଶ ନଦୀକୁ ଖସିପଡିଛି । ଫଳରେ ଅଟୋରେ ଥିବା ୮ଜଣ ମହିଳା ଶ୍ରମିକଙ୍କ ସମେତ ଚାଳକ ଆହତ ହୋଇଛନ୍ତି । ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

prayash

ଗଞ୍ଜାମ ଜିଲାର ବହୁ ଶ୍ରମିକ ଅଟୋ ଯୋଗେ ବାଣପୁର ଓ ଚିଲିକା ବ୍ଳକର ବିଭିନ୍ନ ସ୍ଥାନକୁ ଧାନ ବିଲରେ କାମ କରିବା ପାଇଁ ଆସନ୍ତି । କାମ ସାରି ସନ୍ଧ୍ୟା ପରେ ଆସିଥିବା ଅଟୋଯୋଗେ ଗ୍ରାମକୁ ଫେରିଯାନ୍ତି । ଏପରି କ୍ରମେ ଗଞ୍ଜାମ ଜିଲା ଷଣ୍ଡମୂଳ ଏବଂ ନୂଆଁକଟ ଗ୍ରାମର ୧୩ ଜଣ ମହିଳା ଏବଂ ଜଣେ ପୁରୁଷ ଶ୍ରମିକ ସୋମବାର ସକାଳେ ଧାନ ରୋଇବା ପାଇଁ ବାଣପୁର ନିକଟସ୍ଥ ଆୟତ୍ତପୁରକୁ ଆସିଥିଲେ । ସନ୍ଧ୍ୟା ପ୍ରାୟ ସାଢେ ସାତଟାରେ କାମସାରି ସମସ୍ତେ ଅଟୋରେ ଫେରୁଥିବା ବେଳେ ବରଡି ଛକ ନିକଟରେ ଅଟୋଟି ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା । ଓଲଟି ପଡିବା ପରେ ଅଟୋଟି ଭାରସ୍ୟାମ ହରାଇ ନିକଟରେ ବହି ଯାଉଥିବା ବାଉଁଶ ନଦୀ ମଧ୍ୟକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଶ୍ରମିକମାନଙ୍କୁ ନଦୀରୁ ଉଦ୍ଧାର କରିବା ସହ ଅଗ୍ନିଶମ ଓ ପୁଲିସକୁ ଖବର ଦେଇଥିଲେ ।

ଅଗ୍ନିଶମ କର୍ମଚାରୀ ଓ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଷଣ୍ଡମୂଳ ଗ୍ରାମର ଝୁନି ସାହୁ, ତମାଳ ସାହୁ, ଝୁନୁ ମୁଦୁଲି, ଲକ୍ଷ୍ମୀ ସେଠୀ, ବୁଲି ବେହେରା, ସଇଳ ସ୍ୱାଇଁ ଏବଂ ନୂଆଁକଟ ଗ୍ରାମର କୁନି ଜେନା, ଜୟ ବିଷୋୟୀ, କୁମାରୀ ବିଷୋୟୀ, ରଞ୍ଜୁ ସ୍ୱାଇଁ, ସଞ୍ଜୁ ଭୂଆଁ ପ୍ରମୁଖ ୮ଜଣ ଆହତ ହୋଇଛନ୍ତି । ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କର ଚିକିତ୍ସା ଚାଲିଥିବା ବେଳେ ସଇଳ ସ୍ୱାଇଁଙ୍କ ଅବସ୍ଥା ଗୁରୁତର ରହିଛି । ଅଟୋଟି ଏବେ ମଧ୍ୟ ନଦୀରେ ବୁଡି ରହିଥିବାବେଳେ ଚାଳକଙ୍କ ସମେତ ସମସ୍ତ ୧୫ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଉକ୍ତ ବାଣପୁର -ଆୟତ୍ତପୁର ରାସ୍ତାଟି ଦୀର୍ଘ ଦିନ ହେବ ନିର୍ମାଣଧିନ ଅବସ୍ଥାରେ ରହିଛି । ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ଫଳରେ ରାସ୍ତାଟି ଯା’ଆସ ପାଇଁ ବିପଦ ସଙ୍କୁଳ ହୋଇପଡିଛି । ଫଳରେ ବିଭିନ୍ନ ସମୟରେ ଏହି ରାସ୍ତାରେ ଦୁର୍ଘଟଣାମାନ ଘଟି ବହୁ ଧନ ଜୀବନ ହାନି ହେଉଛି ।

kalyan agarbati

Comments are closed.