ଆଠଗଡ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ଆଠଗଡ ବିଜେପି ପକ୍ଷରୁ ଶ୍ରୀ ଚୌଧୁରୀଙ୍କୁ ତୀବ୍ର ନିନ୍ଦା କରାଯିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଶୁକ୍ରବାର ଭାରତୀୟ ଜନତାପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ଆଠଗଡ-ମୁଣ୍ଡଳି ରାସ୍ତାର ବାଉଁଶ ଦଣ୍ଡା ଛକରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କର ରାଷ୍ଟ୍ରପତିଙ୍କ ପ୍ରତି ଅଶାଳିନ ମନ୍ତବ୍ୟକୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଯୁବମୋର୍ଚ୍ଚା ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଅଶ୍ୱିନୀ ସାହୁ ଓ ଆଠଗଡ ଯୁବମୋର୍ଚ୍ଚା ନେତା ତପନ ଲେଙ୍କାଙ୍କ ନେତୃତ୍ୱରେ ବିଜେପି ଓ ଯୁବମୋର୍ଚ୍ଚାର କାର୍ୟ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଶ୍ରୀ ଚୌଧୁରୀଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଶ୍ରୀ ଚୌଧୁରୀ ଏବଂ ସୋନିଆ ଗାନ୍ଧି ରାଷ୍ଟ୍ରପତିଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ଦେଇଥିବାରୁ ଦେଶବାସୀ ଓ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ । ଏହି କାର୍ୟ୍ୟକ୍ରମରେ ମିଥୁନ ମଲ୍ଲିକ, ନୃସିଂହ ସାହୁ, ଜଗଦାନନ୍ଦ ତ୍ରିପାଠୀ, ରମାକାନ୍ତ ସେନାପତି, ସତ୍ୟଜିତ୍ ମଲ୍ଲିକ, ପ୍ରକାଶ ସେଠୀ, ନିର୍ମଳ ପତ୍ରୀ, ସମୀର ପ୍ରଧାନ, ଅଶୋକ ନାୟକ, ତପନ ସାହୁ, ନିରଞ୍ଜନ ଜେନା, ମହେନ୍ଦ୍ର ନାଥ, ପ୍ରମୋଦ ବାରିକଙ୍କ ସମେତ ବହୁ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ ।



