ଆଠଗଡରେ ପୌର ନିର୍ବାଚନ ଶାନ୍ତିପୂର୍ଣ୍ଣ, ୭୭.୪୩% ମତଦାନ

ଆଠଗଡ: ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଅନୁଷ୍ଠିତ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବାବେଳେ ଏଠାରେ ୭୭.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସଙ୍କ ସୁତ୍ରରୁ ପ୍ରକାଶ। ନଗରପାଳ ପଦବୀ ପାଇଁ ୪ଜଣ ଏବଂ ୧୮ଟି ୱାର୍ଡର ପାରିଷଦ ପାଇଁ ୫୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ମୁଦ ହୋଇଯାଇଛି। ଆସନ୍ତା ୨୬ତାରିଖ (ଶନିବାର) ଭୋଟ ଗ୍ରହଣ ପରେ କିଏ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ କ୍ଷମତା ଦଖଲ କରିବ ତାହା ସ୍ପଷ୍ଟ ହୋଇଯିବ। ଗୁରୁବାର ସକାଳ ୭.୩୦ମିନିଟରେ ମକ ପୋଲ ସମୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରହିଥିବା ୩ନଂ ୱାର୍ଡର ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା। ଇଭିଏମ ଇଞ୍ଜିନିୟର ତ୍ରୁଟି ସଜାଡିବା ପରେ ପ୍ରାୟ ୪୫ମିନିଟ ବିଳମ୍ବରେ ସେଠାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ସେହିପରି ଭୋଟ ଗ୍ରହଣ ଚାଲିଥିବାବେଳେ ୯ନଂ ୱାର୍ଡ ପାଇଁ ବୀରକିଶୋରପୁର ପ୍ରାଥମିକ ବିଦ୍ୟାଳୟରେ ରହିଥିବା ବୁଥରେ ଇଭିଏମରେ କିଛିଟା ତ୍ରୁଟି ପରିଲକ୍ଷିତ ହୋଇଥିଲା। ସେଠାରେ ତୁରନ୍ତ ଇଭିଏମ ଇଞ୍ଜିନିୟର ପହଞ୍ଚି ସଜାଡିବା ପରେ ପ୍ରାୟ ୩୦ମିନିଟ ପରେ ପୁନଃ ଭୋଟ ଗ୍ରହଣ ହୋଇଥିଲା।

ଆଠଗଡର ୯ଟି ଶିକ୍ଷାନୁଷ୍ଠାନରେ ୧୮ଟି ୱାର୍ଡର ୧୮ଟି ଭୋଟ ଗ୍ରହଣ କେନ୍ଦ୍ର ହୋଇଥିବାବେଳେ ସବୁଠାରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିଲା। କେବଳ ୩ନଂ ଓ ୪ନଂ ୱାର୍ଡର ବୁଥ ହୋଇଥିବା ସରକାରୀ ବାଳିକା ବିଦ୍ୟାଳୟ ପରିସରକୁ ଜଣେ ନିର୍ବାଚିତ ଜିଲ୍ଲାପରିଷଦ ମହିଳା ସଦସ୍ୟଙ୍କ ପ୍ରବେଶକୁ ନେଇ କିଛିଟା ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଟ ୧୩୯୩୭ଭୋଟରଙ୍କ ମଧ୍ୟରୁ ୫୧୮୨ମହିଳା ଓ ୫୬୧୦ପୁରୁଷ ଭୋଟରଙ୍କୁ ମିଶାଇ ମୋଟ ୧୦୭୯୨ଜଣ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ପରିଚାଳନା ହୋଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ, ଆଠଗଡ ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ ଓ ସହକାରୀ ଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟି ମାଜିଷ୍ଟ୍ରେଟ୍‍ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

prayash

ନିର୍ବାଚନ ପରେ ପୁଲିସ ସୁରକ୍ଷା ବଳୟରେ ସମସ୍ତ ବୁଥରୁ ନିର୍ବାଚନରେ ନିୟୋଜିତ କର୍ମଚାରୀ ଇଭିଏମ ଗୁଡିକୁ ଆଣିବା ପରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପର ଉପର ମହଲାରେ ଅସ୍ଥାୟୀ ରୂପେ ବ୍ୟବହାର କରାଯାଉଥିବା ଷ୍ଟଙ୍ଗରୁମରେ ସେଗୁଡିକୁ ପୁଲିସ ସୁରକ୍ଷା ମଧ୍ୟରେ ରଖାଯାଇଛି। ଆଠଗଡ ଉପକୋଷାଗାର ଅଧିକାରୀ ପ୍ରିୟରଞ୍ଜନ ମହାପାତ୍ର ଉକ୍ତ ଷ୍ଟ୍ରଙ୍ଗରୁମ୍‍ ଦାୟିତ୍ୱରେ ରହିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବାବେଳେ ନିଜେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ବି ଯୁଗଳ କିଶୋର ବାନୋଥ ଆଠଗଡର ସମସ୍ତ ବୁଥ ବୁଲି ପରିସ୍ଥିତି ଉପରେ ନଜର ରଖିଥିଲେ। ଆଠଗଡ ଏସଡିପିଓ ବିଜୟ କୁମାର ବିଶି, ଟାଙ୍ଗି-ଚୌଦ୍ୱାରା ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ କଟକ ସଦର ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଡାଙ୍କ ସମେତ ଆଠଗଡ ଆଇଆଇସି ବାମଦେବ ସ୍ୱାଇଁ ଏବଂ ତିଗିରିଆ, ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳାଙ୍କ ଅନୁରୋଧ କ୍ରମେ ଗୋପବନ୍ଧୁ ବିଜ୍ଞାନ କଲେଜ ଏନଏସଏସର ୧୮ ସ୍ୱେଚ୍ଛାସେବୀ ଏବଂ ମାଧବପୁରସ୍ଥିତ ଜିମସାର ନର୍ସିଂ କଲେଜ ଏନଏସଏସର ୨୨ଜଣ ସ୍ୱେଚ୍ଛାସେବୀ ୧୮ଟି ଯାକ ବୁଥରେ ଭୋଟରଙ୍କୁ ସହାୟତା ପାଇଁ ନିୟୋଜିତ ହୋଇଥିଲେ। ରାସରସିକପୁର ୟୁଜିୟୁପି ସ୍କୁଲର ବୁଥକୁ ଗୋଲାପି ଭୋଟ ଗ୍ରହଣ କେନ୍ଦ୍ର ଏବଂ ସରକାରୀ ବାଳିକା ହାଇସ୍କୁଲ ବୁଥକୁ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର କରାଯାଇ ଅତି ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା। ଆସନ୍ତା ୨୬ତାରିଖ ଶନିବାର ଦିନ ସକାଳ ୮ଟାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଭୋଟ ଗଣତି ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇ ସାରିଛି।

kalyan agarbati

Comments are closed.