www.samajalive.in
Sunday, December 14, 2025
23.1 C
Bhubaneswar

ମାନ୍ୟବରଙ୍କ ମାନ

ଭୁବନେଶ୍ଵର: ଅଧିବେଶନ ଆରମ୍ଭରୁ ଗତ ଦୁଇ ଦିନ ଧରି ‘ଗଣତନ୍ତ୍ରର ମନ୍ଦିର’ ବୋଲି କୁହାଯାଉଥିବା ବିଧାନସଭାକୁ ଆମର ଲୋକପ୍ରତିନିଧିଗଣ ଯେପରି ଗର୍ଜନତର୍ଜନ ଓ ଠେଲାପେଲାରେ କମ୍ପାଉଛନ୍ତି ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ଚିନ୍ତାର ବିଷୟ। ମଙ୍ଗଳବାର ଶାସକ-ବିରୋଧୀ ସଦସ୍ୟଙ୍କ ଦୋଷାରୋପ-ପ୍ରତ୍ୟାରୋପ, କଳିତକରାଳ ଓ ଉଚ୍ଚବାଚ ସବୁ ସୀମା ଲଙ୍ଘନ କରି ଗୃହକୁ କିଛି ସମୟ ଏକ ରଣକ୍ଷେତ୍ରରେ ପରିଣତ କରିଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ବିଧାୟକଙ୍କୁ ସାତ ଦିନ ପାଇଁ ବାଚସ୍ପତି ନିଲମ୍ବନ କରିଥିବାବେଳେ ବିରୋଧୀଙ୍କ ପକ୍ଷରୁ ତୁରନ୍ତ ଏହାର ପ୍ରତ୍ୟାହାର ପାଇଁ ଦାବି ଉଠିଛି।
ଅବଶ୍ୟ ଏଭଳି ଦୃଶ୍ୟ ଯେ ସମ୍ପୂର୍ଣ୍ଣ ଅଭିନବ ତାହା ନୁହେଁ। ବର୍ତ୍ତମାନର ଶାସକ ଦଳ ବିରୋଧୀ ଦଳରେ ଥିବାବେଳେ ମଧ୍ୟ ଅନୁରୂପ ଘଟଣା ଦୃଶ୍ୟମାନ ହେଉଥିଲା; କିନ୍ତୁ ମାନ୍ୟବରମାନେ ଯଦି ଏଭଳି ବିଶୃଙ୍ଖଳିତ ଆଚରଣ ଦେଖାଇବେ ଓ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ୁଥିବ, ରାଜ୍ୟର ବାସ୍ତବ ସମସ୍ୟାଗୁଡ଼ିକ ସମ୍ପର୍କରେ ବା ବିଧିବିଧାନ ପ୍ରଣୟନ ବିଷୟରେ ଆଲୋଚନା ହେବ କେତେବେଳେ? ଲୋକେ ସେମାନଙ୍କୁ ଏଭଳି ରାଜନୈତିକ ଜିଘାଂସା ସକାଶେ ଯେ ବିଧାନସଭାକୁ ପଠାଇ ନାହାନ୍ତି, ଏଭଳି ବିବେକୀ ଭାବନା ଆମ ଜନପ୍ରତିନିଧିଙ୍କ ନିକଟରୁ କ’ଣ ଆଶା କରାଯାଇ ପାରିବ ନାହିଁ?
ଏହା ନିଃସନ୍ଦେହ ଯେ ଗୃହ ଚଳାଇବାର ପ୍ରମୁଖ ଓ ନୈତିକ ଦାୟିତ୍ବ ସରକାରୀ ପକ୍ଷର; ତେଣୁ ଏହାର ପରିଚାଳନା ସୁରୁଖୁରୁରେ ହେବା ପାଇଁ ସେମାନେ ଧୈର୍ଯ୍ୟ ଓ ବିଜ୍ଞତାର ସହିତ ବିରୋଧୀ ପକ୍ଷର ପ୍ରଶ୍ନର ଉତ୍ତର ରଖିବା ଦରକାର। ଏହା ହିଁ ସାମ୍ବିଧାନିକ ବିଧି। ଶାସକ ଦଳର ଜଣେ ବିଧାୟକ ଯେଭଳି ବାରମ୍ବାର ସମ୍ବେଦନଶୀଳ ବିବାଦୀୟ ବିବୃତି ଦେଇଚାଲିଛନ୍ତି, ତାହା ସରକାରଙ୍କୁ ହରଡ଼ଘଣାରେ ପକାଇବା ଅସ୍ବାଭାବିକ ନୁହେଁ; କିନ୍ତୁ ଏହାର ସମ୍ମୁଖୀନ ହୋଇ ବିବାଦର ପ୍ରଶମନ ଓ ସଂଶୟ ମୋଚନ ପାଇଁ ଚେଷ୍ଟା କରାଯିବା ବାଞ୍ଛନୀୟ। ଆହୁରି ମଧ୍ୟ ବାଚସ୍ପତି ଶାସକ ଦଳ ଓ ବିରୋଧୀ ଦଳର ସଦସ୍ୟଙ୍କୁ ଆଲୋଚନାରେ ଅଂଶଗ୍ରହଣ ପାଇଁ ଅନୁମତି ପ୍ରଦାନରେ ପାତରଅନ୍ତର କରୁଥିବା ବିରୋଧୀ ପକ୍ଷରୁ ଅଭିଯୋଗ ହୋଇଛି। ଯଦି ଏହା ସତ୍ୟ ହୋଇଥାଏ, ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ଦୃଷ୍ଟିରୁ ନିଶ୍ଚିତ ଭାବେ ସ୍ପୃହଣୀୟ ନୁହେଁ। ଅପରପକ୍ଷେ ବିରୋଧୀ ଦଳର ସଦସ୍ୟଗଣ ବିରୋଧ ବା ପ୍ରତିବାଦ କଲାବେଳେ ସାମ୍ବିଧାନିକ ବିଧିବ୍ୟବସ୍ଥା ଓ ଗୃହର ମର୍ଯ୍ୟାଦାକୁ ଉଲ୍ଲଙ୍ଘନ କରିବା ଅନୁଚିତ।
କେବଳ ଓଡ଼ିଶା ବିଧାନସଭା ନୁହେଁ, ସଂସଦ ଓ ଅନ୍ୟ ରାଜ୍ୟର ବିଧାନସଭାଗୁଡ଼ିକରେ ମଧ୍ୟ ଲୋକପ୍ରତିନିଧିଙ୍କ ବିଶୃଙ୍ଖଳିତ, ମର୍ଯ୍ୟାଦାହୀନ ଓ ଅସାମ୍ବିଧାନିକ ଆଚରଣ ଦୃଶ୍ୟମାନ ହେଉଛି। ଲୋକପ୍ରତିନିଧିମାନେ ଯେତେବେଳେ ଗଣ ପରିବର୍ତ୍ତେ ଦଳ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ କରନ୍ତି, ସେତେବେଳେ ‘ଗଣତନ୍ତ୍ର’ ବସ୍ତୁତଃ ‘ଦଳତନ୍ତ୍ର’ରେ ପରିଣତ ହୁଏ। କହିବା ବାହୁଲ୍ୟ ଯେ ଆମ ଦେଶରେ ଏଭଳି ପ୍ରବୃତ୍ତି ବୃଦ୍ଧି ପାଉଥିବାରୁ ଉପରୋକ୍ତ ଦୁର୍ଭାଗ୍ୟଜନକ ସ୍ଥିତି ଅଧିକ ସୃଷ୍ଟି ହେଉଛି। ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟାଗୁଡ଼ିକ ସମ୍ପର୍କରେ କୌଣସି ଅର୍ଥପୂର୍ଣ୍ଣ ଆଲୋଚନା ହେବା ବଦଳରେ ଗୃହ ବାରମ୍ବାର ଅଚଳ ହେଉଛି। ଏହାଦ୍ବାରା ଅଯଥାରେ ଜନତାଙ୍କ ଅର୍ଥଶ୍ରାଦ୍ଧ ହେଉଥିବା ବିଷୟ ମାନ୍ୟବରମାନେ ସମ୍ଭବତଃ ପାସୋର ଯାଉଛନ୍ତି। ଜନତାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଲେ ଏଭଳି ଅକରଣୀୟ କାର୍ଯ୍ୟ କରିବାକୁ ନିଶ୍ଚୟ ସେମାନଙ୍କୁ ନିଜ ବିବେକ ବାଧା ଦିଅନ୍ତା। ନିଜର ବି ମାନମର୍ଯ୍ୟାଦା ରକ୍ଷା ହୁଅନ୍ତା। ଆମର ଆଶା, ଏଥିପ୍ରତି ସମସ୍ତ ଜନପ୍ରତିନିଧି ସଚେତନ ଓ ଯତ୍ନବାନ ହେବେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories