୩ଟି ସ୍ଥାନରେ ଅବକାରୀ ଚଢାଉ, ବିପୁଳ ମଦ ଓ ପୋଚ ଜବତ
ଆଠଗଡ: ଶୁକ୍ରବାର ଆଠଗଡ ଅବକାରୀ, କଟକ ଅବକାରୀ ଭ୍ରାମ୍ୟମାଣ ସ୍କାର୍ଡ ଓ ଅବକାରୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଠଗଡ ଓ ତିଗିରିଆ ଥାନା ଅଞ୍ଚଳର ୩ଟି ସ୍ଥାନରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ଗୁଡପୋଚ ଜବତ କରାଯାଇଛି। ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଗ୍ରାମର ପାହାଡ ତଳି କାଜୁ ଜଙ୍ଗଲ ଅଞ୍ଚଳର ଏହି ମିଳିତ ଅବକାରୀ ସ୍କାର୍ଡ ଚଢାଉ କରି ୪୫୫ଲିଟର ସଦ୍ୟ ପ୍ରସ୍ତୁତ ଦେଶୀମଦ ଓ ୪୩୪୦ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।
ସେହିପରି ଆଠଗଡର କୋରଙ୍ଗାରେ ଏକାଧିକ ମଦଭାଟି ଉପରେ ଚଢାଉ କରାଯାଇ ୨୪୫ଲିଟର ଦେଶୀମଦ ଓ ୨୧୩୫ଲିଟର ଗୁଡପୋଚ ଏବଂ ସଠିଲୋ ପଞ୍ଚାୟତ ଅନ୍ତର୍ଗତ ତାଳବସ୍ତ ଗ୍ରାମର ନାଳକଡ ଚାଷଜମିରେ ଏକାଧିକ ମଦଭାଟି ଉପରେ ଚଢାଉ କରାଯାଇ ୧୪୦ଲିଟର ଦେଶୀମଦ ଓ ୨୩୪୫ଲିଟର ଗୁଡପୋଚ ଜବତ କରାଯାଇ ନଷ୍ଟ କରାଯାଇଥିଲା। ସେହିସବୁ ସ୍ଥାନରେ ମଦ ମାଫିଆ ମାନେ ଅବକାରୀର ଏକାଧିକ ଗାଡି ଦେଖି ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇନଥିବାବେଳେ କେତେକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଆଠଗଡ ଅବକାରୀ ନିରୀକ୍ଷକ କେଶବଚନ୍ଦ୍ର ଦାସ, ଅବକାରୀ ଗୁଇନ୍ଦା ସଂସ୍ଥାର ନିରୀକ୍ଷକ ସତ୍ୟଜିତ୍ ଖଟୁଆ, ଆଠଗଡ ଅବକାରୀ ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ଭଞ୍ଜ, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ ଓ ଅବକାରୀ ଗୁଇନ୍ଦାର ସହକାରୀ ଉପନିରୀକ୍ଷକ ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।
Comments are closed.