ଖରିଫ ଧାନକ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରଶିକ୍ଷଣ ଶିବିର
ଆଠଗଡ: ଆଠଗଡ ବ୍ଲକ ସଭାଗୃହରେ ଆଗାମୀ ୨୦୨୨-୨୩ ବର୍ଷରେ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ କିପରି କରାଯିବ ସେ ନେଇ ଏକ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଠଗଡ ଉପଖଣ୍ଡ ଅନ୍ତର୍ଗତ ୪ଟି ବ୍ଲକର ୭୨ଟି ସେବା ସମବାୟ ସମିତିର ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଚାଷୀ ପଞ୍ଜୀକରଣ ସଂପର୍କୀତ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରକୁ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ଉଦ୍ଘାଟନ କରି ଆଗାମୀ ଖରିଫ ଋତୁରେ ପ୍ରକୃତ ଚାଷୀଙ୍କର ନାମ କିପରି ନିର୍ଭୁଲ ଭାବେ ପଞ୍ଜିକରଣ କରାଯାଇପାରିବ ଏବଂ ଆବଶ୍ୟକୀୟ ସମସ୍ତ ତଥ୍ୟ ସଠିକ ଭାବେ ପି-ପାସ୍ ମାଧ୍ୟମରେ ଭର୍ତ୍ତିକରି ପଞ୍ଜିକରଣ କରାଯିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏଥିରେ କଟକ ଜିଲା ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, କମ୍ପୁଟର ପ୍ରୋଗ୍ରାମ ଅଧିକାରୀ ଜାମିନିକାନ୍ତ ମହାପାତ୍ର ପ୍ରମୁଖ ଆଗାମୀ ଖରିଫ ଋତୁରେ ଚାଷୀପଞ୍ଜୀକରଣ କ୍ଷେତ୍ରରେ କରାଯାଇଥିବା କିଛି ପରିବର୍ତ୍ତନ ସଂପର୍କରେ ଆଲୋକପାତ କରିଥିଲେ। ବିଶେଷକରି ସାଟେଲାଇଟ ମାଧ୍ୟମରେ ଚାଷୀଙ୍କ ଦ୍ୱାରା ଧାନଚାଷ କରାଯାଇଥିବା ସମସ୍ତ ଜମିକୁ ଚିହ୍ନଟ କରି ସେହି ଅନୁଯାୟୀ ତଥ୍ୟ ରଖାଯିବ ବୋଲି ପ୍ରକାଶ କରିଥିଲେ। ଚାଷୀମାନେ ନିଜର ପରିଚୟପତ୍ର ନକଲ, ବ୍ୟାଙ୍କ ଜମାଖାତା ନକଲ, ଆଧାରକାର୍ଡ ନକଲ, ଧାନଚାଷ କରାଯାଉଥିବା ଜମିଜମାର କାଗଜପତ୍ର, ମୋବାଇଲ ଫୋନ ନମ୍ବର ଓ ଅନ୍ୟାନ୍ୟ ତଥ୍ୟ ପ୍ରଦାନ କରିବେ। ଆଗାମୀ ଖରିଫ ଋତୁରେ କେନ୍ଦ୍ରସରକାର ଧାନର ସହାୟକ ମୂଲ୍ୟରେ ୧୦୦ଟଙ୍କା ବୃଦ୍ଧି କରିଥିବାରୁ କୁଇଣ୍ଟାଲ ପିଛା ଏହା ୨୦୪୦ଟଙ୍କାରେ ପହଞ୍ଚିଥିବା ଅଧିକାରୀମାନେ ସୂଚାଇ ଦେଇଥିଲେ।
ଏ ସମସ୍ତ ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଉପଖଣ୍ଡର ୪ଟି ଯାକ ବ୍ଲକ ଅଞ୍ଚଳରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବ୍ୟାପକ ପ୍ରଚାର ପ୍ରସାର କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କର ପଞ୍ଜୀକରଣ କାର୍ଯ୍ୟ ସମସ୍ତ ସେବା ସମବାୟ ସମିତିରେ ଆଗାମୀ ଜୁଲାଇ ୧୫ତାରିଖରୁ ଅଗଷ୍ଟ ୧୬ତାରିଖ ମଧ୍ୟରେ ତଥ୍ୟ ସଂଗ୍ରହ କରାଯିବ, ତଥ୍ୟଗୁଡିକୁ ଜୁଲାଇ ୧୮ତାରିଖରୁ ସେପ୍ଟେମ୍ବର ୭ତାରିଖ ମଧ୍ୟରେ ଯାଞ୍ଚ କରାଯାଇ ପି-ପାସ ମାଧ୍ୟମରେ କମ୍ପୁଟର ସାଇଟରେ ଭର୍ତ୍ତି କରାଯିବା ସହ ଏହି ସମସ୍ତ ପ୍ରକ୍ରିୟା ସେପ୍ଟେମ୍ବର ୯ତାରିଖ ମଧ୍ୟରେ ଶେଷକରି ସପ୍ଟେମ୍ବର ୩୦ତାରିଖ ସୁଦ୍ଧା ପଞ୍ଜିକୃତ ଚାଷୀଙ୍କ ତାଲିକା ପ୍ରକାଶ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ଚାଷୀଙ୍କ ନିଜସ୍ୱ ମୋବାଇଲକୁ ଓଟିପି ଆସିବା ପରେ ହିଁ ପଞ୍ଜିକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇପାରିବ ବୋଲି ଯୋଗାଣ ବିଭାଗ ଅଧିକାରୀମାନେ ପ୍ରକାଶ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଆଠଗଡ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ, ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟର ଅଧିକାରୀ ସଞ୍ଜିତ କୁମାର ପଣ୍ଡା, ଆଲୋକ କୁମାର ବଳ, କାହ୍ନୁଚରଣ ସାହୁ, ରଶ୍ମିରେଖା ସ୍ୱାଇଁ ଏବଂ ନରସିଂହପୁର ନିୟନ୍ତ୍ରିତ ବଜାର କମିଟିର ସଂପାଦକ ରାମନାରାୟଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.