www.samajalive.in
Saturday, December 13, 2025
26.1 C
Bhubaneswar

ଭାରତ ଏସିଆ କପ୍‍ ଚମ୍ପିଆନ୍‍

ଦୁବାଇ : ଭାରତ ରେକର୍ଡ ୭ମ ଥର କ୍ରିକେଟ ଏସିଆ କପ୍‍ ଚମ୍ପିଆନ୍‍ ହୋଇଛି। ଶୁକ୍ରବାର ଫାଇନାଲ ମ୍ୟାଚରେ ବାଂଲାଦେଶକୁ ୩ ୱିକେଟରେ ଭାରତ ପରାସ୍ତ କରିଛି। ଓପ୍‍ନର ଲିଟନ୍‍ ଦାସଙ୍କ ଶତକ ସତ୍ତ୍ବେ ବାଂଲାଦେଶ ୪୮.୩ ଓଭରରେ ୨୨୨ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ୨୨୩ ରନ୍‍ ବିଜୟଲକ୍ଷ୍ୟର ପିଛାକରି ଭାରତ ନାକେଦମ୍‍ ହୋଇ ଯାଇଥିଲେ ହେଁ ୭ ୱିକେଟ ହରାଇ ଶେଷ ବଲ୍‍ରେ ଜିତିଥିଲା। ଭାରତର କୌଣସି ବ୍ୟାଟ୍‍ସମ୍ୟାନ ଅର୍ଦ୍ଧଶତକ ହାସଲ କରିନଥିବା ବେଳେ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୮ ରନ୍‍ କରିଥିଲେ।
୨୨୩ ରନ୍‍ ଭାରତ ପାଇଁ ସହଜ ମନେ ହୋଇଥିଲେ ହେଁ ବାଂଲାଦେଶର ବୋଲର ମ୍ୟାଚ୍‍କୁ ପ୍ରତିଦ୍ୱନ୍ଦ୍ୱିତାମୂଳକ କରି ପାରିଥିଲେ। ୩୫ ରନ୍‍ର ଓପ୍‍ନିଂ ଭାଗିଦାରୀ ପରେ ଶିଖର ଧାୱନ ୧୫ ରନ୍‍କରି ଆଉଟ ହୋଇଥିଲେ। ପରେ ଅମ୍ବତି ରାୟୁଡୁ ୨ ରନ୍‍କରି ବିଦାୟ ନେଇଥିଲେ। ଅଧିନାୟକ ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକ ୩ୟ ୱିକେଟ ପାଇଁ ୩୭ ରନ୍‍ ଯୋଡ଼ିଥିଲେ। ରୋହିତ ଶର୍ମା ୫୫ ବଲ୍‍ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୮ ରନ୍‍କରି ଆଉଟ ହୋଇଥିଲେ। ୪ର୍ଥ ୱିକେଟ ପାଇଁ କାର୍ତ୍ତିକ ଓ ମହେନ୍ଦ୍ର ସିଂହ ଧୋନି ୫୪ ରନ୍‍ ଯୋଗ କରିଥିଲେ। କାର୍ତ୍ତିକ ୬୧ ବଲ୍‍ରୁ ୩୭ ରନ୍‍କରି ଆଉଟ ହୋଇଥିଲେ। ଭଲ ବ୍ୟାଟିଂ କରୁଥିବା ଧୋନି ୩ଟି ଚୌକା ସହ ୩୬ ରନ୍‍କରି ଆଉଟ ହୋଇ ଯାଇଥିଲେ। ୧୯ ରନ୍‍ କରିଥିବା ବେଳେ କେଦାର ରିଟାୟର୍ଡ ହୋଇ ଫେରି ଯାଇଥିଲେ। ଫଳରେ ଭାରତ ଚାପରେ ପଡ଼ି ଯାଇଥିଲା। ରବୀନ୍ଦ୍ର ଜାଡ଼େଜା ଓ ଭୁବନେଶ୍ୱର କୁମାର ୫୫ ରନ୍‍ ଯୋଡ଼ିବା ପରେ ଜାଡ଼େଜା ୨୩ ରନ୍‍କରି ଆଉଟ ହୋଇଥିଲେ। ପରେ ଭୁବନେଶ୍ୱର ୨୧ ରନ୍‍କରି ବିଦାୟ ନେଇଥିଲେ। ଶେଷ ଓଭରରେ ୬ ରନ୍‍ ଆବଶ୍ୟକ ଥିବା ବେଳେ ଶେଷ ବଲ୍‍ରେ କେଦାର ସିଙ୍ଗଲ୍‍ ନେଇ ଭାରତକୁ ଜିତାଇଥିଲେ। କେଦାର ୨୩ ରନ୍‍କରି ଅପରାଜିତ ଥିଲେ। ମୁସ୍ତାଫିଜୁର ଓ ରୁବେଲ ହୋସେନ୍‍ ୨ଟି ଲେଖାଏଁ ୱିକେଟ ପାଇଥିଲେ।
ଭାରତ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ବାଂଲାଦେଶର ଓପ୍‍ନିଂ ଯୋଡ଼ି ପ୍ରତ୍ୟାକ୍ରମଣ କରି ଭାରତକୁ ଚକିତ କରି ଦେଇଥିଲେ। ଲିଟନ୍‍ ଦାସ ଓ ମେହ୍‍ଦି ହାସନ୍‍ ମିରାଜ୍‍ ପ୍ରଥମ ୮ ଓଭରରେ ୫୮ ରନ୍‍ କରିଥିଲେ। ବାଂଲାଦେଶ ଓପ୍‍ନିଂ ଯୋଡ଼ି ୨୧ ଓଭରରେ ୧୨୦ ରନ୍‍ କରିବା ପରେ ବଡ଼ ସ୍କୋର୍‍ କରିବ ବୋଲି ଆଶା କରା ଯାଉଥିଲା। ତେବେ କେଦାର ଯାଦବ ଭାରତକୁ ସଫଳତା ଦେଇଥିଲେ। ୩୧ ରନ୍‍ ମଧ୍ୟରେ ୫ଟି ୱିକେଟ ହରାଇଥିଲା ବାଂଲାଦେଶ। ମିରାଜ୍‍ ୫୯ ବଲ୍‍ରୁ ୩ଟି ଚୌକା ସହ ୩୨ ରନ୍‍ କରିଥିଲେ। ପରେ ଇମ୍‍ରୁଲ କେୟିସ୍‍ ୨, ଫର୍ମରେ ଥିବା ମୁସ୍‍ଫିକୁର ରହିମ୍‍ ୫, ମହମ୍ମଦ ମିଠୁନ ୨ ଓ ମହମ୍ମଦୁଲ୍ଲା ୪ ରନ୍‍କରି ଆଉଟ ହୋଇଥିଲେ। ୧୫୧ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ଲିଟନ୍‍ ଦାସ ଓ ସୌମ୍ୟ ସରକାର ଦଳକୁ ଆଗେଇ ନେଇଥିଲେ। ପୂର୍ବରୁ ୧୭ଟି ଦିନିକିଆ ମ୍ୟାଚ୍‍ରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିନଥିବା ଲିଟନ୍‍ ଦାସ ଶତକ ହାସଲ କରିଥିଲେ। ତାଙ୍କ ଇନିଂସ ଯୋଗୁଁ ହିଁ ବାଂଲାଦେଶ ୨ ଶହ ରନ୍‍ ଅତିକ୍ରମ କରି ପାରିଥିଲା। ୧୫୧ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ଲିଟନ୍‍ ଓ ସୌମ୍ୟ ସରକାର ୩୭ ରନ୍‍ ଯୋଗ କରିଥିଲେ। ଲିଟନ ୧୧୭ ବଲ୍‍ରୁ ୨ଟି ଛକା ଓ ୧୨ଟି ଚୌକା ସହ ୧୨୧ ରନ୍‍ କରିଥିଲେ। ୩୪ ରନ୍‍ରେ ବାଂଲାଦେଶ ଶେଷ ୫ଟି ୱିକେଟ ହରାଇଥିଲା। ସୌମ୍ୟ ସରକାର ୪୫ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୩ ରନ୍‍ କରିଥିଲେ। କୁଲଦୀପ ଯାଦବ ୩ଟି ଓ କେଦାର ଯାଦବ ୨ଟି ୱିକେଟ ନେଇଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories