www.samajalive.in
Sunday, December 14, 2025
19.1 C
Bhubaneswar

ତିନି ଜଣ କର୍ମଚାରୀରେ ଚାଲୁଛି ବ୍ଲକ ଶିକ୍ଷା କାର୍ଯ୍ୟାଳୟ

ରେଙ୍ଗାଲିକ୍ୟାମ୍ପ : ଓଡ଼ିଶା ସରକାରଙ୍କ ପତନାଭିମୁଖି ଶିକ୍ଷା ବ୍ୟବସ୍ଥା ଦେଖିଲେ ବଡ ବିଚିତ୍ର ଲାଗୁଛି। ଗୋଟିଏ ପଟେ ପିଲାଙ୍କ ପାସ ହାର ବୃଦ୍ଧି କରିବା ପାଇଁ ସରକାର ତାଗିଦ କରୁଛନ୍ତି ଆଉ ଅନ୍ୟ ପଟରେ ବିଦ୍ୟାଳୟଗୁଡିକରୁ ଶିକ୍ଷକ ମରୁଡି ପଡୁଛି ତାର କିଛି ପଦକ୍ଷେପ ନିଆଯାଉ ନାହିଁ। ଉନ୍ନତ ଶିକ୍ଷାଦାନ ପାଇଁ ଯୋଜନା ପରେ ଯୋଜନା ଆଉ ଶିକ୍ଷକମାନଙ୍କୁ ତାଲିମ ପରେ ତାଲିମ ଦିଆଯାଉଛି । କିନ୍ତୁ ବିଦ୍ୟାଳୟରେ ଯଦି ଆବଶ୍ୟକ ମୁତାବକ ଶିକ୍ଷକ ନରହିବେ ତେବେ ଶିକ୍ଷାର ଗୁଣାତ୍ମକ ମାନ କିପରି ବୃଦ୍ଧି ପାଇବ ସେନେଇ ସରକାରଙ୍କ ଚିନ୍ତା ନାହିଁ। କେଉଁଠି ଦୁଇ ଜଣ ଶିକ୍ଷକରେ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢା ଚାଲିଛି ତ ଆଉ କେଉଁଠି ଜଣେ । ସେଥିରେ ପୁଣି ମଧ୍ୟାହ୍ନ ଭୋଜନ କାର୍ୟ୍ୟକ୍ରମ । କିନ୍ତୁ ଏହି ସବୁ ସମସ୍ୟା ମଧ୍ୟ ତୁଚ୍ଛ ଲାଗିବ ଯେତେବେଳେ ଏହି ବିଦ୍ୟାଳୟର ମୁଖ୍ୟ କେନ୍ଦ୍ର ବିଷୟରେ ଜଣେ ଜାଣିବ । ପ୍ରତି ବ୍ଲକରେ ଥିବା ବିଦ୍ୟାଳୟଗୁଡିକରେ ସୂଚାରୁ ରୂପେ ପାଠପଢା ହେବା ସହ ବିଦ୍ୟାଳୟଗୁଡ଼ିକର ସମସ୍ତ କାର୍ୟ୍ୟକ୍ରମକୁ ତଦାରଖ କରିବା ପାଇଁ ରହିଛି ସ୍ଥାନୀୟ ସ୍ବାୟତ୍ତ ଶିକ୍ଷା ବ୍ୟବସ୍ଥା ବା ବ୍ଲକ ଶିକ୍ଷା କାର୍ଯ୍ୟାଳୟ । ଯେଉଁଠି ବ୍ଲକ ଶିକ୍ଷା ଅଧିକାରୀ ହେଉଛନ୍ତି ବ୍ଲକର ସର୍ବୋଚ୍ଚ କର୍ତ୍ତୃପକ୍ଷ। ଏହି କାର୍ଯ୍ୟାଳୟରେ ବ୍ଲକର ସମସ୍ତ ବିଦ୍ୟାଳୟଗୁଡ଼ିକର ସମ୍ପୂର୍ଣ୍ଣ ତଥ୍ୟ ରହିବା ସହ ୧୧୯ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୩୨ଟି ଉଚ୍ଚ ବିଦ୍ୟାଳୟର ପ୍ରାୟ ୬୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦରମା ପାଇଁ ମଧ୍ୟ ସବୁ ପ୍ରକାର ପ୍ରକ୍ରିୟା ଏଠାରେ ଚାଲିଥାଏ । ବ୍ଲକର ୧୪ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପରୋକ୍ଷ ଭାବରେ ହେଉନା କାହିଁକି ଏହି କାର୍ଯ୍ୟାଳୟର କାର୍ଯ୍ୟ ଦକ୍ଷତା ଉପରେ ନିର୍ଭର କରେ । କିନ୍ତୁ ଏହି କାର୍ଯ୍ୟାଳୟରେ ଜୁଲାଇ ୨୦୨୧ରୁ ସ୍ଥାୟୀ ମୂରବୀ ନାହାନ୍ତି। ପଦବୀ ଖାଲି ପଡ଼ିଛି। ଯେଉଁ କାର୍ଯ୍ୟାଳୟରେ ମୂରବୀ ନାହାନ୍ତି, ସେ କାର୍ଯ୍ୟାଳୟର କାର୍ଯ୍ୟ ଦକ୍ଷତା କଥା ଚିନ୍ତା କରିବା ବି ମୂର୍ଖାମୀ ମନେ ହୁଏ।

ଖାଲି ଏତିକି ନୁହେଁ, ତିନି ଜଣ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ସ୍ଥାନରେ ଅଛନ୍ତି ଦୁଇ ଜଣ, ତିନି ଜଣ ମୁଖ୍ୟ କିରାଣୀ ଆବଶ୍ୟକ, ଅଛନ୍ତି ଦୁଇ ଜଣ। ସେମାନଙ୍କ ମଧ୍ୟରୁ ପୁଣି ଜଣକୁ ଅନ୍ୟ ଜାଗାକୁ ଡେପୁଟେସନରେ ପଠାଯାଇଛି । ଚତୁର୍ଥ କର୍ମଚାରୀ ଭାବରେ ଜଣେ ଥିଲେ କିନ୍ତୁ ତାଙ୍କୁ ଅନ୍ୟତ୍ର ଡେପୁଟ କରାଯାଇ ଆଖ ପାଖ ବିଦ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ପୁଣି ଡେପୁଟେଶନରେ ରଖାଯାଇଛି। ଯାହା ଫଳରେ ଉକ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟ ନାହିଁ ନଥିବା ସମସ୍ୟା ଦେଖା ଦେଉଛି। ଏପରିକି ରାତ୍ରି ଜଗୁଆଳି ମଧ୍ୟ ନାହିଁ । ତେବେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୂଲ୍ୟବାନ କାଗଜ ପତ୍ରର ସୁରକ୍ଷା କେତେ ସୁଦୃଢ଼ ତାହା ବେଶ୍ ଅନୁମାନ କରିହେବ। ବ୍ଲକର ସମସ୍ତ କାମ ପାଇଁ ୫ ଟି କମ୍ପ୍ୟୁଟର ଦରକାର୍, କିନ୍ତୁ ଦୁଇଟି କମ୍ପ୍ୟୁଟରରେ ଚାଲୁଛି କାମ। ବାକି ତିନୋଟି ଅଚଳ ହୋଇ ପଡ଼ି ରହିଛି । କାର୍ଯ୍ୟାଳୟର ମୁଖ୍ୟ ବ୍ଲକ ଶିକ୍ଷା ଅଧିକାରୀ ଅସ୍ଥାୟୀ। ଜଣେ ଶିକ୍ଷା ଅଧିକାରୀ ଦୁଇ ଦୁଇଟି ବ୍ଲକରେ କାର୍ଯ୍ୟ କରୁଛନ୍ତି । ସପ୍ତାହରେ ତିନି ଦିନ ଗୋଟିଏ ବ୍ଲକ ରେ ତ ଆଉ ତିନି ଦିନ ଆନ୍ୟା ଗୋଟିଏ ବ୍ଲକରେ। ତେବେ ଏହି ଅଧିକାରୀଙ୍କ ଉପରେ ଅତ୍ୟଧିକ କାମର ବୋଝ ନିଶ୍ଚିତ ଭାବରେ ରହିବ । ଆଉ ସମସ୍ତ କାମ ସୂଚାରୁ ରୂପେ ହୋଇ ପାରିବ ନାହିଁ। ଏମିତି ଦୁର୍ଦ୍ଦିନ ପରିସ୍ଥିତିରେ ଚାଲୁଛି ବ୍ଲକ ଶିକ୍ଷା କାର୍ଯ୍ୟାଳୟ । ତେବେ ବିଦ୍ୟାଳୟଗୁଡ଼ିକର ଅବସ୍ଥା କିପରି ଥିବ ନିଶ୍ଚୟ ଚିନ୍ତାର ବିଷୟ । ଏବେ ପୁଣି ଖୋଲିଲାଣି ଆଦର୍ଶ ବିଦ୍ୟାଳୟ। ଆଧାରିକ ସଂରଚନା ବିହୀନ ଏହି ବିଦ୍ୟାଳୟ କେତେ ଆଦର୍ଶ ତାହା ସେହି ଛାତ୍ରଛାତ୍ରୀମାନେ ବେଶ୍ ଅନୁଭବ କରି ପାରୁଥିବେ, ଯେଉଁମାନେ ଏହି ବିଦ୍ୟାଳୟରେ ନୂତନ ଭାବରେ ନାମ ଲେଖାଇଛନ୍ତି। ଧୀରେ ଧୀରେ ଶିକ୍ଷା ବ୍ୟବସ୍ଥା ପତନ ଅଭିମୁଖେ ଗତି କରୁଛି। ରାଜା ବିହୀନ ପ୍ରଜା କେବେ ଶୃଙ୍ଖଳିତ ହୋଇପାରେ କି? ଯଦି ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ନ ହୁଏ, ତେବେ ପିଲାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ। ପ୍ରାଥମିକ ସ୍ତରରେ ଶିକ୍ଷା ଯେତେ ଉନ୍ନତ ହେବ, ପରବର୍ତ୍ତୀ ଶିକ୍ଷା ସେତେ ପରିମାଣରେ ତାକୁ ଭବିଷ୍ୟତ ଗଠନ କରିବାରେ ସାହାଯ୍ୟ କରିବ । ତେବେ ବହୁବିଧ ସମସ୍ୟା ଦେଇ ଗତି କରୁଥିବା ଅତାବିରା ବ୍ଲକ କାର୍ଯ୍ୟାଳୟକୁ ନେଇ ଅଞ୍ଚଳର ଶିକ୍ଷାପ୍ରେମି ଓ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିବା ସହ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ଜଣାଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories