ଡେସ୍କ: ପଶ୍ଚିମବଙ୍ଗର ସନ୍ଦେଶଖାଲି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ କରିବା ଉପରେ କଲିକତା ହାଇକୋର୍ଟର ଖଣ୍ଡପୀଠ ଆଜି ଅନ୍ତରୀଣ ସ୍ଥଗିତାଦେଶ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ ଜୟ ସେନଗୁପ୍ତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏବଂ ପଶ୍ଚିମବଙ୍ଗ ପୁଲିସର ଦୁଇ ଜଣ ଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକକ ବିଚାରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଛି। ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି ମଧ୍ୟ ଖଣ୍ଡପୀଠ କରିଛନ୍ତି। ପଶ୍ଚିମବଙ୍ଗ ପୁଲିସ ସନ୍ଦେଶଖାଲି ଘଟଣା ସହ ଜଡିତ କୌଣସି ମାମଲାର ତଦନ୍ତ କରିପାରିବ ନାହିଁ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୬ ତାରିଖକୁ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ଗତ ଜାନୁଆରି ୫ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିଠାରେ ସହଜାନ ଶେଖଙ୍କ ସମର୍ଥକମାନେ ଇଡି ଟିମ୍ ଉପରେ ଆକ୍ରମଣ କରିବା ସହ କିଛି ଅଧିକାରୀଙ୍କୁ ଗୁରୁତର ଭାବେ ଆହତ କରିଥିଲେ।



