‘ସ୍ବାଭିମାନ’ର ଅଭିମାନ; ଅନ୍ଧାରରେ ୧୫୦ଗାଁ

କାର୍ଯ୍ୟକାରୀ ହେଉନି ପାୱାର ଗ୍ରୀଡ୍‌

ମାଲକାନଗିରି : ତତ୍ପରତା ଦେଖାଇଲେ ରାଜ୍ୟ ସରକାର। ମାଓପ୍ରବଣ ମାଲକାନାଗିରିର ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ ହେଲା ଗୁରୁପ୍ରିୟା ସେତୁ। ଦୁର୍ଗମ ଇଲାକାର ଅନେକ ପଞ୍ଚାୟତ ବାହ୍ୟଜଗତ ସହ ସଂଯୁକ୍ତ ହେଲେ। ଅଞ୍ଚଳବାସୀଙ୍କୁ ବି ଅନେକ ସ୍ବପ୍ନ ଦେଖାଇଲେ ସରକାର। ବିଚ୍ଛିନ୍ନାଞ୍ଚଳର ନାମ ପରିବର୍ତ୍ତନ କରି ଏହାକୁ ସ୍ବାଭିମାନ ଅଞ୍ଚଳର ନାଁ ଦେଲେ ସରକାର। ପ୍ରଶାସନ ବି ଦମ୍‌ ଦେଖାଇ ବିକାଶର ଗାଡ଼ି ସେଠାରେ ଜୋରସୋରରେ ଗଡିବ ବୋଲି ପ୍ରତିଶ୍ରୁତି ଦେଲେ। ଗୁରୁପ୍ରିୟା ସେତୁକୁ ନେଇ ଯେଉଁଭଳି ପ୍ରଚାର କମ୍ପନ କରାଗଲା, ଲାଗିଲା ସତେଯେମିତି ସ୍ବାଭିମାନ ଅଞ୍ଚଳକୁ ସବୁକିଛି ମିଳିଯାଇଛି। ସ୍ବାଧୀନତାର ୭୫ ବର୍ଷ ପରେ ବି ଓଡ଼ିଶାର କୌଣସି ଅଞ୍ଚଳ ଅଗମ୍ୟ ରହିବା ଆମ ଦୀର୍ଘବର୍ଷର ଶାସନ ବ୍ୟବସ୍ଥାରେ ଗୋଲାପୀ ବିକାଶର ସତ୍ୟକୁ ସ୍ବୀକାର କରିବାକୁ ବାଧ୍ୟ କରିଛି। ଏବେ ଗୁରୁପ୍ରିୟା ସେତୁ ସ୍ବାଭିମାନ ଅଞ୍ଚଳବାସୀଙ୍କ ଜୀବନଧାରଣମାନରେ ଅନେକ ଉନ୍ନତି ଆଣିଛି, ଏହାକୁ ଅସ୍ବୀକାର କରାଯାଇନପାରେ; ମାତ୍ର ଅସଲ କଥା ହେଉଛି- ସ୍ବାଭିମାନ ଅଞ୍ଚଳବାସୀ ସଡ଼କର ସଂଯୋଗ ସିନା ପାଇଲେ; କିନ୍ତୁ ଏକ ମୌଳିକ ଆବଶ୍ୟକତା ବିଜୁଳି ସଂଯୋଗର ଅଭାବ ରହିଲା। ଗୋଟିଏ କି ଦୁଇଟି ନୁହେଁ; ୧୫୦ ଟି ଗାଁ ଏବେ ଅନ୍ଧାରରେ ରହିଛି। ଅସହ୍ୟ ତାତିରେ ସାରା ଓଡ଼ିଶା ସନ୍ତୁଳି ହେଉଥିବାବେଳେ ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ବିଜୁଳି ସଙ୍କଟ ପ୍ରଚାର ସର୍ବସ୍ବ ସରକାରୀ ଉଦାସୀନତାକୁ ପଦାରେ ପକାଇଛି। ବିଜୁଳି ନଥିବାରୁ ବିକାଶ ରଥର ଚକ ଏବେ ଅଚଳ। ପାନୀୟ ଜଳ ପ୍ରକଳ୍ପ ହୋଇଛି; ଅଥଚ କାମ କରୁନି। ଚାଷୀଟି ମୋଟରପମ୍ପ ବ୍ୟବହାର କରି ନପାରି ଡିଜେଲ ପମ୍ପ ଭଡାରେ ଆଣି ଖର୍ଚ୍ଚାନ୍ତ ହେଉଛନ୍ତି। ଯୁବଗୋଷ୍ଠୀଙ୍କ ପାଇଁ ବିଜୁଳି ପାଲଟିଛି ଦକ୍ଷତା ବିକାଶରେ କଣ୍ଟା। ଆଧୁନିକ ଜ୍ଞାନକୌଶଳ ଆହରଣ ଓ ଦକ୍ଷତା ବିକାଶ ପାଇଁ ଆସିଥିବା କଂପ୍ୟୁଟର ବିଜୁଳି ଅଭାବରୁ ଅକାମୀ। ବିଜୁଳି ଭଳି ଏକ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ସରକାର ସ୍ବାଭିମାନ ଅଞ୍ଚଳରେ ବିଫଳ ହୋଇଛନ୍ତି। କାରଣ ୧୦ ବର୍ଷ ତଳେ ଯେଉଁ ବିଜୁଳି ସମସ୍ୟାର ସମାଧାନ ଲାଗି ପୂର୍ବତନ ଜିଲାପାଳ ଆର.ଭିନ୍ନିଲକ୍ରିଷ୍ଣାଙ୍କୁ ମାଓବାଦୀ ଅପହରଣ କରିଥିଲେ; ଏବେ ମାଓବାଦୀଙ୍କ ପ୍ରଭାବହୀନ ସତ୍ତ୍ବେ ମଧ୍ୟ ଏଠାରେ ବିଜୁଳିର ଭିତ୍ତିଭୂମି ବିକାଶ ହୋଇପାରିନି।

ଦୁର୍ଭାଗ୍ୟ ଏହି ଯେ, ଆଜି ବି ଏହି ଅଞ୍ଚଳର ୯ ପଞ୍ଚାୟତ ଜଡାମ୍ବ, ଜାନବାଇ, ପାପରମେଟଲା, ରାଲେଗେଡ଼ା, ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ବଡପଡ଼ା, ବଡପଦର ଅଞ୍ଚଳରେ ବିକାଶର ଗାଡି ଆଗେଇ ପାରୁନାହିଁ। ଲୋ ଭୋଲଟେଜ ଓ ବିଜୁଳି ସମସ୍ୟା ଯୋଗୁଁ ୧୫୦ ଗଁାର ଆଦିବାସୀ ଅନ୍ଧାରରେ ଜୀବନ ବିତାଉଛନ୍ତି। ଅଘୋଷିତ ବିଦ୍ୟୁତ୍‍ କାଟ୍‍ ଓ ଗ୍ରୀଷ୍ମର ପ୍ରକୋପରେ ସିଝିଛନ୍ତି ଆଦିବାସୀ। ବିଜୁଳିର ସ୍ଥାୟୀ ସମାଧାନ ନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନି। ସେଠାରେ ପାୱାର ଗ୍ରୀଡ୍ ନିର୍ମାଣ କାର୍ଯ୍ୟ ହୋଇ ପାରିନାହିାଁ ଉଠା ଜଳସେଚନ ପ୍ରକଳ୍ପ କିମ୍ବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରିନାହି। ଦକ୍ଷତା ଓ କୌଶଳ ଥାଇ ମଧ୍ୟ ହାତ ବାନ୍ଧି ବସିଛନ୍ତି ଲୋକୋ କମ୍ପ୍ୟୁଟର ଗୁଡିକ କାର୍ଯ୍ୟ ହେଉ ନ ଥିବା ବେଳେ ୱେଲଡିଂ କାମ ଜାଣି ମଧ୍ୟ ବିଦ୍ୟୁତ ନ ଥିବାରୁ କାର୍ଯ୍ୟ ହୋଇ ପାରୁନାହିାଁ ସନ୍ଧ୍ୟା ହେଲେ ଡିବିରି ଆଲୁଅ ଭଳି ବଲବ ଗୁଡିକ ଜଳୁଛି। ଖରା, ବର୍ଷା ହେଲେ ଦୁଇଦିନ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇପଡୁଛି। ବହୁ କୋଟି ଟଙ୍କା ବ୍ୟୟରେ ସ୍ୱାଭିମାନ ଅଞ୍ଚଳ ବଡପଡ଼ାଠାରେ ଏକ ଗ୍ରୀଡ୍‍ ସବଷ୍ଟେସନ ନିର୍ମାଣ ହୋଇଥିଲା। ୩୩ କେଭି ବିଦ୍ୟୁତ୍‍ ସଂଯୋଗ କରାଯାଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇ ପାରୁୁନାହିାଁ କାରଣ ଗୁରୁପ୍ରିୟା ସେତୁ ମଧ୍ୟ ଦେଇ ଉକ୍ତ ବିଦ୍ୟୁତ ତା’ର ଗଲେ ଦୁର୍ଘଟଣା ଆଶଙ୍କା ଥିବାରୁ ତାର ସଂଯୋଗ କରାଯାଇପାରୁ ନାହିାଁ ଅସୁବିଧା ହେଉଛି। ବିଭାଗ ପକ୍ଷରୁ ବୈଷୟିକ ସମସ୍ୟା ରହିଥିବା ବେଳେ ଅଦ୍ୟାବଧି ପୂର୍ତ୍ତ ବିଭାଗ ପକ୍ଷରୁ ପୋଲ ଉପରୁ ତାର ନେବା ପାଇଁ ଅନୁମତି ଦିଆଯାଇ ନ ଥିଲ। ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଓପିଡିସିଏଲ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟା ସରିଛି। ସ୍ୱତନ୍ତ୍ର କେବୁଲ ଯୋଗେ ୩୩ କେଭି ତାର ପୋଲ ପାର୍ଶ୍ବ ଦେଇ ନିଆଯିବା ପାଇଁ ବ୍ୟବସ୍ଥା କରାଯିବ। ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
ନିକଟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ। ସେତେବେଳେ ମଧ୍ୟ ସ୍ଥାନୀୟ ଅଧିବାସୀ ଏହି ପୁରୁଣା ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ତାଙ୍କୁ ଜଣାଇଥିଲେ। ଏହା ସତ୍ତ୍ବେ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇ ନ ଥିବା ଜଣାପଡ଼ିଛି। ବିଦ୍ୟୁତ୍‍ ନ ଥିବାରୁ ସାଧାରଣ ଚାଷୀ ମୋଟର ପମ୍ପ ବ୍ୟବହାର କରି ନ ପାରି ଭଡ଼ା ସୁତ୍ରରେ ଜେନରେଟର ଆଣୁଛନ୍ତି। ଡିଜେଲ, ଜଳସେଚନ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଦୁଇଟି ପାନୀୟ ଜଳ ସେଚନ ପ୍ରକଳ୍ପ ଆରମ୍ଭ ହୋଇପାରୁ ନାହିାଁ ପାଇପ୍ ଯୋଗେ ପିଇବା ପାଇଁ ଆଦିବାସୀ ଅଞ୍ଚଳକୁ ସ୍ୱପ୍ନ ପାଲଟିଛି।
ସବୁଠାରୁ ଦୁର୍ଭାଗ୍ୟ ବିଷୟ ସରକାର ଉକ୍ତ ଅଞ୍ଚଳରେ ବିକାଶର ଧାରା ଆରମ୍ଭ କରି ବିଦ୍ୟାଳୟ, ଡାକ୍ତରଖାନା, ଟାୱର, ରାସ୍ତାଘାଟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା କେବଳ ତାହା ଭିତ୍ତିପ୍ରସ୍ତରରେ ସୀମିତ ରହିଛି। ବିଜୁଳି କ୍ଷେତ୍ରରେ ୧୦ ବର୍ଷ ପୂର୍ବ ସ୍ଥିତି ଆଜି ବି ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ସେମିତି ରହିଛି।
‘ସ୍ବାଭିମାନ’ର..

Comments are closed.