କନିଷ୍ଠ ମହିଳା କଲେଜରେ ଡେଙ୍ଗୁ, ମ୍ୟାଲେରିଆ ସଚେତନତା ସୃଷ୍ଟି
ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(କନିଷ୍ଠ କଲେଜ) ଏନଏସଏସ ଆନୁକୂଲ୍ୟରେ ଏବଂ ଯୁବ ରେଡକ୍ରସ ଓ ସ୍କାଉଟ-ଗାଇଡର ମିଳିତ ସହଯୋଗରେ ଶନିବାର ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ୱେଚ୍ଛାସେବୀ ଛାତ୍ରୀମାନଙ୍କର ଏକ ସଚେତନତା ଶୋଭାଯାତ୍ରାକୁ କଲେଜ ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ପତାକା ଦେଖାଇ ଉଦଘାଟନ କରିଥିଲେ।
ଏନଏସଏସ ଯୋଜନା ଅଧିକାରୀ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସ, ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପ୍ରମୋଦିନୀ ଜେନା ଓ ରେଞ୍ଜର ଲିଡର ବିଜୟାଲକ୍ଷ୍ମୀ ମହାନ୍ତିଙ୍କ ତତ୍ତ୍ବାବଧାନରେ ସ୍ବେଚ୍ଛାସେବୀ ଛାତ୍ରୀମାନେ ହାତରେ ସଚେତନଧର୍ମୀ ଲେଖା ସମ୍ବଳିତ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ।
ସହର ପରିକ୍ରମା ସମୟରେ ରଥଗଡା ଛକ ଓ ବିଶ୍ଵନାଥ ବିଦ୍ୟାପୀଠ ସମ୍ମୁଖରେ ଛାତ୍ରୀମାନେ ପ୍ରାଧ୍ୟାପିକା ସ୍ମିତା ମହାପାତ୍ରଙ୍କ ନିର୍ଦେଶନାରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ସମ୍ପର୍କିତ ସଚେତନଧର୍ମୀ ଲୋକନୃତ୍ଯ ପରିବେଷଣ କରିଥିଲେ। ଡେଙ୍ଗୁ ଓ ମ୍ୟାଲେରିଆ ରୋଗରୁ ରକ୍ଷା ପାଇଁ କିପରି ସଚେତନ ହେବେ ଏବଂ ସତର୍କତା ଅବଲମ୍ବନ କରିବେ ଛାତ୍ରୀମାନେ ବୁଝାଇଥିଲେ । କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏଥିରେ ଉପସ୍ଥିତ ରହି ସହଯୋଗ କରିଥିଲେ।
Comments are closed.