www.samajalive.in
Friday, December 12, 2025
15.1 C
Bhubaneswar

ଆଫ୍‌ଗାନିସ୍ତାନକୁ ସହଜରେ ହରାଇଲା ଅଷ୍ଟ୍ରେଲିଆ

ବ୍ରିଷ୍ଟଲ : ସହଜ ବିଜୟ ସହ ଚଳିତ କ୍ରିକେଟ ବିଶ୍ବକପ୍‌ରେ ତା’ର ଅଭିଯାନ ଆରମ୍ଭ କରିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ଉଭୟ ବ୍ୟାଟିଂ ଓ ବୋଲିଂରେ ଚମ୍ପିଆନ୍‌ଙ୍କ ପରି ପ୍ରଦର୍ଶନ କରି ୭ ୱିକେଟରେ ଆଫ୍‌ଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଶନିବାର ଏହି ଦିବାରାତ୍ର ମ୍ୟାଚ୍‌ରେ ନଜିବୁଲ୍ଲା ଜାଦ୍ରାନ୍ ଓ ରହମତ ଶାହାଙ୍କ ଲଢ଼ୁଆ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆଫ୍‌ଗାନିସ୍ତାନ ୩୮.୨ ଓଭରରେ ୨୦୭ ରନ୍‌କରି ଅଲ୍ଆଉଟ ହୋଇଥିଲା। ଫାଷ୍ଟବୋଲର ପ୍ୟାଟ୍‌ କମିନ୍‌ସ ଓ ଲେଗ୍‌ସ୍ପିନର ଆଡାମ୍ ଜାମ୍ପା ୩ଟି ଲେଖାଏଁ ୱିକେଟ ନେଇ ଆଫ୍‌ଗାନିସ୍ତାନ ଇନିଂସରେ ଅଙ୍କୁଶ ଲଗାଇଥିଲେ। ପରେ ଦୁଇ ଓପ୍‌ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ୩୪.୫ ଓଭରରେ ୩ ୱିକେଟ ହରାଇ ସର୍ବାଧିକ ୫ ଥର ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ଜିତିଥିଲା।
ଅଷ୍ଟ୍ରେଲିଆ ୨୦୮ ରନ୍ ଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ବେଳେ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଜଗିରଖି ଖେଳିଥିବା ବେଳେ ଅଧିନାୟକ ଆରୋନ୍ ଫିଞ୍ଚ୍ ଆକ୍ରମଣ କରିଥିଲେ। ଫଳରେ ଅଷ୍ଟ୍ରେଲିଆ ଭଲ ଗତିରେ ରନ୍ ସ୍କୋର୍ କରିଥିଲା। ଓପ୍‌ନିଂ ଯୋଡ଼ି ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ଏବଂ ୯୬ ରନ୍‌ର ଭାଗିଦାରୀ କରିଥିଲେ। ଫର୍ମକୁ ଫେରିଥିବା ଫିଞ୍ଚ୍ ୪୯ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୬୬ ରନ୍‌କରି ଆଉଟ ହୋଇଥିଲେ। ପରେ ୱାର୍ଣ୍ଣର ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଉସ୍‌ମାନ ଖାୱାଜାଙ୍କ ସହ ୱାର୍ଣ୍ଣର ୬୦ ରନ୍ ଯୋଡ଼ିଥିଲେ। ଖାୱାଜା ୨୦ ବଲ୍‌ରୁ ୧୫ ରନ୍ କରିଥିଲେ। ପରେ ୱାର୍ଣ୍ଣର ଓ ଷ୍ଟିଭେନ୍ ସ୍ମିଥ୍ ୪୯ ରନ୍ ଯୋଡ଼ିଥିଲେ। ସ୍ମିଥ୍ ୧୮ ରନ୍ କରିଥିଲେ। ୱାର୍ଣ୍ଣର ୧୧୪ ବଲ୍‌ରୁ ୮ଟି ଚୌକା ସହ ୮୯ ରନ୍‌କରି ଅପରାଜିତ ଥିଲେ।
ଆଫ୍‌ଗାନିସ୍ତାନ ଟସ୍ ଜିତି ବ୍ୟାଟିଂ ନେବା ପରେ ବିପର୍ଯ୍ୟୟ ସହ ଏହା ଇନିଂସ ଆରମ୍ଭ କରିଥିଲା। ୫ ରନ୍‌ରେ ଏହା ୨ଟି ୱିକେଟ ହରାଇଥିଲା। ମହମ୍ମଦ ସେହ୍‌ଜାଦ ଓ ହଜ୍ରତୁଲ୍ଳା ଜାଜାଇ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇ ଯାଇଥିଲେ। ତେବେ ରହମତ୍ ଶାହା ଓ ହସ୍‌ମତୁଲ୍ଲା ସାହିଦି ୩ୟ ୱିକେଟ ପାଇଁ ୫୧ ରନ୍ ଯୋଡ଼ିଥିଲେ। ସାହିଦି ୧୮ ରନ୍‌କରି ଆଉଟ ହେବା ପରେ ଅଭିଜ୍ଞ ମହମ୍ମଦ ନବି ୭ ରନ୍‌କରି ବିଦାୟ ନେଇଥିଲେ। ରହମତ୍ ଶାହା ୬୦ ବଲ୍‌ରୁ ୬ଟି ଚୌକା ସହ ୪୩ ରନ୍ କରିଥିଲେ। ୭୭ ରନ୍‌ରେ ୫ଟି ୱିକେଟ ହରାଇ ଆଫ୍‌ଗାନିସ୍ତାନ ଦୟନୀୟ ସ୍ଥିତିରେ ଥିଲା। ତେବେ ଅଧିନାୟକ ଗୁଲ୍‌ବାଦିନ୍ ନାଇବ୍ ଓ ନଜିବୁଲ୍ଲା ଜାଦ୍ରାନ୍ ୬ଷ୍ଠ ୱିକେଟ ପାଇଁ ୮୩ ରନ୍‌ର ଲଢ଼ୁଅା ଭାଗିଦାରୀ କରିଥିଲେ। ନାଇବ୍ ଗୋଟିଏ ଛକା ଓ ୪ଟି ଚୌକା ସହ ୩୧ ରନ୍ କରିଥିଲେ। ପରେ ନଜିବୁଲ୍ଲା ଜାଦ୍ରାନ୍ ଚମତ୍କାର ଷ୍ଟ୍ରୋକ୍ ଖେଳି ୨ଟି ଛକା ଓ ୭ଟି ଚୌକା ସହ ଇନିଂସର ଏକମାତ୍ର ଅର୍ଦ୍ଧଶତକ ହାସଲ କରି ୫୧ ରନ୍‌କରି ବିଦାୟ ନେଇଥିଲେ। ରସିଦ୍ ଖାଁ କ୍ଷୁଦ୍ର ବିସ୍ଫୋରକ ଇନିଂସ ଖେଳି ମାତ୍ର ୧୧ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ସାଥୀ ସ୍ପିନର ମୁଜିବ୍ ଉର୍ ରେହ୍‌ମାନ ୯ ବଲ୍‌ରୁ ୧୩ ରନ୍ କରିଥିଲେ। ପ୍ୟାଟ୍‌ କମିନ୍‌ସ ଓ ଆଡାମ୍ ଜାମ୍ପା ୩ଟି ଲେଖାଏଁ ୱିକେଟ ନେଇଥିଲେ। ମାର୍କସ ଷ୍ଟୋଇନିସ୍ ୨ଟି ୱିକେଟ ପାଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories