ଆଠଗଡରେ ଜିଲାପାଳଙ୍କ ଜନଶୁଣାଣି ଶିବିର

ଆଠଗଡ:ଆଠଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର କଟକ ଜିଲାପାଳଙ୍କର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ ପରିବର୍ତ୍ତେ ଅତିରିକ୍ତ ଜିଲାପାଳ ଶିବ ଟପୋ ଯୋଗଦାନ କରି ୫୯ଗୋଟି ଅଭିଯୋଗ ଶୁଣାଣି କରିବା ସହ ସେଗୁଡିକର ଶୁଣାଣି କରିଥିଲେ। ତନ୍ମଧ୍ୟରୁ ୪୯ଟି ବ୍ୟକ୍ତିଗତ ଓ ୧୦ଟି ସାମୁହିକ ଅଭିଯୋଗ ରହିଥିଲା। ଶୁଣାଣୀ ଶିବିରରେ ତତ୍କାଳ ୫ଟି ଅଭିଯୋଗ ଫଇସଲା କରାଯାଇଥିବାବେଳେ ଅନ୍ୟ ୫୪ଟିକୁ ସମାଧାନ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

ରାଧାକିଶୋରପୁରର ମଥୁରା ନାଏକ ଓ ବଡଭୂଇଁର ଗୁଣ୍ଡିଚା ସାହୁଙ୍କୁ ଚିକିତ୍ସା ଖର୍ଚ୍ଚ ବାବାଦରେ ୩ହଜାର ଟଙ୍କା ଲେଖାଏଁ ରେଡକ୍ରସ ପାଣ୍ଠିରୁ ତତ୍କାଳ ପ୍ରଦାନ କରାଯାଇଥିଲା। ଏତଦ୍‍ ବ୍ୟତୀତ କୁମାରପୁର ପଞ୍ଚାୟତର ସାନ୍ତାଣିବାଟି ଗ୍ରାମର ଦିବ୍ୟାଙ୍କ ଦିବ୍ୟରଞ୍ଜନ ସାହୁ ଏବଂ ଖୁଣ୍ଟକଟାର ରମେଶ ଚନ୍ଦ୍ର ସାହାଣିଙ୍କୁ ସେଠାରେ ୩ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା। ଏହି ଜନଶୁଣାଣୀ ଶିବିରରେ ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ବିଡିଓ ପ୍ରଦୀପ କୁମାର ସାହୁ, ତହସିଲଦାର ପ୍ରିୟବ୍ରତ ଦାସ, ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ଏସଡିପିଓ ବିଜୟ କୁମାର ବିଶିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦାନ କରି ଲୋକମାନଙ୍କ ଅଭିଯୋଗ ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ।

Comments are closed.