ଆଠଗଡ: ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟା ରଶ୍ମିତା ନନ୍ଦ ଏଥିରେ ସଂଯୋଜନା କରି ରାଷ୍ଟ୍ରୀୟ ନବବର୍ଷର ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ଶରତ ଚନ୍ଦ୍ର ସାମନ୍ତ ଯୋଗଦେଇ ଚୈତ୍ର ଶୁକ୍ଳ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ନବବର୍ଷ ପାଳନର ଐତିହ୍ୟ ଓ ଆଧ୍ୟାତ୍ମିକ ଦିଗ ସଂପର୍କରେ ବୁଝାଇଥିଲେ। ଆଜିର ଦିନରେ ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଆରମ୍ଭ ହୋଇଥିବାବେଳେ ପ୍ରଭୁ ଶ୍ରୀରାମ ଓ ରାଜା ଯୁଧଷ୍ଠିରଙ୍କ ରାଜ୍ୟାଭିଷେକ, ମହର୍ଷି ଦୟାନନ୍ଦଙ୍କ ଦ୍ୱାରା ଆର୍ଯ୍ୟ ସମାଜର ପ୍ରତିଷ୍ଠା ଏବଂ ରାଷ୍ଟ୍ର ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡଃ କେଶବ ବଳିରାମ ହେଡଗେୱରଙ୍କ ଜନ୍ମତିଥି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।
ଏହି ମହାନ ତଥା ପବିତ୍ର ଦିବସକୁ ସବୁବର୍ଗର ଲୋକ ରାଷ୍ଟ୍ରୀୟ ନବବର୍ଷ ଭାବରେ ପାଳନ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଛାତ୍ର ସୌମ୍ୟଜିତ୍ ରଣା ଓ ଛାତ୍ରୀ ଶୁଭ୍ରଜ୍ୟୋତି ପ୍ରିୟଦର୍ଶିନୀଙ୍କ ସମେତ ଗୁରୁମା ମୀନତି ସ୍ୱାଇଁ, ସନ୍ଧ୍ୟାରାଣୀ ମହାରଣା ଓ ଅୟସ୍ମିତା ବେହେରା ପ୍ରମୁଖ ରାଷ୍ଟ୍ରୀୟ ନବବର୍ଷ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।



