‘ମୋ ଘର’ ଆବେଦନକାରୀଙ୍କ ପାଇଁ ସହାୟତା ଶିବିର
ଆଠଗଡ : ରାଜ୍ୟ ସରକାରଙ୍କର ବହୁ ଆକାଂକ୍ଷିତ ନୂତନ ‘ମୋ ଘର’ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କର ବିଭିନ୍ନ ପ୍ରମାଣପତ୍ର ଓ ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତିରେ ବ୍ଲକ ଏବଂ ତହସିଲ ପ୍ରଶାସନ ପକ୍ଷରୁ ସହାୟତା କରାଯାଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରଦୀପ କୁମାର ସାହୁୁ ଓ ତହସିଲଦାର ପ୍ରିୟବ୍ରତ ଦାସ ଉପସ୍ଥିତ ରହି ମୋ ଘର ଯୋଜନାରେ ଘର ପାଇବା ପାଇଁ ଆବେଦନ କରିଥିବା ବିଭିନ୍ନ ପଞ୍ଚାୟତର ହିତାଧିକାରୀଙ୍କୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତିରେ ତତ୍କାଳ ସହାୟତା କରାଯାଇଥିଲା। ଶୁକ୍ରବାର ଆୟୋଜିତ ଏହି ଶିବିରରେ ଯୋରନ୍ଦା, ତରଡିଙ୍ଗ, ଧାଇପୁର, ରାଧାଗୋବିନ୍ଦପୁର ଓ ବେଣ୍ଟପଦା ପଞ୍ଚାୟତର ୭୦ରୁ ଅଧିକ ଆବେଦନକାରୀ ଉପସ୍ଥିତ ରହି ସେମାନଙ୍କ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ହିତାଧିକାରୀଙ୍କୁ ଆୟ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଯୋଗାଇବା ଓ ଜମିଜମା ସମ୍ବନ୍ଧୀୟ ସମସ୍ୟା ସମାଧାନ ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତହସିଲଦାର ଶ୍ରୀ ଦାସ ଉପସ୍ଥିତ ରାଜସ୍ୱ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଆଗାମୀ ଦିନରେ ଅନ୍ୟାନ୍ୟ ଗ୍ରାମପଞ୍ଚାୟତର ହିତାଧିକାରୀଙ୍କୁ ମଧ୍ୟ ଏ ଦିଗରେ ସହାୟତା କରାଯିବ ବୋଲି ବିଡିଓ ଶ୍ରୀ ସାହୁୁ ପ୍ରକାଶ କରିଥିଲେ । ଏହି ଶିବିରରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନା, ସଦର ରାଜସ୍ୱ ନିରୀକ୍ଷକ ସିଲୁ ସାହୁ, ଧାଇପୁର ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ, ବ୍ଲକ ପ୍ରକଳ୍ପ ସଂଯୋଜକ ସୁଧାଂଶୁ ଚନ୍ଦ୍ର ନାୟକ ଉପସ୍ଥିତ ରହି ଆବେଦନକାରୀଙ୍କୁ ସହାୟତା କରିଥିଲେ ।
Comments are closed.