ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଧୁରୁକୁଡିଆ ଗ୍ରାମର ଚୋରା କାଠ ବ୍ୟବସାୟୀ ପ୍ରଭାକର ଦାସଙ୍କ ଘର ଓ କୁକୁଡା ଫାର୍ମ ଉପରେ ରବିବାର ଅପରାହ୍ନରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର କାଠଗଣ୍ଡି ଓ ଚିରଟ ପଟା ଜବତ କରାଯାଇଥିବା ଜଣାପଡିଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିବା ଆଠଗଡ ଡିଏଫ ଓ ସୁଦର୍ଶନ ଗୋପିନାଥ ଯାଦ୍ଧବଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ରେଞ୍ଜର ଆୟେଶା ଅଖତରୀ ନିଶା ସଦଳବଳେ ଧୁରୁକୁଡିଆ ଗ୍ରାମର ପ୍ରଭାକର ଦାସଙ୍କ ଘର ଓ କୁକୁଡା ଫାର୍ମ ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଉଭୟ ସ୍ଥାନରେ ନିକଟସ୍ଥ ଜଗନ୍ନାଥ ବନ ପ୍ରକଳ୍ପରୁ କଟାଯାଇଥିବା ବହୁ ଫାସି, ଶିରିଶ କାଠଗଣ୍ଡି ଏବଂ ସାଗୁଆନ ଓ ଚାକୁଣ୍ଡା ପଟା ବହୁ ପରିମାଣରେ ଜବତ କରାଯାଇ ୩ଟି ଗାଡିରେ ଆଠଗଡ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଜବତ କାଠ ପ୍ରାୟ ୬୦ଘନଫୁଟର ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି।
ଚୋରାକାଠ ବେପାରୀ ପ୍ରଭାକର ଦାସ ଓ ତାଙ୍କର ୨ପୁଅ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଧରିବା ସମ୍ଭବ ପର ହୋଇନଥିଲା। ଏହି ଚଢାଉରେ ରାଜନଗର ଫରେଷ୍ଟର କୃଷ୍ଣଚନ୍ଦ୍ର ଦେଉରୀ, ପାରା ବନକର୍ମଚାରୀ ବଦ୍ରିନାଥ ଦାସ ଓ ତପନ କୁମାର ବେହେରାଙ୍କ ସମେତ ହାତୀ ଜଗୁଆଳି ରବି ପ୍ରଧାନ, ସାଗର ସାହୁ, ଚନ୍ଦ୍ରକାନ୍ତ ଦଳେଇ, ପଞ୍ଚାନନ ନାୟକ, ସନ୍ତୋଷ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସୂଚନା ଥାଉକି ଏହି ଚୋରା କାଠ ବ୍ୟବସାୟୀ ପ୍ରଭାକର ଦାସ ଓ ତାଙ୍କର ୨ପୁଅ ଶନିବାର ରାତିରେ ପରିବେଶବିତ୍ ନିର୍ମଳ ପତ୍ରୀଙ୍କ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଥିଲେ।



